
ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ମଧ୍ୟପ୍ରଦେଶର ରେୱାରୁ ବିଜେପି ସାଂସଦ ଜନାର୍ଦ୍ଦନ ମିଶ୍ର ସବୁବେଳେ ନିଜର ଭିନ୍ନ ବିବୃତ୍ତି ନେଇ ଚର୍ଚ୍ଚାରେ ରୁହନ୍ତି। ଏବେ ସେ ପୁଣି ଥରେ ଜଳ ସଂରକ୍ଷଣ ପାଇଁ ପରାମର୍ଶ ଦେଉଥିବା ବେଳେ ଅଜବ ବିବୃତ୍ତି ଦେଇଥିଲେ। ସାଂସଦ ଜନାର୍ଦ୍ଦନ ମିଶ୍ର କହିଛନ୍ତି ଯେ, ଆପଣ ମଦ୍ୟପାନ କରନ୍ତୁ, ଧୁମ୍ରପାନ କରନ୍ତୁ, ଗଞ୍ଜେଇ ଏବଂ କୋକେନ ସେବନ କରନ୍ତୁ। କିନ୍ତୁ ଜଳର ମହତ୍ତ୍ୱ ବୁଝନ୍ତୁ, ଜଳକୁ ସଂରକ୍ଷଣ କରନ୍ତୁ। ବର୍ତ୍ତମାନ ଜଳର ଅପଚୟ ଖର୍ଚ୍ଚକୁ ନେଇ ସାଂସଦଙ୍କ ଏହି ବିବୃତ୍ତି ଏବେ ବହୁତ ଭାଇରାଲ ହେବାରେ ଲାଗିଛି।
ସାଂସଦ ଜନାର୍ଦ୍ଦନ ମିଶ୍ର କହିଛନ୍ତି ଯେ, ସମସ୍ତଙ୍କୁ ଜଳ ଉପରେ ଟିକସ ଦେବାକୁ ପଡିବ। ଯେତେବେଳେ ଲୋକମାନେ କିଛି ପାଇଁ ଦେୟ ଦିଅନ୍ତି, କେବଳ ସେତେବେଳେ ହିଁ ସେମାନେ ଏହାର ସଞ୍ଚୟ ପ୍ରତି ଧ୍ୟାନ ଦିଅନ୍ତି। ବାସ୍ତବରେ, ସହରର କୃଷ୍ଣ ରାଜ କପୁର ଅଡିଟୋରିୟମରେ ଜଲ ଜୀବନ ମିଶନ ଅଧୀନରେ ଚାଲିଥିବା ‘ହର ଘର ଜଲ ଅଭିଯାନ’ ଦ୍ଵାରା ଏକ କର୍ମଶାଳା ଆୟୋଜିତ ହୋଇଥିଲା। ଏହି କର୍ମଶାଳାରେ ମୁଖ୍ୟ ଅତିଥି ଭାବେ ରେୱା ନିର୍ବାଚନମଣ୍ଡଳୀରୁ ବିଜେପି ସାଂସଦ ଜନାର୍ଦ୍ଦନ ମିଶ୍ରଙ୍କୁ ନିମନ୍ତ୍ରଣ କରାଯାଇଥିଲା। ମଧ୍ୟପ୍ରଦେଶ ଫାଉଣ୍ଡେସନ ଦିବସ ପାଳନ ଅବସରରେ ଏହି କର୍ମଶାଳା ଆୟୋଜିତ ହୋଇଥିଲା।
ତେବେ ସାଂସଦ ଜନାର୍ଦ୍ଦନଙ୍କର ଅନେକ ବିବୃତ୍ତି ସବୁବେଳେ ଚର୍ଚ୍ଚାରେ ରୁହେ ଯେପରିକି ସେ ଦୁର୍ନୀତି ମାମଲାରେ ଅଧିକାରୀମାନଙ୍କୁ ଜୀବନ୍ତ ପୋତିଦେବାକୁ ଧମକ ଦେଇ ଚର୍ଚ୍ଚାର ବିଷୟ ପାଲଟିଥିଲେ। ଏଥି ସହିତ, ନିକଟରେ ସେ ଟ୍ୱିଟରରେ ହଷ୍ଟେଲର ଟଏଲେଟ୍ କୁ ଗ୍ଲୋଭସ୍ ବିନା ସଫା କରିବାର ଏକ ଭିଡିଓ ପୋଷ୍ଟ କରିଥିଲେ।
ଗତ ମାସରେ ଭାଇରାଲ୍ ଭିଡିଓରେ ସେ ଖାଲି ହାତରେ ପାଇଖାନାକୁ ରଗଡ଼ି ରଗଡ଼ି ସଫା କରୁଥିବାର ଦୃଶ୍ୟ ଦେଖିବାକୁ ମିିଳିଥିଲା। ସାଂସଦ ଜଣକ ପାଇଖାନା ସଫା କରିବା ପାଇଁ ବିନା କିଛି ବ୍ରସ୍ ରେ ଖାଲି ହାତରେ ସଫା କରୁଥଲେ। ମିଶ୍ର ମଧ୍ୟ ଏହି ଭିଡିଓକୁ ନିଜ ଟ୍ୱିଟର ହ୍ୟାଣ୍ଡେଲରେ ସେୟାର କରି ଲେଖିଥିଲେ ଯେ, “ଦଳ ଦ୍ୱାରା ପରିଚାଳିତ ସେବା ପଖଓ୍ବାଡା ଅଧୀନରେ ଯୁବ ମୋର୍ଚ୍ଚା, ବାଳିକା ବିଦ୍ୟାଳୟରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ପରେ ବିଦ୍ୟାଳୟର ଶୌଚାଳୟ ସଫା କରିଥିଲି।”