
ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ରାଜ୍ୟରୁ ଜଣଙ୍କ ପରେ ଆଉ ଜଣ କୁବେରମାନଙ୍କୁ ଧରିବାରେ ଲାଗିଛି ଭିଜିଲାନ୍ସ । ସେ ପୁଲିସ ହେଉ କିମ୍ବା ଡାକ୍ତର, ଭିଜିଲାନ୍ସ ହାତରୁ ମୁକୁଳି ପାରୁନାହାନ୍ତି । ଏଇ କିଛିଦିନ ହେବ ରାଜ୍ୟରେ ପ୍ରତ୍ୟେକ ଦିନ ଭିଜିଲାନ୍ସ ହାତରେ ଅନେକ ସରକାରୀ କର୍ମଚାରୀ ଧରାପଡ଼ୁଛନ୍ତି । କିଏ ସମ୍ପତ୍ତିର ତାଲିକା ଦେଇପାରୁନଥିବାବେଳେ ଆଉ କାହାର ସମ୍ପତ୍ତି ଦେଖି ଭିଜିଲାନ୍ସ ମଧ୍ୟ ଆବାକ ହୋଇ ଉଠୁଛି । ଏହା ମଧ୍ୟରେ ଲାଞ୍ଚ ନେଇ ଧରାପଡ଼ିଛନ୍ତି ପୁରୀ ଜିଲ୍ଲା ଚାରିଛକ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଡାକ୍ତର ସୁକାନ୍ତ ଜେନା । ଭିଜିଲାନ୍ସ ଜାଲରେ ଧରାପଡ଼ିବା ପରେ ତାଙ୍କ ଭୁବନେଶ୍ୱରସ୍ଥିତ ଘରୁ ଜବତ ହୋଇଛି ବିଡ଼ାବିଡ଼ା ଟଙ୍କା । ନଗଦ କୋଟିଏ ୧୨ ଲକ୍ଷ ଟଙ୍କା ଦେଖି ଭିଜିଲାନ୍ସ ମଧ୍ୟ ଆବକା ହୋଇ ପଡ଼ିଛି । ଏପରିକି ଦୁଇଟି ଟଙ୍କା ଗଣା ମେସିନରେ ଏ ସବୁର ପରିମାଣ ଆକଳନ କରାଯାଉଛି । ଏତେ ଟଙ୍କା ନଗଦ ଆକରରେ ଜବତ ହେବା ରାଜ୍ୟ ଭିଜିଲାନ୍ସ ଇଚ୍ଛିହାସରେ ପ୍ରଥମ ବୋଲି ମୁଖ୍ୟାଳୟ ପକ୍ଷରୁ କୁହାଯାଇଛି । ସେପଟେ ଚଢ଼ାଉ ଜାରି ରହିଛି । ଏବଂ ଆହୁରି ସମ୍ପତ୍ତି ଠାକ ହେବ ବୋଲି ଅନୁମାନ କରାଯାଉଛି ।
ଅନ୍ୟପଟେ ଡାକ୍ତର ଜେନାଙ୍କୁ ଗିରଫ କରି ତଦନ୍ତକାରୀ ଟିମ ପଚରାଉଚରା ଜାରି ରଖିଛି । ତାଙ୍କ ପାଖକୁ ଏତେ ନଗଦ ଟଙ୍କା କେଉଁଠୁ ଆସିଲା, ଆଉ ସେ କେଉଁ ଉଦ୍ଦେଶ୍ୟରେ ଏତେ ନଗଦ ଟଙ୍କା ରଖିଥିଲେ ସେନେଇ ତଦନ୍ତ ଜାରି ରହିଛି । ସେପଟେ ଜଣେ ପ୍ରସୂତିଙ୍କ ଅସ୍ତ୍ରୋପଚାର କରିବା ପାଇଁ ୩ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଡାକ୍ତର ଜେନା ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ । ଅଭିଯୋଗକାରୀ ମହିଳାଙ୍କ ସମ୍ପକୀୟଙ୍କ ଠାରୁ ପୂର୍ବ ସୂଚନା ପାଇ ଭୁବନେଶ୍ୱର ଭିଜିଲାନ୍ସର ଏକ ୫ ଜଚ୍ଚିଆ ଟିମ ଚାରିଛକ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ପହଞ୍ଚିଥିଲେ । ସେହି ସମୟରେ ସମ୍ପୃକ୍ତ ପ୍ରସୂତିଙ୍କ ଅସ୍ତ୍ରୋପଚାର କରାଇବା ନିମନ୍ତେ ୩ ହଜାର ଟଙ୍କା ଲାଞ୍ଚ ନେବାବେଳେ ତାଙ୍କୁ ଭିଜିଲାନ୍ସ ଅଧିକାରି ଧରିଥିଲେ । ଡାକ୍ତର ଜେନା ଅସ୍ତ୍ରୋପଚାର କରିବା ପାଇଁ ମହିଳାଙ୍କ ସଂପର୍କୀୟଙ୍କଠାରୁ ମୋଟ ୮ ହଜାର ଟଙ୍କା ଦାବି କରିଥିଲେ । ପୂର୍ବରୁ ୫ ହଜାର ଟଙ୍କା ନେଇ ସାରିଥିଲେ । ବାକି ୩ ହଜାର ଟଙ୍କା ନେଉଥିବା ସମୟରେ ପୂର୍ବରୁ ଛକି ରହିଥିବା ଭିଜିଲାନ୍ସ ବିଭାଗର ଅଧିକାରୀମାନେ ଘଟଣାସ୍ଥଳରେ ତାଙ୍କୁ ଧରିଥିଲେ । ଡାକ୍ତର ଜେନାଙ୍କୁ ଗିରଫ କରିବା ସହିତ ଆବଶ୍ୟକ କାଗଜପତ୍ର ଜବତ କରି ଏକ ଲାଞ୍ଚ ମାମଲା ରୁଜୁ କରାଯାଇଛି । ଏଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଏହା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।