ମୁମ୍ବାଇ: ଖୁବଶୀଘ୍ର ମାୟାନଗରୀ ମୁମ୍ବାଇରେ ଆରମ୍ଭ ହେବାକୁ ଯାଉଛି ଡିଜିଟାଲ ବସ୍ ସେବା । ଏହି ବସରେ ଅତ୍ୟାଧୁନିକ ଟିକେଟିଂ ମେସିନ ଖଞ୍ଜାଯିବ ଯେଉଁଥିରେ ଏଥିଲାଗି ଉଦ୍ଦିଷ୍ଟ ସ୍ମାର୍ଟକାର୍ଡକୁ ଛୁଆଁଇ ଦେଲେ ସେହି କାର୍ଡରୁ ଟିକେଟର ମୁଲ୍ୟ କଟିବ ।
ସୂଚନା ଅନୁସାରେ ପ୍ରତି ବସର ଆଗ ଗେଟ୍ ଓ ପଛ ଗେଟରେ ଏହି ମେସିନ୍ ଲାଗିବ। ତେବେ ଏହି ଡିଜିଟାଲ ବସରେ ଯାତ୍ରୀଙ୍କ ଲାଗି ରହିବ ଅନେକ ସୁବିଧା ଯାହା ଅନ୍ୟ ସାଧାରଣ ବସରେ ଉପଲବ୍ଧ ନାହିଁ । ଦେଶରେ ପ୍ରଥମ ଥର ଲାଗି ଏହି ବସ ସେବା ମୁମ୍ବାଇରେ ଆରମ୍ଭ ହେବ ।
ଏହାଫଳରେ ଲକ୍ଷ ଲକ୍ଷ ମୁମ୍ବାଇବାସୀ ଉପକୃତ ହେବେ । ପୂର୍ବରୁ ସାଧାରଣ ଯାତ୍ରୀଙ୍କର ଟିକେଟ୍ କାଟିବା ଲାଗି ଯେଉଁ ସବୁ ଅସୁବିଧା ଥିଲା, ଏବେ ତାହା ସବୁ ଦୂର ହେବାକୁ ଯାଉଛି । ବସରେ ଭିଡରେ ଟିକେଟ କାଟିବା ବହୁ ସମୟରେ ଯାତ୍ରୀଙ୍କ ପାଇଁ ଅସୁବିଧା ହୋଇଥାଏ । ଭିଡ଼ ସମୟରେ ବସ କଣ୍ଡକ୍ଟର ମଧ୍ୟ ଅନେକ ସମସ୍ୟାର ସମ୍ମୁଖୀନ ହୋଇଥାଏ । ହେଲେ ଏହି ଡିଜିଟାଲ ବସରେ ସେସବୁ ଅସୁବିଧା ହେବନାହିଁ ।
ସୋମବାର ଦିନ ଡିଜିଟାଲ ବସକୁ ପରୀକ୍ଷାମୂଳକ ଭାବେ ଚଳାଯାଇଥିଲା । ସବୁଠୁ ବଡ଼କଥା ଏଭଳି ଅତ୍ୟାଧୁନିକ ବସ ସେବା ପୂର୍ବରୁ କେବଳ ସିଙ୍ଗାପୁରରେ ରହିଛି । ସିଙ୍ଗାପୁରରେ ସ୍ମାର୍ଟକାର୍ଡ ମାଧ୍ୟମରେ ବସ ସେବା ସହ ମେଟ୍ରୋରେଲ୍ ଟିକଟ, ହୋଟେଲ ବିଲ ମଧ୍ୟ ପୈଠ କରାଯାଇଥାଏ । ଯଦି ଆପଣ ଯାତ୍ରା କରିବା ସ୍ଥାନର ଭଡ଼ା ବିଷୟରେ ଜଣା ଅଛି ତେବେ ଦରକାର ପଡ଼ିଲେ ଆପଣ ସେହି ମେସିନରେ ଖୁଚୁରା ପଇସା ପକାଇ ଯାତ୍ରା କରି ପାରିବେ ।
ତେବେ ଏହି ବସ ଶୁଭାରଂବ ଖବରକୁ ନେଇ ଯାତ୍ରୀଙ୍କ ମଧ୍ୟରେ ଏବେଠୁ ବେଶ ଉତ୍ସାହ ଦେଖିବାକୁ ମିଳିଛି |