ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଆଇଜିଆଇଟି ସରାଙ୍ଗକୁ ‘ଏକକ ବିଶ୍ଵବିଦ୍ୟାଳୟ ମାନ୍ୟତା’ ଦେବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଭିସୁଟ ଓ ଓୟୁଟିଆର ଭଳି ଆଇଜିଆଇଟି ସରାଙ୍ଗକୁ ମଧ୍ୟ ସମାନ ଭାବେ ଅପଗ୍ରେଡ୍ କରିବା ପାଇଁ ପ୍ରସ୍ତାବ ଦିଆଯାଇଛି। ୧୯୮୨ରେ ପ୍ରତିଷ୍ଠିତ ଆଇଜିଆଇଟି ସରାଙ୍ଗ ୟୁଜିସି ଦ୍ୱାରା ସ୍ଵୟଂଶାସିତ ଏବଂ ଏଆଇସିଟିଇ ଓ ଏନବିଏ ଦ୍ୱାରା ସ୍ୱୀକୃତିପ୍ରାପ୍ତ। ଓଡ଼ିଶାର ବୈଷୟିକ ଶିକ୍ଷା କ୍ଷେତ୍ରର ବିକାଶ ତଥା ଢେଙ୍କାନାଳ ଓ ଅନୁଗୋଳ ଭଳି ଶିଳ୍ପାଞ୍ଚଳର ପ୍ରଗତି ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଢେଙ୍କାନାଳ ଜିଲ୍ଲାର ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନ ‘ଇନ୍ଦିରା ଗାନ୍ଧୀ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି’ (ଆଇଜିଆଇଟି), ସରାଙ୍ଗକୁ ଏକ ସ୍ଵତନ୍ତ୍ର ଏକକ ବିଶ୍ଵବିଦ୍ୟାଳୟ ଭାବେ ଅପଗ୍ରେଡ୍ କରିବା ପାଇଁ ସେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ପତ୍ର ଲେଖି ଅନୁରୋଧ କରିଛନ୍ତି। ଶ୍ରୀ ପ୍ରଧାନ ନିଜ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ, ଓଡ଼ିଶା ସରକାରଙ୍କ ବଜେଟ୍ ୨୦୨୬-୨୭ରେ ବୁର୍ଲାର ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ (ଭିସୁଟ) ଏବଂ ଭୁବନେଶ୍ୱରର ଓଡ଼ିଶା ବୈଷୟିକ ଓ ଗବେଷଣା ବିଶ୍ୱବିଦ୍ୟାଳୟ(ଓୟୁଟିଆର)କୁ ବିଶ୍ୱସ୍ତରୀୟ ବୈଷୟିକ ବିଶ୍ୱବିଦ୍ୟାଳୟରେ ପରିବର୍ତ୍ତନ କରିବା ପାଇଁ ନିଆଯାଇଥିବା ନିଷ୍ପତ୍ତି ପ୍ରଶଂସନୀୟ । ଏହି କ୍ରମରେ ଆଇଜିଆଇଟି, ସରାଙ୍ଗକୁ ମଧ୍ୟ ସମାନ ଭାବେ ଉନ୍ନତ କରାଯିବା ଆବଶ୍ୟକ ବୋଲି ସେ ପ୍ରସ୍ତାବ ଦେଇଛନ୍ତି। ଶ୍ରୀ ପ୍ରଧାନ ପତ୍ରରେ ଉଲ୍ଲେଖ କରିଛନ୍ତି, ୧୯୮୨ ମସିହାରେ ପ୍ରତିଷ୍ଠିତ ଏହି ଅନୁଷ୍ଠାନର ପ୍ରାୟ ୪୫ ବର୍ଷର ଏକ ସମୃଦ୍ଧ ସେବା ଓ ଗୌରବର ଇତିହାସ ରହିଛି । ଏହା ସହିତ ଏହି ଅନୁଷ୍ଠାନ ବୈଷୟିକ ଶିକ୍ଷା ଗୁଣବତ୍ତା ସୁଧାର କାର୍ଯ୍ୟକ୍ରମ (ଟିଇକ୍ୟୁଆଇପି) ଦ୍ୱାରା ମଧ୍ୟ ସହାୟତା ପ୍ରାପ୍ତ, ଯାହା ଏହାର ଶିକ୍ଷାଗତ ବିଶ୍ୱସନୀୟତା ଓ ସାଂଗଠନିକ ଦକ୍ଷତାକୁ ଦର୍ଶାଉଛି।
ଏହି ପ୍ରତିଷ୍ଠିତ ଅନୁଷ୍ଠାନରେ ପିଏଚ.ଡି, ଏମ.ଟେକ, ଏମସିଏ, ବି.ଟେକ, ବ୍ୟାଚଲର ଅଫ୍ ଆର୍କିଟେକଚର , ଏମ.ଏସସି ଏବଂ ଡିପ୍ଲୋମା ଭଳି ବିଭିନ୍ନ ଉଚ୍ଚକୋଟୀର ପାଠ୍ୟକ୍ରମର ସୁବିଧା ରହିଛି। ଏସବୁ ଯୋଗ୍ୟତାସମ୍ପନ୍ନ ଓ ଅଭିଜ୍ଞ ଅଧ୍ୟାପକ ତଥା ଦୃଢ଼ ଏକାଡେମିକ ଭିତ୍ତିଭୂମି ଦ୍ୱାରା ପରିଚାଳିତ ହେଉଛି । ଛାତ୍ରଛାତ୍ରୀଙ୍କ ଉନ୍ନତ ଭବିଷ୍ୟତ ପାଇଁ ଏହି ଅନୁଷ୍ଠାନ ଆଇଆଇଟି, ବମ୍ବେ ସହ ଏହାର ‘ଭର୍ଚ୍ଚୁଆଲ ଲ୍ୟାବ୍’ କାର୍ଯ୍ୟକ୍ରମ ପାଇଁ ଏବଂ ଭାରତୀୟ ପାଣିପାଗ ବିଭାଗ (ଆଇଏଡି) ସହ ଇଣ୍ଟର୍ନସିପ୍ ସୁଯୋଗ କ୍ଷେତ୍ରରେ ସଫଳତାର ସହ ଭାଗିଦାରୀ ରଖିଛି।
ଆଇଜିଆଇଟି ସରାଙ୍ଗ, ଢେଙ୍କାନାଳ ଏବଂ ଅନୁଗୋଳର ବୃହତ ଶିଳ୍ପାଞ୍ଚଳ ମଧ୍ୟରେ ଅବସ୍ଥିତ ଥିବାରୁ ଏହା ଶିଳ୍ପ ଆଧାରିତ ଜ୍ଞାନ, ଗବେଷଣା, ଇନୋଭେସନ ମାଧ୍ୟମରେ ସ୍ଥାନୀୟ ଶିଳ୍ପ ପରିସଂସ୍ଥାନକୁ ଅଧିକ ବ୍ୟାପକ କରାଇବାର ମଧ୍ୟ ସମ୍ଭାବନା ରଖୁଛି । ଏହାକୁ ଏକକ ବିଶ୍ଵବିଦ୍ୟାଳୟ ରୂପେ ଗଢ଼ିତୋଳିଲେ ଅନୁଷ୍ଠାନର ଏକାଡେମିକ ସ୍ୱାୟତ୍ତତା ବୃଦ୍ଧି ପାଇବ, ଉନ୍ନତ ଗବେଷଣା ଓ ଇନୋଭସନକୁ ପ୍ରୋତ୍ସାହନ ମିଳିବ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି । ‘ବିକଶିତ ଓଡ଼ିଶା ୨୦୩୬’ର ସଂକଳ୍ପ ଅନୁଯାୟୀ ଏହି ଅନୁଷ୍ଠାନକୁ ଅନ୍ତର୍ଜାତୀୟ ବୈଷୟିକ ଶିକ୍ଷାର ଏକ ପ୍ରମୁଖ କେନ୍ଦ୍ର ଭାବେ ପ୍ରତିଷ୍ଠିତ କରାଯାଇପାରିବ ବୋଲି ଶ୍ରୀ ପ୍ରଧାନ ପତ୍ରରେ ଉଲ୍ଲେଖ କରିଛନ୍ତି ।
