୫୦ ବର୍ଷ ପୂରଣ କରିଛି ଧଉଳି ଶାନ୍ତିସ୍ତୁପ: 28ରେ ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ପାଳନ କରିବାକୁ ପ୍ରସ୍ତୁତି ଆରମ୍ଭ

ଭୁବନେଶ୍ବର : ୫୦ ବର୍ଷ ପୂରଣ କରିବ ଧଉଳି ବିଶ୍ୱବିଦିତ ଶାନ୍ତିସ୍ତୁପ ଓ ବୌଦ୍ଧ ପୁଣ୍ୟପୀଠ । ୧୯୭୨ ମସିହାରେ ପ୍ରତିଷ୍ଠିତ ହୋଇଥିଲା । ଏହାକୁ ସ୍ମରଣୀୟ କରିବା ପାଇଁ ସରକାର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ପାଳନ କରିବାକୁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଅକ୍ଟୋବର ୨୮ ତାରିଖ ଦିନ ଏକ ସମାରୋହ ଆୟୋଜିତ ହେବାକୁ ଯୋଜନା ହୋଇଛି। ଏଥିରେ ପୃଥିବୀର ବିଭିନ୍ନ ଦେଶରୁ ପ୍ରାୟ ୧୫୦ ବୌଦ୍ଧ ସନ୍ୟାସୀ ଯୋଗଦେବେ। ସମାରୋହ ଦିନ ଭୁବନେଶ୍ୱରରୁ ଧଉଳି ପର୍ଯ୍ୟନ୍ତ ଏହି ସନ୍ୟାସୀମାନଙ୍କୁ ନେଇ ଏକ ଶାନ୍ତି ଶୋଭାଯାତ୍ରା ଆୟୋଜିତ ହେବ। ଏହି ମହୋତ୍ସବର ପ୍ରସ୍ତୁତି ସମ୍ପର୍କରେ ଆଜି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ସମୀକ୍ଷା କରିଛନ୍ତି।

ଲୋକସେବା ଭବନ ସଭାଗୃହରେ ଅନୁଷ୍ଠିତ ଏହି ବୈଠକରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ମଧୁସୂଦନ ପାଢ଼ୀ ଏଯାବତ୍‌ ହୋଇଥିବା ପ୍ରସ୍ତୁତି ସମ୍ପର୍କରେ ସୂଚନା ଦେଇଥିଲେ। ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର କହିଥିଲେ ଯେ ଓଡ଼ିଶାର ଅନ୍ୟ ଏକ ପରିଚୟ ତଥା ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ର ବିନ୍ଦୁ ଧଉଳି ଶାନ୍ତିସ୍ତୁପର ସୁବର୍ଣ୍ଣ ଜୟନ୍ତୀ ସମାରୋହ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଧଉଳି ଉନ୍ନୟନ କମିଟି ଆୟୋଜନ କରିବ। ଏଥିପାଇଁ ରାଜ୍ୟ ସରକାର ସମସ୍ତ ପ୍ରକାର ଆର୍ଥିକ ଓ ପ୍ରାଶାସନିକ ସହଯୋଗ ଯୋଗାଇ ଦେବେ। ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ମାଧ୍ୟମରେ ସୁବର୍ଣ୍ଣ ଜୟନ୍ତୀ ପାଳନ ପାଇଁ ସବିଶେଷ ଯୋଜନା ଓ ଖର୍ଚ୍ଚ ଆକଳନ କରି ଧଉଳି ଉନ୍ନୟନ କମିଟି ସରକାରଙ୍କ ନିକଟରେ ରିପୋର୍ଟ ଦାଖଲ କରିବ। କମିଟି ଧଉଳିରେ ଥିବା ପର୍ଯ୍ୟଟକ ସୁବିଧା କେନ୍ଦ୍ର, ରାସ୍ତା ଆଲୋକ ଆଦିର ରକ୍ଷଣାବେକ୍ଷଣ ଓ ପରିସରର ପରିଚ୍ଛନ୍ନତା ଆଦି କାର୍ଯ୍ୟ ନିୟମିତ କରିବ। ଏଥିପାଇଁ କମିଟି ପ୍ରବେଶ ଟିକେଟ ଓ ପାର୍କିଂ ଦେୟରୁ ଟଙ୍କା ଖର୍ଚ୍ଚ କରିପାରିବ ବୋଲି ଶ୍ରୀ ମହାପାତ୍ର କହିଛନ୍ତି।

ପ୍ରାୟ ୧.୮୭ କୋଟି ଟଙ୍କା ବ୍ୟୟରେ ସରକାର ଶାନ୍ତିସ୍ତୁପ ସଂରକ୍ଷଣ ଓ ସୌନ୍ଦର୍ଯ୍ୟକରଣ କାମ କରୁଛନ୍ତି। ଚଳିତ ମାସ ଶେଷ ସୁଦ୍ଧା ଏହି କାମ ସାରିବା ପାଇଁ ଶ୍ରୀ ମହାପାତ୍ର ପୂର୍ତ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ଶାନ୍ତିସ୍ତୁପକୁ ସଂଯୋଗ କରୁଥିବା ପ୍ରତିଟି ରାସ୍ତାର ନବୀକରଣ ଓ ଆଲୋକୀକରଣ କାର୍ଯ୍ୟ ତୁରନ୍ତ ସାରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଶାନ୍ତିସ୍ତୁପ ପାଦଦେଶରେ ଥିବ‌େ ପ୍ଲାଟଫର୍ମର ନବୀକରଣ, ଆଲୋକ ଏବଂ ଶବ୍ଦ ପ୍ରଦର୍ଶନୀର ନବୀକରଣ ଏବଂ ପୁନଃଆରମ୍ଭ, ଦୁରରୁ ସ୍ତୁପର ଦୃଶ୍ୟକୁ ଅବରୋଧ କରୁଥିବା ବୃକ୍ଷଡାଳ ଆଦି କାଟିବା, ରାସ୍ତା ଆଲୋକୀକରଣ, ହସ୍ତଶିଳ୍ପ ବଜାର ଏବଂ ସପିଂକମ୍ପ୍ଲେକ୍ସକୁ ଉପଯୁକ୍ତ ଯାଗାକୁ ସ୍ଥାନାନ୍ତର କରିବାକୁ ଯୋଜନା ହୋଇଛି।

Related Posts