ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଝାରସୁଗୁଡ଼ା ସହରରେ ବେଆଇନ ପାଉଁଶ ପରିବହନ ଓ ପ୍ରଦୂଷଣକୁ ନେଇ ରାଜନୀତି ଏବେ ସରଗରମ ହୋଇଛି। ବର୍ତ୍ତମାନର ବିଜେପି ବିଧାୟକ Tankadhar Tripathy ଏବଂ ପୂର୍ବତନ ବିଜେଡି ବିଧାୟିକା Deepali Das ଙ୍କ ମଧ୍ୟରେ କଡ଼ା ପ୍ରତିକ୍ରିୟା ପ୍ରକାଶ ପାଇବା ସହ ପରସ୍ପର ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି ।

* ଗୋଟିଏ ବୁନ୍ଦା ବେଆଇନ ପାଉଁଶ ପଡ଼ିପାରିବ ନାହିଁ: ଟଙ୍କଧର ତ୍ରିପାଠୀ

ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ ବିରୋଧୀଙ୍କ ଉପରେ ବର୍ଷି କହିଛନ୍ତି ଯେ, ଏଠାରେ ଏବେ ‘ଚୋର ମଚାଏ ସୋର’ ଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଯେଉଁମାନେ ଦୀର୍ଘଦିନ ଧରି ଝାରସୁଗୁଡ଼ାରେ ଶାସନ ଦାୟିତ୍ୱରେ ଥିଲେ ଏବଂ ଲୋକଙ୍କ ଉପରେ ପାଉଁଶ ଗଦା କରି ସେହି ପାଉଁଶ ଉପରେ ଛିଡ଼ା ହୋଇଥିଲେ, ସେମାନେ ଆଜି ବଡ଼ ବଡ଼ କଥା କହୁଛନ୍ତି। ସେମାନଙ୍କର ଶତାଧିକ ଗାଡ଼ି ପାଉଁଶ ପକାଇବା କାର୍ଯ୍ୟରେ ନିୟୋଜିତ ଥିବା ନେଇ ସେମାନେ ନିଜ ନିର୍ବାଚନୀ ଆଫିଡେଭିଟ୍‌ରେ ଦର୍ଶାଇଛନ୍ତି ବୋଲି ଶ୍ରୀ ତ୍ରିପାଠୀ ଅଭିଯୋଗ କରିଛନ୍ତି।

ବିଧାୟକ ଦୃଢ଼ୋକ୍ତି ପ୍ରକାଶ କରି କହିଛନ୍ତି ଯେ “ଝାରସୁଗୁଡ଼ାକୁ ସମ୍ପୂର୍ଣ୍ଣ ପାଉଁଶ ମୁକ୍ତ କରାଯାଇଛି। ଯଦି କେଉଁଠି କିଛି ସମସ୍ୟା ଥିଲା, ତାହାର ମଧ୍ୟ ନିରାକରଣ କରାଯାଇଛି। ଝାରସୁଗୁଡ଼ାରେ ଗୋଟିଏ ବି ବୁନ୍ଦା ବେଆଇନ ପାଉଁଶ ପଡ଼ିବାକୁ ଦିଆଯିବ ନାହିଁ। ଯେଉଁମାନେ ନିଜ ସ୍ୱାର୍ଥ ପାଇଁ ଏଭଳି କାମ କରୁଛନ୍ତି, ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଆଗାମୀ ଦିନରେ କେଉଁ ଟ୍ରାନ୍ସପୋର୍ଟରଙ୍କ ସହ କାହାର ସମ୍ପର୍କ ରହିଛି ଏବଂ କିଏ କେତେ ପାଉଁଶ କାରବାର କରିଛନ୍ତି, ସେମାନଙ୍କ ସମ୍ପୂର୍ଣ୍ଣ ଇତିହାସ ଜନସାଧାରଣଙ୍କ ସାମ୍ନାରେ ପଦାକୁ ଅଣାଯିବ।”

କିଏ ଚୋର ଆଉ କିଏ ସାଧୁ ତାହା ଝାରସୁଗୁଡ଼ାବାସୀ ଜାଣନ୍ତି: ଦୀପାଳି ଦାସ

ଅପରପକ୍ଷରେ, ବିଧାୟକଙ୍କ ଅଭିଯୋଗର ପାଲଟା ଜବାବ ଦେଇ ପୂର୍ବତନ ବିଧାୟିକା ଦୀପାଳି ଦାସ କହିଛନ୍ତି ଯେ, କିଏ ଚୋର ତାହା ଝାରସୁଗୁଡ଼ା ଜନସାଧାରଣ ଭଲ ଭାବେ ଜାଣନ୍ତି। ଯିଏ ନିଜର ଦୋଷ ଲୁଚାଇବାକୁ ଚେଷ୍ଟା କରେ, ସେ ଅନ୍ୟ ଉପରେ ଆଙ୍ଗୁଠି ଉଠାଏ। ମୋ ଆଫିଡେଭିଟ୍‌ରେ ସବୁ ସତ୍ୟତା ଲେଖାଅଛି ଏବଂ ମୁଁ କିଛି ଲୁଚାଇବା ଲୋକ ନୁହେଁ।

ସେ ବର୍ତ୍ତମାନର ବିଧାୟକଙ୍କୁ ସମାଲୋଚନା କରି କହିଛନ୍ତି ଯେ “ଯେଉଁ ବିଧାୟକ ନିର୍ବାଚନ ପୂର୍ବରୁ ‘ଆଶ୍ ମୁକ୍ତ ଝାରସୁଗୁଡ଼ା’ ର ନାରା ଦେଉଥିଲେ, ଆଜି ଲୋଇକେରା ବ୍ଲକ ନିକ୍ତିମାଲ ପଞ୍ଚାୟତର ଠାକୁରପଡ଼ାଠାରେ ରାସ୍ତା ଉପରେ ପାଉଁଶ ପଡ଼ୁଛି। ଲୋକେ ରାସ୍ତା ଉପରୁ ପାଉଁଶ ଉଠାଉଥିବାର ଦେଖିବାକୁ ମିଳୁଛି। ବଡ଼ମାଲ୍‌ରୁ ରେଙ୍ଗାଲି ପର୍ଯ୍ୟନ୍ତ NH-49 ରେ ପ୍ରବଳ ପାଉଁଶ ଗୁଣ୍ଡ ଉଡୁଛି, ଯାହା ଦ୍ୱାରା ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି।”

ପରିବେଶ ପ୍ରଦୂଷଣ ଏବଂ କ୍ଷତିପୂରଣ ପ୍ରସଙ୍ଗ ଉଠାଇ ଦୀପାଳି କହିଛନ୍ତି ଯେ, ଯେଉଁ ଟ୍ରାନ୍ସପୋର୍ଟରଙ୍କ ବିରୋଧରେ ମାମଲା ହୋଇଥିଲା ତାହା ଏବେ କେଉଁ ସ୍ଥିତିରେ ଅଛି ଏବଂ ପ୍ରଭାବିତ ଲୋକଙ୍କୁ କାହିଁକି ଉଚିତ କ୍ଷତିପୂରଣ ମିଳିନାହିଁ? ବର୍ତ୍ତମାନର ବିଧାୟକ ନିଜ ପକେଟ ଗରମ କରିବା ଛଡ଼ା ଏହି ଦୁଇ ବର୍ଷ ମଧ୍ୟରେ କୌଣସି ବିକାଶମୂଳକ କାର୍ଯ୍ୟ କରିନାହାନ୍ତି। ବିଜେଡି ସରକାର ସମୟର ପୁରୁଣା ପ୍ରକଳ୍ପକୁ ପୁନର୍ବାର ଉଦ୍‌ଘାଟନ କରି ସେ କେବଳ ଲୋକଙ୍କୁ ଭୁଆଁ ବୁଲାଉଛନ୍ତି। ଏବେ ବେଆଇନ ପାଉଁଶ ପରିବହନରେ କିଏ ସାମିଲ ଅଛି ଏବଂ କିଏ କେତେ ପଇସା ନେଉଛି, ତାହା ଝାରସୁଗୁଡାବାସୀ ଭଲ ଭାବେ ବୁଝିସାରିଲେଣି।ଝାରସୁଗୁଡ଼ାର ଏହି ପାଉଁଶ ପ୍ରଦୂଷଣ ଓ ରାଜନୈତିକ ବାଦବିବାଦ ଆଗାମୀ ଦିନରେ କେଉଁ ମୋଡ଼ ନେଉଛି, ତାହା ଉପରେ ସମସ୍ତଙ୍କ ନଜର ରହିଛି।