ଭୁବନେଶ୍ୱର,୨୧/୨(ସତ୍ୟପାଠ ବ୍ୟୁରୋ): ମାଲକାନଗିରି ଜିଲ୍ଲାର ତତ୍କାଳୀନ ଜିଲ୍ଲାପାଳ ମନୀଷ ଅଗ୍ରୱାଲଙ୍କ ପିଏ ଦେବ ନାରାୟଣ ପଣ୍ଡାଙ୍କ ମୃତ୍ୟୁ ଏକ ହତ୍ୟା ବୋଲି ପତ୍ନୀ ବନଜା ପଣ୍ଡା ଅଭିଯୋଗ କରି ଆସୁଥିବାବେଳେ ସେ ନ୍ୟାୟିକ ଲଢେଇ ଜାରି ରଖିଛନ୍ତି। ଗତ ଡିସେମ୍ବର ୧୯ ତାରିଖ ଦିନ ଏସଡିଜେଏମ କୋର୍ଟଙ୍କ ତରଫରୁ ଏହୀ ମାମଲାକୁ ବିଚାର ପାଇଁ ଗ୍ରହଣ କରାଯାଇଥିବା ବେଳେ ଗତକାଲି କୋର୍ଟ ମନୀଷ ଅଗ୍ରୱାଲଙ୍କ ସମେତ ଅନ୍ୟ ତିନି ଜଣଙ୍କୁ କୋର୍ଟରେ ହାଜର ହେବା ପାଇଁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ମନୀଷ ଅଗ୍ରୱାଲଙ୍କ ଓକିଲ ପୁଣି କୋର୍ଟ ନିକଟରେ ସମୟସୀମା ବଢାଇବା ନେଇ ପ୍ରାର୍ଥନା କରିଥିଲେ।

ଯାହାଫଳରେ ଏସଡିଜେଏମ କୋର୍ଟ ପୁଣି ଏକ ମାସ ଅର୍ଥାତ ଆସନ୍ତା ମାର୍ଚ୍ଚ ୨୦ ତାରିଖରେ କୋର୍ଟରେ ହାଜର ହେବା ପାଇଁ ଏହି ଚାରି ଜଣଙ୍କୁ ମହଲତ ଦେଇଛନ୍ତି। ତେବେ ଏନେଇ ଓକିଲ ନୃସିଂହ ଚରଣ ମହାନ୍ତିଙ୍କ କହିବା ଅନୁଯାୟୀ କୋର୍ଟ କଗନିଜେନସ ନେବା ପରେ ଏହାକୁ ଅବଜେକସନ କରି ହାଇକୋର୍ଟରେ କ୍ବାସ କରିବା ପାଇଁ ମନୀଷ ଅଗ୍ରଵାଲ ଅପିଲ କରିଛନ୍ତି। ଯେହେତୁ ହାଇକୋର୍ଟରେ ବର୍ତ୍ତମାନ ମାମଲା ଚାଲିଥିବାରୁ କିଛି ଦିନ ପୁଣି ସମୟ ଦେବା ପାଇଁ ମନୀଷଙ୍କ ଓକିଲ କୋର୍ଟ ନିକଟରେ ପ୍ରାର୍ଥନା କରିଥିଲେ। କୋର୍ଟ ଏହି ଅନୁରୋଧକୁ ରକ୍ଷା କରି ଆସନ୍ତା ମାର୍ଚ୍ଚ ୨୦ ତାରିଖକୁ ସମୟ ଧାର୍ଯ୍ୟ କରିଛନ୍ତି।