ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଆଜି ରାତି ୮ ଟାରେ ଇମ୍ରାନଙ୍କ ଭାଗ୍ୟ ପରୀକ୍ଷା କରାଯିବ । ହେଲେ ଅନାସ୍ଥା ଭୋଟ ପୂର୍ବରୁ ହାର ମାନିଗଲେ କି ଇମ୍ରାନ ସରକାର? କାହିଁକିନା ରାତି ୮ଟାରେ ଅନାସ୍ଥା ପ୍ରସ୍ତାବ ଉପରେ ଭୋଟ ହେବାକୁ ଥିବା ବେଳେ ଏହା ପୂର୍ବରୁ ନିଜକୁ ପୂର୍ବ ମନ୍ତ୍ରୀ ବୋଲି କହିସାରିଲେଣି ପାକିସ୍ତାନର ସୂଚନା ପ୍ରସାରଣ ମନ୍ତ୍ରୀ ଫଓ୍ଵାଦ ଚୌଧୁରୀ। ସଂସଦରେ ୩୪୨ ସାଂସଦଙ୍କ ମଧ୍ୟରୁ ବହୁମତ ସାବ୍ୟସ୍ତ ପାଇଁ ୧୭୨ ସାଂସଦଙ୍କ ସମର୍ଥନ ଦରକାର । ଇମ୍ରାନଙ୍କ ସପକ୍ଷରେ ୧୪୨ ସାଂସଦଙ୍କ ସମର୍ଥନ ରହିଥିବା ବେଳେ ବିରୋଧୀଙ୍କ ପାଖରେ ୧୯୦ ସାଂସଦଙ୍କ ସମର୍ଥନ ରହିଥିବା ଦାବି କରିଛନ୍ତି । ବିରୋଧୀ ଦଳ ପି.ଏମ.ଏଲ-ଏନର ସାଂସଦ ମରୟମ ନୱାଜ ବାଚସ୍ପତିଙ୍କୁ ଭେଟି ତାଙ୍କ ସମର୍ଥକ ସାଂସଦଙ୍କ ତାଲିକା ଦେଇଥିବା ସୂଚନା ରହିଛି । ଗୃହ କାର୍ୟ୍ୟ ଚାଲିବା ବେଳେ ବାଚସ୍ପତି କହିଥିଲେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଭୋଟିଂ ହେବ ।

ବିରୋଧୀ ଦଳର ନେତା ଶାହାବାଜ ସରିଫ ସଂସଦରେ କହିଛନ୍ତି, ଇମ୍ରାନ ଖାନ୍ ପାକିସ୍ତାନକୁ ବରବାଦ କରିଛନ୍ତି । ଏପରି କରି ପାକିସ୍ତାନର ଭବିଷ୍ୟତକୁ ନଷ୍ଟ କରିଛନ୍ତି । ସେହିପରି ବାଚସ୍ପତିଙ୍କୁ ଟାର୍ଗେଟ କରି ଶାହବାଦ କହିଛନ୍ତି, ବାଚସ୍ପତି ସମ୍ବିଧାନର ନିୟମ ଅନୁସାରେ ଗୃହ କାର୍ୟ୍ୟ ଚଳାନ୍ତୁ । ଭୋଟ୍ ଦେବା ଛଡା କୌଣସି ବିକଳ୍ପ ନାହିଁ । ପିଟିଆଇ କିନ୍ତୁ ଭୋଟ୍ ନକରାଇ ଦେବାକୁ ଚିନ୍ତା କରୁଛି ବୋଲି ବିରୋଧୀ ଆଶଙ୍କା ପ୍ରକାଶ କରିଛନ୍ତି । ଯଦି ଆଜି ଭୋଟିଂ ନହେବ ତାହେଲେ ଏହା ସୁପ୍ରିମକୋର୍ଟକୁ ଅବମାନନା ବୋଲି ବିରୋଧୀ ଦଳର ନେତା କହିଛନ୍ତି । ଅନ୍ୟପଟେ ଇମ୍ରାନ ଖାନ ନିଜ ଦଳର ସାଂସଦ ଏବଂ ଆଇନ ପରାମର୍ଶଦାତାଙ୍କ ସହିତ ବୈଠକ କରୁଥିବା ସୂଚନା ରହିଛି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି ।