ଧାମନଗର ଉପନିର୍ବାଚନ: ଦୁଇ ଦିନ ଧରି ପଦଯାତ୍ରା କରିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: ଧାମନଗର ଉପନିର୍ବାଚନ ପାଇଁ ଜମିଛି ପ୍ରଚାର ମଇଦାନ । ହେବିୱେଟ୍ ନେତା ପ୍ରଚାର ମଇଦାନକୁ ଓହ୍ଲେଇ ନିଜ ଦଳୀୟ ନେତାଙ୍କ ପାଇଁ ଭୋଟ ମାଗିଛନ୍ତି । ତେବେ ଏହାରି ମଧ୍ୟରେ ଆସନ୍ତାକାଲି ଠାରୁ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିର୍ବାଚନମଣ୍ଡଳୀରେ ଦଳୀୟ ପ୍ରାର୍ଥୀ ତଥା ବିରୋଧୀ ଦଳର ଉପନେତା ଦିବଙ୍ଗତ ବିଷ୍ଣୁ ସେଠୀଙ୍କ ସୁପୁତ୍ର ସୂର୍ଯ୍ୟବଂଶୀ ସୂରଜଙ୍କ ପାଇଁ ପଦଯାତ୍ରା ମାଧ୍ୟମରେ ପ୍ରଚାର କରିବେ। କେନ୍ଦ୍ରମନ୍ତ୍ରୀ ଯୁବ ନେତା ସୂର୍ଯ୍ୟବଂଶୀ ସୂରଜଙ୍କ ପାଇଁ ମତଦାତାଙ୍କୁ ଭୋଟ୍‌ ମାଗିବେ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଅକ୍ଟୋବର ୨୮ ଓ ୨୯ ତାରିଖ ଦୁଇ ଦିନ ଧରି ଧାମନଗର ନିର୍ବାଚନମଣ୍ଡଳୀର ବିଭିନ୍ନ ପଞ୍ଚାୟତରେ ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ । କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଧାମନଗର ବ୍ଲକର ଦୋବଲ ବଜାରରୁ ପଦଯାତ୍ରା ଆରମ୍ଭ କରି ଧାମନଗର ଏନଏସିର ମେଡିକାଲ ବଜାର, କୋଠାର ଗ୍ରାମ ପଞ୍ଚାୟତର କୋଠାର ଛକ ଓ ଅସୁରାଳୀରେ ପ୍ରଚାର କରିବେ। ପରେ ସହିଦନଗରସ୍ଥିତ ଲୁଣିଆ ସହିଦ ପୀଠରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ପରେ ସେହି ସ୍ଥାନରେ ଶ୍ରୀ ପ୍ରଧାନଙ୍କ ପ୍ରଚାର କରିବାର କାର୍ଯ୍ୟକ୍ରମ ରହିଛି ।

ସେହିପରି ଅକ୍ଟୋବର ୨୯ରେ ତିହିଡି ବ୍ଲକର ପାଳିଆ ବଜାର, ଗୌମାଳା ଓ ବୋଡାକ ଠାରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପଦଯାତ୍ରା ମାଧ୍ୟମରେ ନିର୍ବାଚନ ପ୍ରଚାର କରିବାର କାର୍ଯ୍ୟକ୍ରମ ରହିଛି ।

Related Posts