ମୁଖ୍ୟମନ୍ତ୍ରୀଙ୍କୁ ଧର୍ମେନ୍ଦ୍ରଙ୍କ ୩ ପ୍ରଶ୍ନ

ଜି.ଡି ଡାଗା କିଏ ?

କୋଲ ବ୍ଲକ ଆବଣ୍ଟନରେ ସମ୍ପୃକ୍ତି ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଆଜି ତିନୋଟି ପ୍ରଶ୍ନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଖଣି ଲିଜ ଦିଆଯାଇଥିବା ମହାରାଷ୍ଟ୍ରର ଜି.ଡି ଡାଗା କିଏ? ଏହି ମାମଲାରେ ନବୀନଙ୍କୁ ସିବିଆଇ ଜେରା କରିଛି କି ନାହିଁ? ନାମାଙ୍କନ ସତ୍ୟପାଠରେ ନବୀନ ଏହାକୁ ଉଲ୍ଲେଖ କରିଛନ୍ତି କି ନାହିଁ ? ଏହି ପ୍ରଶ୍ନକୁ ନବୀନଙ୍କ ପାଇଁ ଛାଡ଼ିଛନ୍ତି ଧର୍ମେନ୍ଦ୍ର । ଯେପର୍ଯ୍ୟନ୍ତ ଏହାର ଉତର ନ ମିଳିଥିବା ସେ ପର୍ଯ୍ୟନ୍ତ ବାରମ୍ବାର ପ୍ରଶ୍ନ କରାଯିବ ବୋଲି ଧର୍ମେନ୍ଦ୍ର ଆଜି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଆୟୋଜିତ ଏକ ସମ୍ବାଦିକ ସମ୍ମିଳନୀରେ କହିଛନ୍ତି ।

୧୯୯୯ରେ ପଞ୍ଜିକୃତ ହୋଇଥିବା କମ୍ପାନୀକୁ ୧୯୯୮ରେ କୋଇଲା ଖଣି ଦେଇଛନ୍ତି ତକ୍ରାଳୀନ କେନ୍ଦ୍ର ଇସ୍ପାତ ଓ ଖଣି ମନ୍ତ୍ରୀ ନବୀନ ପଟ୍ଟନାୟକ । ସିବିଆଇ ଅନୁସାରେ ଭୂତ କମ୍ପାନୀକୁ କୋଇଲା ଖଣି ଲିଜ ଦେଇଛନ୍ତି । ୧୯୯୮ ମସିହାରେ ଏମ/ଏସ ସେଣ୍ଟ୍ରାଲ କୋଲିଆରିଜ୍ କୋ. ଲିମିଟେଡକୁ କୋଇଲା ଖଣି ମିଳିଥିଲା । ମହାରାଷ୍ଟ୍ର ତକଲି-ଜେନା ବେଲୋରା କୋଲ ଫିଲ୍ଡକୁ କମ୍ପାନୀକୁ ଦିଆଯାଇଥିଲା । କିନ୍ତୁ ପଞ୍ଜିକୃତ ହେବା ପୂର୍ବରୁ କମ୍ପାନୀକୁ ଏହି କୋଇଲା ଖଣି ମିଳିଛି ବୋଲି ସିବିଆଇ କହିଛି । ନାଗପୁରର ଜି.ଡି ଡାଗାଙ୍କ କମ୍ପାନୀକୁ ଖଣି ଲିଜ ଦିଆଯାଇଛି । ତେଣୁ ପ୍ରଥମ ପ୍ରଶ୍ନ ଧର୍ମେନ୍ଦ୍ର ପଚାରିଛନ୍ତି,”ଏ ଜି.ଡି ଡାଗା କିଏ ?

ସେହିପରି ଏହି ମାମଲାରେ ମୁଖ୍ୟମନ୍ତ୍ରୀଙ୍କୁ ସିବିଆଇ ଜେରା କରିଛି କି ନାହିଁ ବୋଲି ପ୍ରଶ୍ନ କରିଛନ୍ତି । ଏହା ସହିତ ମୁଖ୍ୟମନ୍ତ୍ରୀ ଦାଖଲ କରିଥିବା ନାମାଙ୍କନ ସତ୍ୟପାଠରେ ଏ ନେଇ କହିଛନ୍ତି କି ନାହିଁ ଧର୍ମେନ୍ଦ୍ର ପ୍ରଶ୍ନ କରିଛନ୍ତି । ଧର୍ମେନ୍ଦ୍ର କହିଥିଲେ ଯେ ମୁଖ୍ୟମନ୍ତ୍ରୀ ଏହି ତିନିଟି ପ୍ରଶ୍ନର ଉତର ନ ଦେବା ଯାଏ ବିଜେପି ପକ୍ଷରୁ ବିଭିନ୍ନ ସଭାରେ ବାରମ୍ବାର ଏହି ପ୍ରଶ୍ନ ପଚରାଯିବ ।

ଶ୍ରୀ ପ୍ରଧାନ କହିଥିଲେ ଯେ ୧୯୯୮ ମସିହାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱଳ୍ପ ସମୟ ପାଇଁ କେନ୍ଦ୍ରରେ କୋଇଲା ମନ୍ତ୍ରୀ ଥିବା ବେଳେ ନାଗପୁରର ଏକ ଭୂତ କମ୍ପାନୀକୁ କୋଲ ବ୍ଲକ ଆବଣ୍ଟନ କରିଥିଲେ । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସେତେବେଳେ ଏ କମ୍ପାନୀ ପଞ୍ଜୀକୃତ ହୋଇ ନଥିଲା । ୧୯୯୯ ମସିହା ଜାନୁଆରୀ ମାସରେ ଏ କମ୍ପାନୀ ପଞ୍ଜୀକୃତ ହୋଇଥିଲା । ତେଣୁ ପ୍ରଶ୍ନ ଉଠୁଛି କେଉଁ ସ୍ୱାର୍ଥ ରଖି ସେ ଏକ ପଞ୍ଜୀକୃତ ହୋଇନଥିବା କମ୍ପାନୀକୁ କୋଲ ବ୍ଲକ ଦେଇଥିଲେ?

ଶ୍ରୀ ପ୍ରଧାନ ଆହୁରି କହିଥିଲେ ଯେ ୨୦୧୪ ମସିହାରେ ସିବିଆଇ ଏହି କୋଲ ବ୍ଲକ ଆବଣ୍ଟନରେ ଅନିୟମିତତା ହୋଇଥିବା ନେଇ ଏଫଆଇଆର ରୁଜୁ କରିଥିଲା । ସେତେବେଳେ କେନ୍ଦ୍ରରେ ନରେନ୍ଦ୍ର ମୋଦୀଙ୍କ ସରକାର ନଥିଲା । ସେତେବେଳେ ମନମୋହନ ସିଂହଙ୍କ ସରକାର ଥିଲା । ୨୦୧୭ ନଭେମ୍ବର ୨୫ ତାରିଖରେ ସିବିଆଇ ପୂର୍ବ ନୋଟିସ ଅନୁଯାୟୀ ନବୀନ ପଟ୍ଟନାୟକଙ୍କୁ ଜେରା କରିଥିଲା । ସେ କହିଥିଲେ ଯେ ନିଜ ନାଁରେ ଅପରାଧିକ ମାମଲା ଥିବା କଥା ଜାଣି ସୁଦ୍ଧା ମୁଖ୍ୟମନ୍ତ୍ରୀ କାହିଁକି ସେ କଥା ତାଙ୍କ ସତ୍ୟପାଠରେ ଉଲ୍ଲେଖ କଲେ ନାହିଁ? ଏ ସମ୍ପର୍କରେ ରିଟର୍ଣ୍ଣିଂ ଅଫିସର ଅସ୍ପଷ୍ଟ ପ୍ରତିକ୍ରିୟା ରଖିଛନ୍ତି । ବିଜେପି ଏ ପ୍ରସଙ୍ଗରେ ଆଇନର ଦ୍ୱାରସ୍ଥ ହେବ ।

ଅନ୍ୟପକ୍ଷରେ ବିଜେଡି ଏକ ସାମ୍ବାଦିକ ସମ୍ମିଳନୀ କରି ଧର୍ମେନ୍ଦ୍ରଙ୍କୁ ପ୍ରଶ୍ନ କରିଛି । ଧର୍ମେନ୍ଦ୍ର ନବୀନଙ୍କୁ ପଚାରିଥିବା ପ୍ରଶ୍ନର ଉତର ଦେବା ବଦଳରେ ବିଜେଡି ଓଲଟି ତାଙ୍କୁ ପ୍ରଶ୍ନ କରିଛି । ବିଜେଡି ପଚାରିଛି ଯେ ବ୍ୟାପମ ଅଭିଯୁକ୍ତ ସୁଧୀର ଶର୍ମା ସହ କେନ୍ଦ୍ରମନ୍ତ୍ରୀଙ୍କର ସମ୍ପର୍କ ଅଛି କି ନାହିଁ? ଲକ୍ଷ୍ମୀଦତ ହତ୍ୟାକାଣ୍ଡ ଘଟଣାରେ ଅଭିଯୁକ୍ତଙ୍କ ପାଇଁ ଗେଷ୍ଟ ହାଉସ୍ ବୁକିଂରେ ଆପଣଙ୍କ ଲିଙ୍କ ଅଛି କି ନାହିଁ? କଟକର ୨ ଗ୍ୟାଙ୍ଗଷ୍ଟରଙ୍କ ସହ ଆପଣଙ୍କର କି ସମ୍ପର୍କ ଥିଲା? ସେହିଭଳି ଗ୍ୟାଙ୍ଗଷ୍ଟର ଟିଟୋକୁ ପେଟ୍ରୋଲ ପମ୍ପ ଆବଣ୍ଟନ ନେଇ ମଧ୍ୟ ବିଜେଡି ପ୍ରଶ୍ନ କରିଛି । ଦଳ କହିଛି ଯେ ୨ ବର୍ଷ ହେଲାଣି ଏହି ଆବଣ୍ଟନର ତଦନ୍ତ ସିବିଆଇ କରୁଛି, କିନ୍ତୁ ଫଳ ଶୂନ ।

Related Posts