
ଭଦ୍ରକ: ଧାମନଗର ଉପନିର୍ବାଚନ ପାଇଁ ବାଜି ସାରିଛି ନିର୍ବାଚନ ବୀଗୁଲ୍ । ଏନେଇ ଭାରତୀୟ ଜନତା ପାର୍ଟି ନିଜର ପ୍ରାର୍ଥୀ ଘୋଷଣା କରିଛି। ସୂର୍ଯ୍ୟବଂଶୀ ସୂରଜଙ୍କୁ ବିଜେପି ପ୍ରାର୍ଥୀ କରିଛି। ଏନେଇ ବିଜେପି କନ୍ଦ୍ରେୀୟ ନିର୍ବାଚନ କମିଟି ଆଜି ବିଜ୍ଞପ୍ତି ଜାରି କରି ସୂଚନା ଦେଇଛି।
ସୂଚନାଯୋଗ୍ୟ, ଦିବଂଗତ ବିଧାୟକ ବିଷ୍ଣୁ ସେଠୀଙ୍କ ପୁଅ ହେଉଛନ୍ତି ସୂର୍ଯ୍ୟବଂଶୀ ସୂରଜ। ସେ ହେଉଛନ୍ତି ବିଜେପି ରାଜ୍ୟ ସୋସିଆଲ ମିଡିଆ କୋର୍ଡିନେଟର। ଗତ ସାଧାରଣ ନିର୍ବାଚନ ସମୟରେ ସେ ଇଂଜିନିୟରିଂ ଚାକିରି ଛାଡ଼ି ବାପାଙ୍କ ରାଜନୈତିକ ଜୀବନରେ ସହଯୋଗ କରିଥିଲେ। ଏଥି ସହିତ ସେ ସାଂଗଠନିକ କାମ ମଧ୍ୟ ବୁଝୁଥିଲେ। ଧାମନଗର ନିର୍ବାଚନ ମଣ୍ଡଳୀରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଉଥିଲେ।
ଜଣେ ଯୁବନେତା ଓ ଯୁବସଂଗଠକ ଭାବେ ତାଙ୍କର ସାରା ଭଦ୍ରକ ଜିଲ୍ଲାରେ ସୁନାମ ରହିଛି। ଆସନ୍ତା ନଭେମ୍ବର ୩ ତାରିଖରେ ଧାମନଗର ଉପନିର୍ବାଚନ ପାଇଁ ମତଦାନ ହେବ। ଏଥି ପାଇଁ ବିଜେପି ପ୍ରଥମ ରାଜନୈତିକ ଦଳ ଭାବେ ନିଜର ପ୍ରାର୍ଥୀ ଘୋଷଣା କରିଥିବା ବେଳେ ଅନ୍ୟ ଦଳମାନେ ମଧ୍ୟ ଖୁବ ଶୀଘ୍ର ପ୍ରାର୍ଥୀ ଘୋଷଣା କରିବେ ବୋଲି ଆଶା କରାଯାଉଛି ।