ନବରଙ୍ଗପୁର : ନବରଙ୍ଗପୁର ବ୍ୟାପିଛି ଝାଡ଼ାବାନ୍ତି। ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଖାତିଗୁଡା ଅଞ୍ଚଳରେ ଲୋକେ ଝାଡ଼ାବାନ୍ତିରେ ଅକ୍ରାନ୍ତ ହୋଇଥିବା ନେଇ ସୂଚନା ମିଳିଛି । ଅକ୍ରାନ୍ତମାନେ ତେନ୍ତୁଳିଖୁଣ୍ଟି ଗୋଷ୍ଠିସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି ହୋଇଥିବା ଦେଖିବାକୁ ମିଳିଛି। ଝାଡ଼ାବାନ୍ତିରେ ୧୧ ଜଣ ଅକ୍ରାନ୍ତ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବାବେଳେ ୧୨ରୁ ଅଧିକ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୧୧ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୫ ଜଣ ପୁରୁଷ,୪ ଜଣ ମହିଳା ଥିବାବେଳେ ୨ ଜଣ ଶିଶୁ ଥିବା ଜଣାପଡ଼ିଛି।

କାହିଁକି ଏପରି ଝାଡ଼ାବାନ୍ତି ବ୍ୟାପୁଛି ସେନେଇ ଡାକ୍ତର କିଛି ସ୍ପଷ୍ଟ କରିନାହାନ୍ତି। ଅନ୍ୟପଟେ ଇନ୍ଦ୍ରାବତୀ ପ୍ରକଳ୍ପ ଦ୍ୱାରା ଖାତିଗୁଡା ଅଞ୍ଚଳବାସୀଙ୍କୁ ଯୋଗାଇ ଦିଆଯାଉଥିବା ଦୂଷିତ ଜଳହିଁ ଏହାର ମୁଖ୍ୟ କାରଣ ବୋଲି କୁହାଯାଉଛି। ସେପଟେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ୩ ଜଣିଆ ମେଡ଼ିକାଲ୍‌ ଟିମ ତେନ୍ତୁଳିଖୁଣ୍ଟି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଯାଇ ଆକ୍ରାନ୍ତଙ୍କୁ ଭେଟି ସେମାନଙ୍କ ସେଠାରେ ସ୍ଥିତି ଅନୁଧ୍ୟାନ କରିଛନ୍ତି। ପରେ ଲୋକମାନେ ବ୍ୟବହାର କରୁଥିବା ପାଇପ ପାଣିର ନମିନା ପରୀକ୍ଷଣ ପାଇଁ ମଧ୍ୟ ସଂଗ୍ରହ କରିଛନ୍ତି। ଏହା ସହ ଯେଉଁ ଟ୍ୟାଙ୍କିରେ ପାଣି ଗଚ୍ଛିତ ରହୁଛି ତାକୁ ମଧ୍ୟ ଅନୁଧ୍ୟାନ କରିଛନ୍ତି।

ସୂଚନାଥାଉକି, କିଛିଦିନ ପୂର୍ବେ ନବରଙ୍ଗପୁରର ଅନେକ ଅଞ୍ଚଳରେ ଝାଡ଼ାବାନ୍ତିର ପ୍ରକୋପ ଦେଖିବାକୁ ମିଳିଥିଲା। କିଛିଦିନ ବ୍ୟବଧାନରେ ନନ୍ଦାହାଣ୍ଡି ବ୍ଲକ ବି. ମାଳିଗୁଡା ଗାଁରେ ମଧ୍ୟ ୨୦ରୁ ଅଧିକ ଝାଡ଼ାବାନ୍ତିରେ ଅକ୍ରାନ୍ତ ହୋଇଥିଲେ। ଏବେ ଏହା ପୁଣି ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଖାତିଗୁଡା ଗାଁରେ ଦେଖିବାକୁ ମିଳିଛି। l