ଋଷ ଏବଂ ୟୁକ୍ରେନ ଯୁଦ୍ଧ ଏହା ଭିତରେ ୨୨ଦିନରେ ପହଁଚିଛି । ଏହା ଭିତରେ ଯୁଦ୍ଧ ବନ୍ଦ ପାଇଁ ୫ଟି ପର୍ଯ୍ୟାୟରେ ହୋଇଥିବା ଶାନ୍ତି ଆଲୋଚନା ବିଫଳ ହେବା ପରେ ଏବେ ଷଷ୍ଠ ପର୍ଯ୍ୟାୟ ଆଲୋଚନା ପାଇଁ ପ୍ରସ୍ତୁତି ଚାଲିଛି । ସେପଟେ ଉଭୟ ଦେଶ ପରସ୍ପରକୁ କଡା ଟକ୍କର ଦେବାରେ ଲାଗିଛନ୍ତି | ଫଳରେ ଉଭୟ ଦେଶର ଅନେକ ସୈନିକ ପ୍ରାଣ ହରାଇଥିବା ବେଳେ, ଅନେକ ଆହତ ମଧ୍ୟ ହୋଇଛନ୍ତି |

ଅନ୍ୟପଟେ ଯୁକ୍ତରାଷ୍ଟ୍ର ଆମେରିକାର ଗୁଇନ୍ଦା ବିଭାଗ ପକ୍ଷରୁ ଆହତ ଓ ସହିଦ ସୈନିକ ଙ୍କ ସଂଖ୍ୟାକୁ ନେଇ ଆକଳନ କରିଛି | ମାତ୍ର ୩ ସପ୍ତାହ ଯୁଦ୍ଧ କରିଥିବା ବେଳେ ରୁଷ୍‌ର ଅନ୍ୟୂନ ୭୦୦୦ ସୈନିକଙ୍କର ମୃତ୍ୟୁ ଘଟିଥିବା ଆକଳନ କରିଛି। ଏହା ବ୍ୟତିରେକେ, ଯୁଦ୍ଧରେ ଅନ୍ୟୂନ ୩ଜଣ ରୁଷୀୟ ଜେନେରାଲ୍‌ଙ୍କର ମୃତ୍ୟୁ ଘଟିଛି ଓ ୧୪,୦୦୦ରୁ ୨୧୦୦୦ ସୈନିକ ଆହତ ହୋଇଛନ୍ତି।

ସେପଟେ, ମେଲିଟୋପଲ୍‌ର ମେୟର୍‌ଙ୍କୁ ମୁକ୍ତ କରିବା ଲାଗି ୟୁକ୍ରେନ୍‌ ବନ୍ଦୀ କରିଥିବା ୯ରୁ ଅଧିକ ରୁଷୀୟ ସୈନିକଙ୍କୁ ଛାଡ଼ି ଦେଇଥିବା କଥା ଜଣେ ୟୁକ୍ରେନୀୟ ସରକାରୀ ଅଧିକାରୀ କହିଛନ୍ତି। ଏ ପ୍ରସଙ୍ଗରେ ସେ କହିଛନ୍ତି, ଧରାପଡ଼ି ଛାଡ଼ ପାଇଥିବା ରୁଷୀୟ ସୈନିକମାନେ ୨୦୦୨/୦୩ରେ ଜନ୍ମ ଗ୍ରହଣ କରିଥିଲେ। ବାସ୍ତବରେ ସେମାନେ ପିଲା।

ସେହିପରି କ୍ରେମ୍‌ଲିନ୍‌ ମଧ୍ୟ କହିଛି ଯେ, ବାଇଡେନ୍‌ ପୁଟିନ୍‌ଙ୍କୁ ଯୁଦ୍ଧ ଅପରାଧୀ କହିବା ଅଗ୍ରହଣୀୟ। ସାଧାରଣ ନାଗରିକାମାନଙ୍କ ପାଇଁ ବିଧ୍ବସ୍ତକାରୀ ପରିଣାମ ଆଣିବା ସହ ରୁଷ୍‌ ୟୁକ୍ରେନ୍‌ ଆକ୍ରମଣ ଜାରି ରଖିଥିବାରୁ ରୁଷୀୟ ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନ୍‌ଙ୍କୁ ବୁଧବାର ଦିନ ଆମେରିକୀୟ ରାଷ୍ଟ୍ରପତି ଜୋ ବାଇଡେନ୍‌ ଯୁଦ୍ଧ ଅପରାଧୀ ବୋଲି କହିଥିଲେ।

ୟୁକ୍ରେନୀୟ ରାଷ୍ଟ୍ରପତି ଜେଲେନ୍‌ସ୍କି ମଧ୍ୟ କହିଛନ୍ତି ଯେ, ୟୁକ୍ରେନ୍‌ ପାଇଁ ଅଧିକ ସମର୍ଥନ ଏବଂ ଶାନ୍ତି ପାଇଁ ରୁଷ୍‌ ଉପରେ ଅଧିକ ଚାପ ପ୍ରୟୋଗ ପାଇଁ ସେ ଲଢ଼େଇ ଚାଲୁ ରଖିବେ। ସେଥିପାଇଁ ସେ ଆଜି ଜର୍ମାନ୍‌ ସଂସଦରେ ଉଦ୍‌ବୋଧନ ଦେବେ।