ଭାରତ ଯୋଡ ଯାତ୍ରାରେ ସାମିଲ ହେବାକୁ ଲାଲୁ ଯାଦବଙ୍କୁ ଅନୁରୋଧ କଲେ ଦିଗବିଜୟ ସିଂ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ରାହୁଲ ଗାନ୍ଧୀଙ୍କ ନେତୃତ୍ଵରେ କଂଗ୍ରେସର ଭାରତ ଯୋଡ ଯାତ୍ରା ଜାରି ରହିଛି। ଏହି ଯାତ୍ରା ଏବେ କର୍ଣ୍ଣାଟକରେ ପହଞ୍ଚିଥିବା ବେଳେ ମଙ୍ଗଳବାର ଦିନ କଂଗ୍ରେସର ବରିଷ୍ଠ ନେତା ଦିଗବିଜୟ ସିଂ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କୁ ଏହି ଯାତ୍ରାରେ ସାମିଲ ହେବାକୁ ଅନୁରୋଧ କରିଛନ୍ତି । ଲାଲୁ ଏହି ଯାତ୍ରାରେ ସାମିଲ ହେଲେ ବିଜେପି ବିରୋଧରେ ବିରୋଧୀଙ୍କ ଏକତା ନେଇ ଏକ ଭଲ ବାର୍ତ୍ତା ଯିବ ବୋଲି ସେ କହିଛନ୍ତି।

ତେବେ ସୋମବାର ଦିନ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ର ଜାତୀୟ ସମ୍ମିଳନୀରେ ଲାଲୁ କଂଗ୍ରେସ ସମେତ ସବୁ ବିରୋଧୀ ଦଳଙ୍କୁ ବିଜେପି ବିରୋଧରେ ଏକଜୁଟ ହେବାକୁ ଆହ୍ବାନ କରିଥିଲେ। ତେବେ ଲାଲୁଙ୍କ ଏହି ମନ୍ତବ୍ୟର ଏକ ଭିଡିଓ ସେୟାର କରି ଶ୍ରୀ ସିଂ ଏକ ଟୁଇଟ୍ କରିଛନ୍ତି। ସେ କହିଛନ୍ତି ଯେ, “ଲାଲୁ ଜୀଙ୍କୁ ଧନ୍ୟବାଦ। ମୋର ତାଙ୍କୁ ଗୋଟିଏ ପରାମର୍ଶ ଅଛି। ଯଦି ଆପଣ କିଛି ଦିନ ପାଇଁ ଭାରତ ଯୋଡ ଯାତ୍ରାରେ ଯୋଗ ଦିଅନ୍ତି, ତେବେ ଏହା ଏକ ଭଲ ବାର୍ତ୍ତା ଦେବ।”

ତେବେ ଲାଲୁ ପ୍ରସାଦ ଯାଦବ ମଙ୍ଗଳବାର ଦିନ ଚିକିତ୍ସା ପାଇଁ ସିଙ୍ଗାପୁର ଯିବେ ବୋଲି ଜଣା ପଡିଛି । ତେବେ ଦିଗବିଜୟଙ୍କ ସାମାଜିକ ଗଣମାଧ୍ୟମରେ ଏହି ଖୋଲା ନିମନ୍ତ୍ରଣକୁ ଲାଲୁ ରକ୍ଷା କରୁଛନ୍ତି କି ନାହିଁ ଦେଖିବାକୁ ବାକି ରହିଲା।

Related Posts