“ଟେଷ୍ଟ ଦଳର ଅଧିନାୟକତ୍ୱ ଛାଡିବା ବେଳେ କେବଳ ଧୋନୀ ହିଁ ମୋତେ ମେସେଜ କରିଥିଲେ”: ବିରାଟ କୋହଲି

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଚଳିତ ଏସିଆ କପର ସୁପର-୪ ରାଉଣ୍ଡର ପ୍ରଥମ ମ୍ୟାଚରେ ଭାରତକୁ ପରାଜୟର ସାମ୍ନା କରିବାକୁ ପଡିଛି। ପାକିସ୍ତାନ ଦଳ ଲିଗ୍ ପର୍ଯ୍ୟାୟ ପରାଜୟର ପ୍ରତିଶୋଧ ନେଇ ଭାରତକୁ ପାଞ୍ଚ ଉଇକେଟରେ ପରାସ୍ତ କରିଛି। ଏହି ମ୍ୟାଚ୍‌ରେ ଭାରତର ଅଧିକାଂଶ ବ୍ୟାଟ୍ସମ୍ୟାନ ଭଲ ଆରମ୍ଭ କରିଥିଲେ ସୁଦ୍ଧା ପରେ ଖରାପ ସଟ ଖେଳି ଆଉଟ୍‌ ହୋଇଥିଲେ । ହେଲେ ବିରାଟ କୋହଲି ୬୦ ରନ୍‌ର ଏକ ଭଲ ଇନିଂସ ଖେଳି ଫର୍ମକୁ ଫେରିବାର ସୂଚନା ଦେଇଥିଲେ।

ମ୍ୟାଚ ପରେ କୋହଲି ସାମ୍ବାଦିକ ସମ୍ମିଳନୀରେ ଅନେକ ପ୍ରଶ୍ନର ଉତ୍ତର ଦେଇଛନ୍ତି। ସେ କହିଛନ୍ତି, ଟେଷ୍ଟ ଦଳର ଅଧିନାୟକତ୍ୱ ଛାଡିବା ବେଳେ କେବଳ ମହେନ୍ଦ୍ର ସିଂ ଧୋନୀ ହିଁ ମୋତେ ମେସେଜ କରିଥିଲେ। ଏକଥା କହିବା ବେଳେ ସେ ଭାବପ୍ରବଣ ହୋଇଯାଇଥିଲେ। ସେ ଧୋନୀଙ୍କୁ ନେଇ ଆହୁରି କହିଛନ୍ତି ଯେ, ମୁଁ ତାଙ୍କଠାରୁ କିଛି ଚାହେଁ ନାହିଁ ଏବଂ ସେ ମୋ ଠାରୁ ମଧ୍ୟ କିଛି ଚାହାଁନ୍ତି ନାହିଁ। ମୁଁ ତାଙ୍କ ସହ କଦାପି ଅସୁରକ୍ଷିତ ନ ଥିଲି ଏବଂ ସେ ମଧ୍ୟ ମୋ ସହ ନ ଥିଲେ। ବହୁତ ଲୋକ ଅଛନ୍ତି ଯେଉଁମାନେ ମୋତେ କେବଳ ଟିଭିରେ ପରାମର୍ଶ ଦିଅନ୍ତି। ଯଦି ମୋର କାହାକୁ କିଛି କହିବାକୁ ଅଛି, ମୁଁ ବ୍ୟକ୍ତିଗତ ଭାବେ ଭେଟି କହିପାରିବି। ଯାହାର ପରାମର୍ଶ ଦେବାର ଅଛି ତ ମୋତେ ଭେଟିକି ଦେବା ଭଲ। ଟିଭିରେ ବସି କହିଲେ କୌଣସି ସୁଫଳ ମିଳିବ ନାହିଁ। ମୁଁ ସମସ୍ତଙ୍କ ସମ୍ମାନ କରେ। ଇଶ୍ବର ଆମକୁ ସବୁକିଛି ଦିଅନ୍ତି, ସଫଳତା ପାଇବା ପାଇଁ ମଧ୍ୟ ଭଗବାନ ଆମକୁ ସାହାଯ୍ୟ କରନ୍ତି ଏବଂ ଏସବୁ ତାଙ୍କ ହାତରେ ରହିଛି ବୋଲି କୋହଲି କହିଛନ୍ତି।

ସୂଚନାଯୋଗ୍ୟ ଯେ, କୋହଲି ଚଳିତ ବର୍ଷ ଜାନୁଆରୀ ମାସରେ ଟେଷ୍ଟ ଦଳର ଅଧିନାୟକତ୍ୱ ଛାଡିଥିଲେ। ଏହାକୁ ନେଇ ସେ ସମୟରେ ଅନେକ ଚର୍ଚ୍ଚା ହୋଇଥିଲା।

Related Posts