କରୋନାର ଦ୍ବିତୀୟ ଲହର ସମୟରେ ଓଡିଶା ଯୋଗାଇଛି ୪୭,୮୦୦ ମେଟ୍ରିକ ଟନ୍‍ ମେଡିକାଲ ଅକ୍ସିଜେନ୍‍

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : କରୋନା ମହାମାରୀର ଦ୍ୱିତୀୟ ଲହର ଭାରତରେ ପ୍ରବେଶ କରିବା ପରେ ଦେଶର ବିଭିନ୍ନ ରାଜ୍ୟରେ ତରଳ ମେଡିକାଲ ଅକ୍ସିଜେନ୍‍ ର ଘୋର ଅଭାବ ଦେଖାଦେଇଥିଲା। ଆଉ ଏହି ସଙ୍କଟ ସମୟରେ ଓଡିଶାର ଇସ୍ପାତ କମ୍ପାନୀଗୁଡିକ ଆବଶ୍ୟକତାର ସିଂହଭାଗ ପ୍ରାୟ ୪୭,୮୦୦ ମେଟ୍ରିକ ଟନ୍‍ ଅକ୍ସିଜେନ୍‍ ବିଭିନ୍ନ ରାଜ୍ୟକୁ ସପ୍ଲାଏ କରି ଥିଲେ। ଉଭୟ ରାଷ୍ଟ୍ରାୟତ ଓ ଘରୋଇ କ୍ଷେତ୍ରର ଇସ୍ପାତ କମ୍ପାନୀଗୁଡିକ ଦ୍ବିତୀୟ ଲହର ସମୟରେ ଆଗକୁ ଆସି ଅଧିକରୁ ଅଧିକ ଅକ୍ସିଜେନ୍‍ ଉତ୍ପାଦନ କରି ଅମ୍ଳଜାନ ଅଭାବ ଦେଖାଦେଇଥିବା ରାଜ୍ୟର ଚାହିଦା ପୂରଣ କରି ପାରିଥିଲେ।

ଚଳିତ ବର୍ଷ ଏପ୍ରିଲ ୧ ରୁ ଜୁଲାଇ ୨୫ତାରିଖ ମଧ୍ୟରେ ଦେଶର ସମସ୍ତ ଘରୋଇ ଓ ରାଷ୍ଟ୍ରାୟତ ସଂସ୍ଥାଗୁଡିକ ମିଳିତ ଭାବେ ୨,୩୦,୨୬୨ ମେଟ୍ରିକ ଟନ୍‍ ତରଳ ଅକ୍ସିଜେନ ସପ୍ଲାଏ କରିଛନ୍ତି। ସେହିପରି ଓଡିଶାର ଇସ୍ପାତ କାରଖାନାଗୁଡିକ କେବଳ ୪୭,୮୦୦ ଟନ୍‍ ମେଡିକାଲ ଅମ୍ଳଜାନ ବିଭିନ୍ନ ରାଜ୍ୟକୁ ପଠାଇଛନ୍ତି। କୋଭିଡ ପ୍ରକୋପ ସହିତ ଗୁରୁତର ରୋଗୀଙ୍କ ପାଇଁ ଅଧିକ ଅକ୍ସିଜେନ୍‍ ଆବଶ୍ୟକ ହେଉଥିବାବେଳେ ରାଉରକେଲା ଇସ୍ପାତ କାରଖାନା ଓ ଏହାର ବିଓଓ ପ୍ଲାଣ୍ଟ ୨୨,୨୪୧ ମେଟ୍ରିକ ଟନ୍‍ ତରଳ ଅକ୍ସିଜେନ୍‍ ଉତ୍ପାଦନ କରିଥିଲେ।

କଳିଙ୍ଗନଗର ସ୍ଥିତ ଟାଟା ଷ୍ଟିଲ୍‍ ଏବଂ ଅନୁଗୁଳର ଟାଟା ଷ୍ଟିଲ (ବିଏସ୍‍ଏଲ୍‍) ୧୮,୭୬୭ ମେଟ୍ରିକ ଟନ୍‍ ତରଳ ଅକ୍ସିଜେନ୍‍ ସପ୍ଲାଏ କରିଛନ୍ତି । ଯାଜପୁର ଠାରେ ଥିବା ଜିନ୍ଦଲ ଷ୍ଟିଲ ପ୍ଲାଣ୍ଟ ୩୧୦୫.୮୮ ମେଟ୍ରିକ ଟନ୍‍ ତରଳ ଅକ୍ସିଜେନ୍‍ ଏହି ସମୟରେ ଯୋଗାଣ କରିଥିବାବେଳେ ଅନୁଗୁଳ ସ୍ଥିତ ଜେଏସ୍‍ପିଏଲ୍‍ ବିଭିନ୍ନ ରାଜ୍ୟକୁ ୨୯୬୩.୩୭ ଟନ୍‍ ଅକ୍ସିଜେନ ଯୋଗାଣ କରିଛନ୍ତି । ଝାରସୁଗୁଡା ଠାରେ ଥିବା ଜେଏସଡବ୍ଲ୍ୟୁ (ବିପିଏସଏଲ୍‍) ୭୧୮.୯ ଟନ୍‍ ଅକ୍ସିଜେନ୍‍ ଯୋଗାଣ କରିଛି ।

କରୋନା ମହାମାରୀର ଦ୍ୱିତୀୟ ଲହର ପିକ୍‍ ରେ ପହଞ୍ଚିଥିବା ସମୟରେ ମେଡିକାଲ ଅମ୍ଳଜାନର ଚାହିଦା ଆଶାତୀତ ଭାବେ ବୃଦ୍ଧି ପାଇଥିଲା। ଏହାକୁ ଦୃଷ୍ଟିରେ ରଖି ଓଡିଶାର ବିଭିନ୍ନ ଅମ୍ଳଜାନ ଉତ୍ପାଦନକାରୀ ପ୍ଲାଣ୍ଟ ଉତ୍ପାଦନ ବୃଦ୍ଧି କରିଥିଲେ । ଚଳିତ ବର୍ଷ ଏପ୍ରିଲ୍‍ ପହିଲାରେ ୫୩୮ ଟନ୍‍ ଅକ୍ସିଜେନ୍‍ ଯୋଗାଣ ହୋଇଥିବାବେଳେ ମଇ ୧୩ ତାରିଖରେ ଏହାର ପରିମାଣ ୪୭୪୯ ମେଟ୍ରିକ ଟନ୍‍ ଥିଲା ।

ତରଳ ଅକ୍ସିଜେନ୍‍ ଉତ୍ପାଦନ ବୃଦ୍ଧି କରିବା ପାଇଁ ଇସ୍ପାତ କାରଖାନାଗୁଡିକର ଇସ୍ପାତ ଉତ୍ପାଦନ ପରିମାଣ ଚଳିତ ବର୍ଷ ଏପ୍ରିଲ୍‍ ରୁ ଜୁନ୍‍ମାସ ମଧ୍ୟରେ ୫ଲକ୍ଷ ଟନ୍‍ ହ୍ରାସ ପାଇଛି। ଏ ସମ୍ପର୍କରେ କେନ୍ଦ୍ର ଇସ୍ପାତ ମନ୍ତ୍ରୀ ଆରସିପି ସିଂହ ଲୋକସଭାରେ ଏକ ଲିଖିତ ଉତ୍ତରରେ ସୂଚନା ଦେଇଛନ୍ତି । ଇସ୍ପାତ କାରଖାନାରୁ ଉତ୍ପାଦିତ ତରଳ ଅକ୍ସିଜେନ୍‍ ଦେଶର ୨୨ଟି ରାଜ୍ୟକୁ ଉଭୟ ସଡକ, ରେଳ ଓ ଆକାଶପଥରେ ଯୋଗାଇ ଦିଆଯାଇଥିବା ମନ୍ତ୍ରୀ ତାଙ୍କ ଉତ୍ତରରେ କହିଛନ୍ତି ।

ଓଡିଶା ସରକାର ଅକ୍ସିଜେନ୍‍ ଯୋଗାଣ ପାଇଁ ରାଜ୍ୟ ସରକାର ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତାଙ୍କ ଅଧ୍ୟକ୍ଷତାରେ ଏକ ରାଜ୍ୟ ସ୍ତରୀୟ ଟାସ୍କଫୋର୍ସ ଗଠନ କରିଥିଲେ। ଏହି ଟାସ୍କଫୋର୍ସ ବିନା ବାଧାରେ କିଭଳି ଆବଶ୍ୟକ ଥିବା ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ଅକ୍ସିଜେନ ସପ୍ଲାଏ ହେବ ସେ ଦିଗରେ ପଦକ୍ଷେପ ନେଇଥିଲା ।

ଏହି ସମୟରେ ଓଡିଶାରେ ୧୨,୭୫୦ ଟନ୍‍ ଅକ୍ସିଜେନ୍‍ ବ୍ୟବହାର ହୋଇଥିବାବେଳେ ଅନ୍ୟ ରାଜ୍ୟକୁ ବହୁ ପରିମାଣରେ ସପ୍ଲାଏ ହୋଇଥିଲା । ଟାସ୍କଫୋର୍ସର ମୁଖ୍ୟ ଅସିତ ତ୍ରିପାଠୀ, ଶିଳ୍ପ ବିଭାଗର ପ୍ରମୁଖ ସଚିବ ହେମନ୍ତ ଶର୍ମା ଓ ଓଡିଶା ପୁଲିସ୍‍ ଟିମର ନେତୃତ୍ୱ ନେଉଥିବା ଏସ.କେ.ଜେଠୱାଙ୍କ ଉଦ୍ୟମରେ ଅକ୍ସିଜେନ ଯୋଗାଣ କ୍ଷେତ୍ରରେ ଓଡିଶା ସମଗ୍ର ଦେଶରେ ପ୍ରଶଂସା ପାଇଥିଲା।

Related Posts