ଭୁବନେଶ୍ୱର,୧୪/୧(ସତ୍ୟପାଠ ବ୍ୟୁରୋ): ମୁମ୍ୱାଇର ମଲାଡ ଅଞ୍ଚଳରେ ଲାଗିଛି ଗ୍ୟାଙ୍ଗଷ୍ଟର ଛୋଟା ରାଜନର ଜନ୍ମଦିନରେ ଅଭିନନ୍ଦନର ପୋଷ୍ଟର। ପୁଲିସ୍ ଏହି ଘଟଣାରେ ୬ଜଣ ଲୋକଙ୍କୁ ଗିରଫ କରିଛି। ଉଲ୍ଲେଖଯୋଗ୍ୟ ଯେ, ମଲାଡରେ ୧୪ ଓ ୧୫ ଜାନୁୟାରୀରେ କବାଡି ପ୍ରତିଯୋଗିତାର ଆୟୋଜନ ହେବାର ଥିଲା । ଏହି କାର୍ଯ୍ୟକ୍ରମକୁ ନେଇ ଯେଉଁ ପୋଷ୍ଟର ଲଗା ଯାଇଛି ଏଥିରେ ଛୋଟା ରାଜନର ବଡ଼ ଫଟୋ ପ୍ରିଣ୍ଟ ରହିଥିଲା ।ପୋଷ୍ଟର ଉପରେ ଏହା ସ୍ପଷ୍ଟ ଶବ୍ଦରେ ଲେଖାଥିଲା କି ଛୋଟା ରାଜନଙ୍କର ଜନ୍ମଦିନରେ କବାଡି ପ୍ରତିଯୋଗିତା ଆୟୋଜିତ କରାଯାଉଛି।
ମୁମ୍ୱାଇ ପୁଲିସ ଉକ୍ତ ମାମଲାରେ ଯେଉଁ ୬ ଜଣ ଲୋକଙ୍କୁ ଗିରଫ କରିଛି , ଏଥିରେ କବାଡି ପ୍ରତିଯୋଗିତାର ମୁଖ୍ୟ ଆୟୋଜକ ବି ସାମିଲ ଅଛନ୍ତି। ସହରରେ ଏହି ପୋଷ୍ଟର ମାଫିଆ ଡନ୍ ଛୋଟା ରାଜନକୁ ଅଭିନନ୍ଦନ ଦେବାର ଲକ୍ଷ୍ୟରେ ଲଗାଯାଇଛି। କିଛି ସମୟ ମଧ୍ୟରେ ଏହି ପୋଷ୍ଟର ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି। ୟୁଜରମାନେ ଏହାକୁ ନେଇ କଡ଼ା ମନ୍ତବ୍ୟ ଦେଇଛନ୍ତି ଏବଂ ପୋଷ୍ଟର ଲଗାଉଥିବା ଲୋକଙ୍କ ବିରୋଧରେ ଆକ୍ସନ ନେବାର ଦାବି କରିଛନ୍ତି। ଗଣମାଧ୍ୟମ ରିପୋର୍ଟ ମୁତାବକ, ମୁମ୍ୱାଇ ପୁଲିସ ଅନେକ ଅଞ୍ଚଳରେ ଲଗାଯାଇଥିବା ଏହି ବିବାଦିତ ପୋଷ୍ଟରକୁ ହଟେଇ ଦେଇଛି।
ତେବେ ଏହା ପ୍ରଥମ ଘଟଣା ନୁହେଁ ଯେବେ ଛୋଟା ରାଜନର ଜନ୍ମଦିନରେ ମୁମ୍ୱାଇରେ ପୋଷ୍ଟ ଲଗାଯାଇଛି। ଏହା ପୂର୍ବରୁ ୨୦୨୦ରେ ମଧ୍ୟ ଏମିତି ଘଟଣା ସାମ୍ନାକୁ ଆସିଥିଲା। ସେ ସମୟରେ ମାଫିଆ ରାଜନର ଜନ୍ମଦିନରେ ମୁମ୍ୱାଇର ଠାଣେ ଅଞ୍ଚଳରେ ବଡ଼ ବଡ଼ ପୋଷ୍ଟର ଓ ବ୍ୟାନର ଲଗାଯାଇ ଥିଲା , ଯାହାକୁ ନେଇ ଖୁବ୍ ହଙ୍ଗାମା ହୋଇଥିଲା। ପୁଲିସ ଏହି ମାମଲାରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଇ ଅନେକ ଲୋକଙ୍କ ବିରୋଧରେ କେସ୍ ରୁଜୁ କରିଥିଲା। ଏହା ସତ୍ତ୍ୱେ ଏହିପରି ହରକତ ପୁଣିଥରେ ସାମ୍ନାକୁ ଆସିଛି।
ସୂଚନାଯୋଗ୍ୟ ଯେ, ଅଣ୍ଡରୱାର୍ଲ୍ଡ ଡନ ଛୋଟା ରାଜନକୁ ୨୦୧୫ ମସିହାରେ ଇଣ୍ଡୋନେସିଆର ବାଲିରୁ ଗିରଫ କରାଯାଇଥିଲା । ଏହାପରେ ତାକୁ ଭାରତ ପଠାଇ ଦିଆଯାଇ ଥିଲା । ସେବେଠାରୁ ସେ ଦିଲ୍ଲୀର ତିହାର ଜେଲରେ ବନ୍ଦୀ ଅଛି । ୨୦୧୮ମସିହାରେ ରାଜନକୁ ୨୦୧୧ରେ ସାମ୍ୱାଦିକ ଜେ ଡିଙ୍କ ହତ୍ୟାକାଣ୍ଡରେ ଦୋଷୀସାବ୍ୟସ୍ତ କରାଯାଇ ଥିଲା । ଏହି ମାମଲାରେ ତାକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି । ସେ ଆହୁରି ଅନେକ ମୋକଦମାରେ ବି ସଂପୃକ୍ତ ଅଛି ।