ଡାଏଲେସିସ ନିଦାନରେ ମିଳିଲାନି ଅକ୍ସିଜେନ ଆଖିବୁଝିଲେ ସ୍ତ୍ରୀ; ପଣ୍ଡିତ, ପୂଜାରୀ ଓ ପଟ୍ଟନାୟକ ଶୁଣିବେ କି ପ୍ରକାଶ ପ୍ରଧାନଙ୍କ କାହାଣୀ ?

ଭୁବନେଶ୍ୱର,୨୪/୫(ସତ୍ୟପାଠ ବ୍ୟୁରୋ): ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଓ ସ୍ୱାସ୍ଥ୍ୟ ବ୍ୟବସ୍ଥା ଯେ ଗୁରତର ଅସୁସ୍ଥ, ଶେଷରେ ଏକଥା ମାନିଛନ୍ତି ସରକାର । ସ୍ୱାସ୍ଥ୍ୟମନ୍ତ୍ରୀ ନିରଂଜନ ପୂଜାରୀଙ୍କ ଐତିହାସିକ ପ୍ରେସମିଟ୍ ସିନା ତାଙ୍କୁ ନିଜକୁ ଓ ତାଂକ ବସ୍ଂକୁ ଖୁସି ଦେଇଥିବ କିନ୍ତୁ ଏହା ବିଭାଗର ଦାରୁଣ ଅବ୍ୟବସ୍ଥାକୁ ସାମ୍ନାକୁ ଆଣିଛି । ସାମ୍ବାଦିକ ସମ୍ମିଳନୀରେ ମନ୍ତ୍ରୀ ନିରଂଜନ ପୂଜାରୀ ଓ ସଚିବ ଶାଳିନୀ ପଣ୍ଡିତ କହିଲେ ଡିସେମ୍ବର ସୁଦ୍ଧା ରାଜ୍ୟରେ ଗୋଟିଏବି ଡାକ୍ତର ପଦବୀ ଖାଲି ରହିବ ନାହିଁ, ବର୍ଷ ଶେଷସୁଦ୍ଧା ସବୁ ଡାକ୍ତରଖାନାରେ ଡାକ୍ତର ନିଯୁକ୍ତି କରାଯିବ । ତା ସହ ମନ୍ତ୍ରୀ କହିଛନ୍ତି ସମସ୍ତ ୩୦ ଟି ଯାକ ଜିଲ୍ଲାରେ ଏବେ ଡାଇଲେସିସ୍ ସେଣ୍ଟର ଖୋଲାଯାଇଛି । ହେଲେ କହିବା ଓ ଗ୍ରାଉଣ୍ଡରେ ଘଟିବା ଭିତରେ ପାର୍ଥକ୍ୟ ବୋଧହୁଏ ଦେଖିନାହାନ୍ତି ମନ୍ତ୍ରୀ । ଏହା ତାଙ୍କର ମିଛ ଥିଲା, ନା ବାହାସ୍ଫୋଟ ନା ସେ ଭୂଆଁ ବୁଲାଉଥିଲେ ତାକୁ ନେଇ ଉଠିଛି ପ୍ରଶ୍ନ ।

ଏଇଠି ଆମେ କହିବୁ ଭବାନିପାଟଣାର ପ୍ରକାଶ ପ୍ରଧାନଙ୍କ ଦୁଃଖ କାହାଣୀ ଯାହାକି କେବଳ କଳାହାଣ୍ଡି ନୁହଁ ପୁରା ରାଜ୍ୟ ସ୍ୱାସ୍ଥ୍ୟସେବାର କଳଙ୍କିତ କାହାଣୀର ଖୁଲାସା କରିଛନ୍ତି । ନିଜ ପତ୍ନୀଙ୍କ ସ୍ୱାସ୍ଥ୍ୟ ଓ ଦେହାନ୍ତକୁ ନେଇ ସୋସିଆଲ ମିଡିଆରେ ପ୍ରକାଶ ଯେଉଁ କ୍ଷୋଭଭରା ପୋଷ୍ଟ କରିଛନ୍ତି ତାହା ସରକାରୀ ସ୍ୱାସ୍ଥ୍ୟ ବିଭାଗ ଅପରାଗତାର ବୋଧହୁଏ ଭାତହାଣ୍ଡିରୁ ଗୋଟିଏ । ଜିଲ୍ଲାମାନଙ୍କରେ ସରକାର ଖୋଲିଥିବା ଡାଇଲେସିସ୍ କେନ୍ଦ୍ରରେ ସରକାରୀ ପ୍ରତାରଣାର ଖୋଲା ଚିଠି ଟିଏ ହେଉଛି ପ୍ରକାଶଙ୍କ ପୋଷ୍ଟ । ବାସ୍ତବରେ ସରକାର ନିଜେ କିଛି ଚଳାଉ ନାହାନ୍ତି । ସବୁଗୁଡ଼ା ଠିକାରେ ଦିଆଯାଇଛି । ଏମିତିକି ତାକୁ ଦେଖିବାକୁ ବି କେହି ନାହିଁ । ସେଠି ଅକ୍ସିଜେନ୍ ସିଲିଣ୍ଡରଟିଏ ନାହିଁ । ସରକାର, ବିଭାଗ, ମନ୍ତ୍ରୀ, ସଚିବ ସମସ୍ତେ କାଗଜ ପଢ଼ିବାରେ ବ୍ୟସ୍ତ । କୁହାଯାଇପାରେ ପଣ୍ଡିତ ଓ ପୂଜାରୀଙ୍କ ଗର୍ବ ଓ ବାହାସ୍ଫୋଟର ମାଧ୍ୟମ ହେଉଛି ଷ୍ଟାଟିଷ୍ଟିକ୍ସ । ପ୍ରକୃତରେ ସରକାର ଖୋଲିଥିବା କେନ୍ଦ୍ର କେମିତି ଅଛି, କେମିତି ଚାଲିଛି, କଣ ସେବା ମିଳୁଛି ତାକୁ ଦେଖା ହେଉନି କିନ୍ତୁ ମିଡ଼ିଆରେ ନିଜ ପିଠିକୁ ମନ୍ତ୍ରୀ, ସଚିବ ଯେଭଳି ଜୋରରେ ଥାପୁଡଉଛନ୍ତି ତାହା ଆହୁରି ଦୁର୍ଭାଗ୍ୟପୁର୍ଣ ।

ଡାଏଲେସିସ ନିଦାନର ସଂଖ୍ୟା ଦେଖା ହେଉଛି । କିନ୍ତୁ ନିଦାନର ଗୁଣବତ୍ତା ଦେଖାଯାଉନି । ପ୍ରକାଶଙ୍କ ଅଭିଯୋଗ ହେଲା, ତାଙ୍କ ପତ୍ନୀ କିଛି ମାସ ହେଲା ଡାଏଲେସିସ୍ କରୁଥିଲେ ଓ ସୁସ୍ଥ ଥିଲେ । ହେଲେ ଘଟଣାଦିନ ଡାଇଲେସିସ୍ ଚାଲୁଥିବା ସମୟରେ ହଠାତ ଅସୁସ୍ଥତା ବଢିବଲା ଏବଂ ସ୍ବାସ୍ଥ୍ୟବସ୍ଥା ବିଗିଡିବାରେ ଲାଗିଲା। ଦୁର୍ଭାଗ୍ୟର କଥା, ସେଠି ଯେଉଁ ଜଣେ ଟ୍ରେନଡ ନର୍ସ ଥିଲେ ତାଂକର ବ୍ୟବହାର ରୁକ୍ଷ ଥିଲା। ICU ରେ ଚିକିତ୍ସା ମିଳିଲା ନାହିଁ। ତାଂକ ପତ୍ନୀଂକର ଅକ୍ସିଜେନ ଲଗାଇବା ଜରୁରୀ ଥିଲା ମାତ୍ର ସେତେବେଳେ ଅକ୍ସିଜେନ ସିଲିଣ୍ଡର ବି ଡାଏଲେସିସ ସେଣ୍ଟରରେ ଉପଲବ୍ଧ ନ ଥିଲା। ଭେଣ୍ଟିଲେଟର ବି ନ ଥିଲା। ଯାହାକି ରହିବା ଆବଶ୍ୟକ। ଶେଷରେ ଅକ୍ସିଜ୍ନ ସିଲିଣ୍ଡର ରିକ୍ୟୁଜିସନ ହୋଇ ଆସିବା ବେଳକୁ ପ୍ରକାଶଂକ ପତ୍ନୀଂକର ମୃତ୍ୟୁ ହୋଇସାରିଥିଲା।ପ୍ରକାଶଂକ କହିବା କଥା ଯଦି କେହି ଏକ୍ସପର୍ଟ ଥାନ୍ତେ ଓ ଅକ୍ସିଜେନ ମିଳିଥାନ୍ତା ତେବେ ତାଂକ ପତ୍ନୀଂକର ଜୀବନ ବଂଚିଯାଇଥାନ୍ତା।

ଠିକାରେ ଚାଲିଥିବା ନିଦାନରେ ପୂର୍ଣ୍ଣମାତ୍ରାରେ ଏକ୍ସପର୍ଟ ନାହାନ୍ତି । ଯେଉଁ ନର୍ସ ଅଛନ୍ତି ସେ ଅତି ଖରାପ ବ୍ୟବହାର କରୁଛନ୍ତି । ଜୀବନ ବଞ୍ଚାଇବାକୁ ସେ ଅକ୍ସିଜେନ୍ ସିଲିଣ୍ଡରଟିଏ ଖୋଜିଥିଲେ କିନ୍ତୁ ସେଠାରେ ତାହା ନଥିଲା । ବରଂ ଅକ୍ସିଜେନ୍ ସିଲିଣ୍ଡର ରିକ୍ରୁଟ୍ ହୋଇ ଆସିବା ବେଳକୁ ରୋଗୀ ମରି ସାରିଲାଣି । ଏହାକୁ ଏଯାଏଁ କୌଣସି ବରିଷ୍ଠ ଅଧିକାରୀ ଏହାକୁ ଖଣ୍ଡନ କରିନାହାନ୍ତି, ତେଣୁ ଏହା ଯେ ଆପାତତଃ ସତ୍ୟ ତାହା ସ୍ପଷ୍ଟ ହୋଇଛି । ହଠାତ ଗୁରୁତର ରୋଗୀ ପାଇଁ ଆଟାଚ୍ ଆଇସିୟୁ ନାହିଁ କି ସେଥିରେ ବେଡ୍ ନାହିଁ ।

ରାଜ୍ୟ ସରକାରଙ୍କ ବିଫଳତା, ଅପରାଗତା ଓ ଦାୟିତ୍ୱହୀନତାର ଏ ନଗ୍ନଚିତ୍ର ଖାଲି ପ୍ରକାଶଙ୍କ କାହାଣୀ ଭିତରେ ନାହିଁ । ପ୍ରତିଦିନ ସରକାରୀ ପ୍ରତାରଣାରେ ଯୁଝିହେଉଥିବା ଅନେକଙ୍କର । ଗୋଟିଏ ପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହୁଛନ୍ତି ସ୍ୱାସ୍ଥ୍ୟସେବା ଅଭାବରୁ କାହାରିକୁ ମରିବାକୁ ଦିଆଯିବ ନାହିଁ । କିନ୍ତୁ ଅଭିଯୋଗ ଆସୁଛି ସେଇଠୁ, ଯେଉଁଠି ନବୀନ ନିଜେ କହିଥିଲେ ‘କଳାହାଣ୍ଡି ଆଉ ଭୋକର ଭୁଗୋଳ ନୁହେଁ ଏବେ ବିକାଶର ଭାତହାଣ୍ଡି’ । ସେଇ ବିକାଶର ଭାତହାଣ୍ଡିରୁ ଆସିଥିବା ଅଭିଯୋଗ ଉପରେ ପଣ୍ଡିତ, ପୂଜାରୀ କିମ୍ବା ପଟ୍ଟନାୟକ କଣ କରୁଛନ୍ତି ଦେଖିବାକୁ ବାକି ରହିଲା ।

Related Posts