ଜବରଦଖଲ ଉଚ୍ଛେଦ ବେଳେ ଭଦ୍ରକ ବନ୍ତ ଛକରେ ଉତ୍ତେଜନା, ୧୪୪ ଧାରା ଜାରି କଲା ପ୍ରଶାସନ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଜବରଦଖଲ ଉଚ୍ଛେଦ ବେଳେ ଭଦ୍ରକ ବନ୍ତ ଛକରେ ବିରୋଧ ପ୍ରଦର୍ଶନ ଓ ଉତ୍ତେଜନା ପ୍ରକାଶ ପାଇଛି । ଏହା ପରେ ସଂପୃକ୍ତ ଅଞ୍ଚଳରେ ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯାଇଛି । ଏହା ସହିତ ବିରୋଧ କରୁଥିବା ନେତାଙ୍କୁ ପୋଲିସ ଅଟକ ରଖିଛି । ମିଳିଥିବା ସୂଚନା ଅନୁସାରେ ଏହି ଅଞ୍ଚଳରେ ଆଜି ଦିନ ୧୧ଟା ଠାରୁ ଆସନ୍ତା କାଲି ସକାଳ ୮ଟା ପର୍ଯ୍ୟନ୍ତ ୧୪୪ ଧାରା ବଳବତ୍ତର ରହିବ।

ସୁଚନାଯୋଗ୍ୟ ଯେ, ଭଦ୍ରକ ସହରର ବନ୍ତ ଛକ ନିକଟ ୧୬ ନମ୍ବର ଜାତୀୟ ରାଜପଥ ପାର୍ଶ୍ଵରେ ଜବରଦଖଲ କରି ବହୁ ଦୋକାନ ଖୋଲାଯାଇଛି । ପୂର୍ବରୁ ଉଚ୍ଛେଦ ପାଇଁ ଘୋଷଣା ସତ୍ତ୍ୱେ ଦୋକାନ ଗୁଡିକ ଖୋଲା ଥିବାରୁ ପ୍ରଶାସନ ଉଚ୍ଛେଦ କରିବା ପାଇଁ ପ୍ରୟାସ କରିଥିଲା। ହେଲେ ବିରୋଧ ପାଇଁ ଉଚ୍ଛେଦ ହୋଇ ପାରିନଥିଲା । ଆଜି ପୁଣି ଥରେ ଉଚ୍ଛେଦ ଆରମ୍ଭ କରିଛି ଜିଲ୍ଲା ପ୍ରଶାସନ । ୨ ଜଣ ତହସିଲଦାରଙ୍କୁ ମାଜିଷ୍ଟ୍ରେଟ ଭାବେ ମୁତୟନ କରି ବ୍ୟାପକ ପୋଲିସ ଫୋର୍ସଙ୍କ ଉପସ୍ଥିତିରେ ଉଚ୍ଛେଦ ଆରମ୍ଭ ବେଳେ କିଛି ଲୋକ ଏହାକୁ ବିରୋଧ କରିଥିଲେ । ପୋଲିସ ସେମାନଙ୍କୁ ଅଟକ ରଖିଥିବା ବେଳେ ଉଚ୍ଛେଦ କାର୍ଯ୍ୟକୁ ଜୋରଦାର କରିଛି । ଏହି ସମୟରେ ପୋଲିସ ସହ ବିରୋଧକାରୀଙ୍କ ଯୁକ୍ତିତର୍କ ଓ ଧସ୍ତାଧସ୍ତି ଯୋଗୁଁ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହାପରେ ସଂପୃକ୍ତ ଅଞ୍ଚଳରେ ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯାଇଛି ।

Related Posts