ପ୍ରଥମ ପର୍ଯ୍ୟାୟ ହିଂସା; ୭୦ ପ୍ରତିଶତ ମତଦାନ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ରାଜ୍ୟରେ ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ସରିଛି । ସକାଳ ୭ଟାରୁ ଆରମ୍ଭ ହୋଇ ଦିନ ଗୋଟିଏ ପର୍ଯ୍ୟନ୍ତ ରାଜ୍ୟର ଅନେକ ବୁଥରେ ଚାଲିଥିଲା ମତଦାନ । ହେଲେ ଗୋଟିଏ ପଟେ ମତଦାନର ଖବର ଆସୁଥିବାବେଳେ ଆଉ ଗୋଟିଏ ପଟେ ନିର୍ବାଚନୀ ହିଂସାର ଖବର ସାମ୍ନାକୁ ଆସିଥିଲା । ଏପରିକି ନିର୍ବାଚନୀ ହିଂସା ପାଇଁ ପ୍ରାୟ ୧୬ଟି ମତଦାନ ବୁଥରେ ମତଦାନ ସ୍ଥଗିତ ରଖାଯାଇଛି । ବୁଥ ଜବରଦଖଲ, ବୋମାମାଡ଼, ବାଲଟ ବାକ୍ସ ଉଠାଇ ନେବା, ଖବରଦାତାଙ୍କୁ ମାଡ଼ ମାରିବା ଭଳି ଘଟଣା ଘଟିଛି । ବିଶେଷକରି ପୁରୀ, ଯାଜପୁର, କଟକ, ଢ଼େଙ୍କାନାଳ, କଳାହାଣ୍ଡି ଜିଲ୍ଲାର ବିଭିନ୍ନ ସ୍ଥାନରେ ହିଂସାତ୍ମକ ପରିସ୍ଥିତି ସୃଷ୍ଟି ହୋଇଛି । ଏପରିକି ନିର୍ବାଚନ ହିଂସା ପାଇଁ ୧୬ ଟି ସ୍ଥାନରେ ମତଦାବ ବନ୍ଦ ରହିଛି ।

କଳାହାଣ୍ଡି ଜିଲ୍ଲାର ଜୁନାଗଡ଼ ବ୍ଲକର ଡୁଣ୍ଡାମେଲା ଗ୍ରାମପଞ୍ଚାୟତର ୧୧ ନମ୍ବର ୱାର୍ଡରେ ବିଶେଷ କାରଣ ଯୋଗୁଁ ନିର୍ବାଚନ ହୋଇ ନଥିବା କମିଶନଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ସେହିପରି ଢ଼େଙ୍କାନାଳ ଜିଲ୍ଲାର ୩ଟି ବୁଥ, ଯାଜପୁର ଜିଲ୍ଲାର ୭ଟି ବୁଥ ଏବଂ ପୁରୀ ଜିଲ୍ଲାର ୫ଟି ବୁଥରେ ହିଂସାକାଣ୍ଡ ଯୋଗୁଁ ଭୋଟ ଗ୍ରହଣ ସ୍ଥଗିତ ରହିଥିବା କମିଶନଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ସେପଟେ କୃଷ୍ଣପ୍ରସାଦ ଅଞ୍ଚଳର ଅଲଣ୍ଡା ପଞ୍ଚାୟତର ୪ ନମ୍ବର ବୁଥରେ ଗୋଷ୍ଠୀ ସଂଘର୍ଷ ଘଟିଥିଲା । ଏପରିକି ବୋମାମାଡ଼ ମଧ୍ୟ ହୋଇଥିବାର କଥା ସାମ୍ନାକୁ ଆସିଥିଲା । ଅନ୍ୟପଟେ ପ୍ରଥମ ପର୍ଯ୍ୟାୟରେ ମୋଟ ୭୦ ପ୍ରତିଶତ ମତଦାନ ହୋଇଛି ।

Related Posts