ବଡ଼ମ୍ବା-ଗୋପିନାଥପୁର ଟି-ସେତୁ ଉପରେ ଦଳାଚକଟା, ଅନେକ ଶ୍ରଦ୍ଧାଳୁ ଗୁରୁତର

ଭୁବନେଶ୍ୱର,୧୪/୧(ସତ୍ୟପାଠ ବ୍ୟୁରୋ): ମହାନଦୀ ଉପରେ ନିର୍ମିତ ଟି-ସେତୁ ଉପରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। କଟକ ଜିଲ୍ଲା ବଡ଼ମ୍ବା-ଗୋପୀନାଥପୁର ଟି-ସେତୁରେ ଦଳାଚକଟା ‌ଯୋଗୁଁ କିଛି ଶ୍ରଦ୍ଧାଳୁ ଗୁରୁତର ହୋଇଥିବା ସୂଚନା ମିଳିଛି। ଗୁରୁତରମାନଙ୍କ ମଧ୍ୟରେ ମହିଳା ଓ ଛୋଟ ପିଲା ଥିବା ଜଣାପଡ଼ିଛି। ଗୁରୁତରମାନଙ୍କୁ ଡାକ୍ତରଖାନା ନିଆଯାଉଛି। ଶୋଚନୀୟ ଅବସ୍ଥା ଥିବା ଲୋକଙ୍କୁ କଟକ ବଡ଼ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଉଛି। ତେବେ ଦଳାଚକଟା ଯୋଗୁ ୨ ମୃତ ଓ ୨୦ରୁ ଅଧିକ ବ୍ୟକ୍ତି ଆହତ ହୋଇଥିବା ଆଶଙ୍କା କରାଯାଉଛି। ଏନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରି ନାହିଁ। ସେହିଭଳି ଅନେକ ଲୋକ ଦଳାଚକଟାରୁ ବଞ୍ଚିବା ପାଇଁ ପୋଲ ତଳକୁ ଡେଇଁ ପଡ଼ିଥିବା ମଧ୍ୟ କୁହାଯାଉଛି। ତେବେ ଏନେଇ ଅଧିକ ତଥ୍ୟକୁ ଅପେକ୍ଷା କରାଯାଇଛି।

ସୂଚନା ଅନୁସାରେ ମହାନଦୀ ଭିତରେ ଥିବା ସିଂହନାଥ ପୀଠରେ ପ୍ରତିବର୍ଷ ଭଳି ଚଳିତ ଥର ମଧ୍ୟ ମକରମେଳାର ଆୟୋଜନ କରାଯାଇଛି। ଏହି ମେଳାରେ କଟକ, ଭୁବନେଶ୍ବର, ଅନୁଗୁଳ, ଢେଙ୍କାନାଳ, ବୌଦ୍ଧ ଓ ନୟାଗଡ଼ ଜିଲ୍ଲାରୁ ଲକ୍ଷାଧିକ ଶ୍ରଦ୍ଧାଳୁ ଯୋଗ ଦେଇଛନ୍ତି। ଭିଡ଼ ଯୋଗୁଁ ଆଜି ଦଳାଚକଟା ହୋଇଥିବା କୁହାଯାଉଛି। କିଛି ଲୋକ ଜୀବନ ବଞ୍ଚାଇବା ପାଇଁ ବ୍ରିଜ୍‌ ଉପରୁ ତଳକୁ ଡେଇଁପଡ଼ିଥିବା କୁହାଯାଉଛି। ଶଦ୍ଧାଳୁଙ୍କ ସମାଗମ ଯୋଗୁଁ ଦଳାଚକଟା ହୋଇଥିବା ପ୍ରାଥମିକ ଆକଳନରୁ ଜଣାପଡ଼ିଛି। ତେବେ ଏଠାରେ ହୋଇଥିବା ପ୍ରବଳ ଜନସମାଗମକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନିଆଯାଇ ନଥିବାରୁ ଦଳଚକଟା ପରିସ୍ଥିତି ଉପୁଜିଥିବା ଅଭିଯୋଗ ହୋଇଛି।

ଅନ୍ୟପଟରେ ମହାନଦୀ ଉପରେ କିଛି ମାସ ପୂର୍ବରୁ ଲୋକାର୍ପିତ ହୋଇଥିବା ଟି-ସେତୁ ଉପରେ ଅଚାନକ ଲକ୍ଷାଧିକ ଲୋକଙ୍କର ଭିଡ଼ ହୋଇଥିବାରୁ ସେମାନଙ୍କୁ ନିୟନ୍ତ୍ରିତ କରିବାରେ ଅସୁବିଧା ହୋଇଛି। ରିପୋର୍ଟ ଲେଖାଯିବା ବେଳକୁ ସିଂହନାଥ ପୀଠରେ ଦର୍ଶନ ବନ୍ଦ ରଖାଯାଇଛି। ପରିସ୍ଥିତିରେ ସ୍ବାଭାବିକ ଅବସ୍ଥା ଆଣିବା ପାଇଁ ୩ ପ୍ଲାଟୁନ୍‌ ପୁଲିସ ମୁତୟନ ଅଛନ୍ତି।

Related Posts