୨୦୨୪ରେ କଂଗ୍ରେସ ଯଦି ଏକାକୀ ଲଢ଼େ ତାହାଲେ ସରକାର ଗଢ଼ିପାରିବ: ସନ୍ତୋଷ ସିଂହ ସାଲୁଜା

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ରାଜ୍ୟରେ ବର୍ତ୍ତମାନ ପିସିସି ସଭାପତି କିଏ ହେବ ତା’ଉପରେ ସମସ୍ତଙ୍କର ନଜର ରହିଛି । ସେପଟେ ଦଳୀୟ ନେତାମାନେ ମଧ୍ୟ ଏନେଇ ପ୍ରତିକ୍ରିୟା ଦେବାରେ ଲାଗିଛନ୍ତି । କିଏ କହୁଛି ଜଣେ ବିଧାୟକଙ୍କୁ ପିସିସି ସଭାପତି କରାଯାଉ ତ ଆଉ କିଏ କହୁଛି ହାଇକମାଣ୍ଡ ଯାହା ନିଷ୍ପତ୍ତି ନେବେ ତାକୁ ଆମେ ସମର୍ଥନ କରିବୁ । ଏହା ମଧ୍ୟରେ କଂଗ୍ରେସର ବରିଷ୍ଠ ନେତା ସନ୍ତୋଷ ସିଂ ସାଲୁଜା ବଡ଼ ବୟାନ ଦେଇଥିବାର ଦେଖିବାକୁ ମିଳିଛି । ତେବେ ଓଡ଼ିଶାରେ କେବଳ ପିସିସି ସଭାପତି ନୁହେଁ, ବିଧାୟକ ଦଳ ନେତା ମଧ୍ୟ ବଦଳିବା ଜରୁରୀ। ଦଳର ପ୍ରାୟ ଅଧିକାଂଶ ବିଧାୟକ ଏକଥା କହୁଛନ୍ତି। ହାଇକମାଣ୍ଡ ଏ ପ୍ରସଙ୍ଗରେ ନିଷ୍ପତ୍ତି ନେବେ। କଂଗ୍ରେସ ସବୁବେଳେ ହାଇକମାଣ୍ଡଙ୍କ ଉପରେ ବିଶ୍ବାସ କରି ଆସିଛି। ବିଧାୟକ କିମ୍ବା ଅନ୍ୟ କାହାକୁ ପିସିସି ସଭାପତି କରାଗଲେ ଆମେ ସ୍ବାଗତ କରିବୁ। କଂଗ୍ରେସ ଦଳ ଏକାକୀ ଲଢ଼ିଲେ ୨୦୨୪ରେ ସରକାର ଗଢ଼ିପାରିବ ବୋଲି ସନ୍ତୋଷ ସିଂହ ସାଲୁଜା କହିଛନ୍ତି ।

ସେପଟେ ନୂତନ ପିସିସି ସଭାପତି କିଏ ହେବ ସେନେଇ ଅନେକ କଳ୍ପନାଜଳ୍ପନା ଚାଲିଛି । ଏସବୁ ମଧ୍ୟରେ ଜଣେ ବିଧାୟକଙ୍କୁ ପିସିସି ସଭାପତି କରା ନ ଗଲେ ଦଳରେ ଅସନ୍ତୋଷ ସୃଷ୍ଟି ହେବ ବୋଲି ଚେତାବନୀ ଦେଇଛନ୍ତି ବିଧାୟକ ତାରା ପ୍ରସାଦ ବାହିନୀପତି। ତାରା କହିଛନ୍ତି ଯେ ଜଣେ ବିଧାୟକ ସଭାପତି ହେଲେ ତାଙ୍କ ସହ ୯ଜଣ ବିଧାୟକ ବୁଲିବେ ଓ ଦଳ ଦମ୍ ଦେଖାଇ ପାରିବ। କିନ୍ତୁ ବିଧାୟକ ବାଦ୍ ଅନ୍ୟ କାହାକୁ ହେଲେ ଦଳରେ ଅସନ୍ତୋଷ ରହିବ। ରାହୁଲ ଗାନ୍ଧୀଙ୍କୁ ଏ ବାବଦରେ ଜଣାଇବୁ ବୋଲି କହିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।

Related Posts