ଭୁବନେଶ୍ୱର,୨୫/୯(ସତ୍ୟପାଠ ବ୍ୟୁରୋ): ମେଜର ଓ ତାଙ୍କ ବାନ୍ଧବୀଙ୍କୁ ଥାନାରେ ନିର୍ଯାତନା ଅଭିଯୋଗ ମାମଲାରେ ଭରତପୁର ଥାନାର ନିଲମ୍ବିତ ଆଇଆଇସି ଦୀନକୃଷ୍ଣ ମିଶ୍ରଙ୍କର ହେବ ପଲିଗ୍ରାଫ ଟେଷ୍ଟ। ପଲିଗ୍ରାଫ ଟେଷ୍ଟ ସହିତ ନାର୍କୋ ଆନାଲିସିସ୍ ଓ ବ୍ରେନ ଫିଙ୍ଗର ପ୍ରିଣ୍ଟିଂ ଟେଷ୍ଟ ପାଇଁ ଅନୁମତି ଦେଲେ ଭୁବନେଶ୍ୱର SDJM କୋର୍ଟ । ଏଥିପାଇଁ ଆଜି କୋର୍ଟରେ ହାଜର ହୋଇଥିଲେ ଦୀନକୃଷ୍ଣ। ସେ ସମସ୍ତ ପ୍ରକାର ଟେଷ୍ଟ ପାଇଁ ସହମତି ପ୍ରକାଶ କରିଛନ୍ତି। ଦୀନକୃଷ୍ଣ ଟେଷ୍ଟ ପାଇଁ ସହମତି ପ୍ରକାଶ କରିବା ପରେ ଆଜି ତାଙ୍କୁ ଭୁବନେଶ୍ୱର SDJM କୋର୍ଟରେ ହାଜର କରାଯାଇଥିଲା। ଆଉ ପଲିଗ୍ରାଫ ଟେଷ୍ଟ, ନାର୍କୋ ଅନଲାଇସିସି ଓ ବ୍ରେନ ଫିଙ୍ଗର ପ୍ରିଣ୍ଟିଂ ଟେଷ୍ଟ ପାଇଁ କ୍ରାଇମବ୍ରାଞ୍ଚକୁ ଅନୁମତି ଦେଇଛନ୍ତି କୋର୍ଟ । ଦୀନକୃଷ୍ଣଙ୍କୁ ଗୁଜରାଟ ଗାନ୍ଧିନଗର ନେଇ କ୍ରାଇମବ୍ରାଞ୍ଚ ପଲିଗ୍ରାଫ ଟେଷ୍ଟ କରିବ ବୋଲି ସୂଚନା ମିଳିଛି ।
ତେବେ ଦୀନକୃଷ୍ଣଙ୍କର ପଲିଗ୍ରାଫ ଟେଷ୍ଟ ପାଇଁ କୋର୍ଟରେ ଆବେଦନ କରିଥିଲା କ୍ରାଇମବ୍ରାଞ୍ଚ। ଦୀନକୃଷ୍ଣଙ୍କ ବିରୋଧରେ ଆସିଥିବା ସଙ୍ଗୀନ ଅଭିଯୋଗ କେତେ ସତ ଓ କେତେ ମିଛ ପଲିଗ୍ରାଫ ଟେଷ୍ଟ ପରେ ସବୁ ପ୍ରମାଣିତ ହେବ ବୋଲି ଆଶା କରାଯାଉଛି।
ଗତ ୧୫ ତାରିଖ ରାତିରେ ଭାରତୀୟ ସେନାର ମେଜର ଓ ତାଙ୍କ ବାନ୍ଧବୀଙ୍କୁ ଭରତପୁର ଥାନାରେ ପୁଲିସ ମାଡ଼ ମାରିବା ସହ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଥିଲା। ଏହି ମାମଲାରେ ଆଇଆଇସି ସମେତ ୫ ଜଣଙ୍କୁ ନିଲମ୍ବିତ କରାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ମାମଲାରେ ବିଚାର ବିଭାଗୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିବା ବେଳେ କ୍ରାଇମବ୍ରାଞ୍ଚ ଏହି ଘଟଣାର ତଦନ୍ତ କରୁଛି। ଆଜି ପୀଡିତା ଓ ମେଜରଙ୍କୁ ନେଇ କ୍ରାଇମ ସିନ ରିକ୍ରିୟେସନ ମଧ୍ୟ କରିଛି କ୍ରାଇମବ୍ରାଞ୍ଚ ।