ଧାମନଗର ଉପନିର୍ବାଚନ: ତାରିଖ ଘୋଷଣା କଲେ ନିର୍ବାଚନ କମିଶନ

ଭୁବନେଶ୍ୱର : ଧାମନଗର ଉପନିର୍ବାଚନ ପାଇଁ ଘୋଷଣା ହେଲା ତାରିଖ । ନିର୍ବାଚନ କମିଶନ ତାରିଖ ଘୋଷଣା କରିଛନ୍ତି । ନଭେମ୍ବର ୩ରେ ହେବ ଉପନିର୍ବାଚନ। ଏନେଇ ଅକ୍ଟୋବର ୭ରେ ପ୍ରକାଶ ପାଇବ ବିଧିବଦ୍ଧ ବିଜ୍ଞପ୍ତି।

ନିର୍ବାଚନ କମିଶନଙ୍କ ଘୋଷଣା ଅନୁଯାୟୀ, ଏହି ଉପନିର୍ବାଚନ ପାଇଁ ନାମାଙ୍କନ ଦାଖଲର ଶେଷ ତାରିଖ ଅକ୍ଟୋବର ୧୪ ରହିଛି। ଅକ୍ଟୋବର ୧୫ରେ ପ୍ରାର୍ଥିପତ୍ର ଯାଞ୍ଚ କରାଯିବ। ଅକ୍ଟୋବର ୧୭ ହେଉଛି ନାମାଙ୍କନ ପ୍ରତ୍ୟାହାର କରିବାର ଶେଷ ତାରିଖ। ନଭେମ୍ବର ୩ରେ ଭୋଟ୍ ଗ୍ରହଣ ହେବ। ୬ ତାରିଖରେ ଭୋଟ୍ ଗଣତି ହୋଇ ଫଳ ପ୍ରକାଶ ପାଇବ।

ଗତ ସେପ୍ଟେମ୍ବର ୧୯ ତାରିଖରେ ଧାମନଗର ବିଧାୟକ ତଥା ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀଙ୍କର ପରଲୋକ ହୋଇଥିଲା। ଏହା ପରଠୁ ଏହି ଆସନଟି ଖାଲି ପଡ଼ିଛି।

ବିଷ୍ଣୁ ସେଠୀ ପ୍ରାୟ ବର୍ଷେ ଧରି କିଡ୍‌ନୀ ରୋଗରେ ପୀଡ଼ିତ ଥିଲେ। ତାଙ୍କର ନିୟମିତ ଡାଇଲିସିସ୍ ଚାଲିଥିଲା। ତେବେ ପରେ ଫୁସ୍‌ଫୁସ୍‌ ସଂକ୍ରମଣ ଓ ବ୍ରେନ୍ ଷ୍ଟ୍ରୋକ୍ ହେବାରୁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ପ୍ରାୟ ମାସେ ଧରି ସେଠାରେ ତାଙ୍କର ଚିକିତ୍ସା ଚାଲିଥିବା ବେଳେ ଗତ ସେପ୍ଟେମ୍ବର ୧୯ ତାରିଖରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୬୧ ବର୍ଷ ହୋଇଥିଲା।

ଧାମନଗର ଉପନିର୍ବାଚନ ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ଏବେ କେଉଁ ଦଳ କାହାକୁ ପ୍ରାର୍ଥୀ କରିବ, ସେ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି ।

Related Posts