ଶୁଭାରମ୍ଭ ହେଲା ଇ-ଶ୍ରମ ପୋର୍ଟାଲ : ଅସଂଗଠିତ କ୍ଷେତ୍ରର ଶ୍ରମିକମାନେ କରିପାରିବେ ପଞ୍ଜୀକରଣ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର : କେନ୍ଦ୍ର ଶ୍ରମ ଓ ନିୟୋଜନ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ ଗୁରୁବାର ଦିନ ବିଧିବଦ୍ଧ ଭାବେ ଇ-ଶ୍ରମ ପୋର୍ଟାଲର ଶୁଭାରମ୍ଭ କରିଛନ୍ତି। ଭାରତ ଇତିହାସରେ ପ୍ରଥମ ଥର ପାଇଁ ଏଭଳି ଏକ ବ୍ୟବସ୍ଥା ସୃଷ୍ଟି କରାଯାଇଛି ଯେଉଁଥିରେ ୩୮ କୋଟି ଅସଂଗଠିତ କ୍ଷେତ୍ରର ଶ୍ରମିକମାନେ ପଞ୍ଜୀକରଣ କରିପାରିବେ। ଏଥିରେ ରେଜିଷ୍ଟ୍ରେସନ କରିଥିବା ଲୋକ ମାନେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ କାର୍ଯ୍ୟକାରୀ କରାଯାଉଥିବା ବିଭିନ୍ନ ସାମାଜିକ ସୁରକ୍ଷା ଯୋଜନାର ଲାଭ ପାଇପାରିବେ ।

ଏହି ଅବସରରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଇ-ଶ୍ରମ ପୋର୍ଟାଲରେ ପଞ୍ଜିକୃତ ହେଉଥିବା ପ୍ରତ୍ୟେକ ଶ୍ରମିକଙ୍କୁ ୨ ଲକ୍ଷ ଟଙ୍କାର ଦୁର୍ଘଟଣା ବୀମା ପାଇପାରିବେ। ଇ-ଶ୍ରମ ପୋର୍ଟାଲରେ ପଞ୍ଜୀକରଣ କରିଥିବା ପ୍ରତ୍ୟେକ ଶ୍ରମିକଙ୍କର ଦୁର୍ଘଟଣା ଜନିତ ମୃତ୍ୟୁ କିମ୍ବା ସ୍ଥାୟୀ ଅକ୍ଷମତା କ୍ଷେତ୍ରରେ ପୀଡ଼ିତ ୨ ଲକ୍ଷ ଟଙ୍କାର ବୀମା ରାଶି ପାଇପାରିବେ। ସେହିପରି ଆଂଶିକ ରୂପରେ ଅକ୍ଷମ ହେଲେ ୧ ଲକ୍ଷ ଟଙ୍କାର ବୀମା ପାଇପାରିବେ।

ଏହି ଅବସରରେ ଶ୍ରମ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ତେଲି ଇ-ଶ୍ରମ ପୋର୍ଟାଲର ବୈଶିଷ୍ଟ୍ୟଗୁଡ଼ିକ ବିଷୟରେ ଉଲ୍ଲେଖ କରିବା ସଙ୍ଗେ ସଙ୍ଗେ ଏଥିରେ ସମସ୍ତ ଅସଂଗଠିତ କ୍ଷେତ୍ରର ଶ୍ରମିକମାନଙ୍କର ପଞ୍ଜୀକରଣ ନିମନ୍ତେ ଆରମ୍ଭ ହୋଇଥିବା ଅଭିଯାନରେ ଅଂଶଗ୍ରହଣ କରିବା ଲାଗି ଦେଶବାସୀଙ୍କୁ ଆହ୍ବାନ କରିଥିଲେ।

କାର୍ଯ୍ୟକ୍ରମରେ ଶ୍ରମ ମନ୍ତ୍ରଣାଳୟର ସଚିବ ଶ୍ରୀ ଅପୂର୍ବ ଚନ୍ଦ୍ର କହିଥିଲେ ଯେ ଦେଶର ଇତିହାସରେ ଏହି ପୋର୍ଟାଲ ଏକ ବୃହତ ପରିବର୍ତ୍ତନ ଆଣିବାକୁ ଯାଉଛି । ଦେଶର ୩୮ କୋଟି ଅସଂଗଠିତ ଶ୍ରମିକଙ୍କୁ ଏହି ଗୋଟିଏ ପୋର୍ଟାଲରେ ପଞ୍ଜୀକରଣ କରାଯିବ । ନିଜ ମୋବାଇଲରେ କିମ୍ବା ଜନ ସେବା କେନ୍ଦ୍ର କିମ୍ବା ଅନ୍ୟତ୍ର ଅସଂଗଠିତ କ୍ଷେତ୍ରର ଶ୍ରମିକମାନେ ଏହି ପୋର୍ଟାଲରେ ପଞ୍ଜୀକରଣ କରିପାରିବେ। ଏଥିପାଇଁ ସେମାନଙ୍କୁ କୌଣସି ପ୍ରକାରର ଦେୟ ଦେବାକୁ ପଡ଼ିବ ନାହିଁ।

ପଞ୍ଜୀକରଣ କରିବା ପରେ ଶ୍ରମିକମାନଙ୍କୁ ଏକ ଇ-ଶ୍ରମ କାର୍ଡ ଦିଆଯିବ ଯାହାର ଏକ ଅଭିନବ ୟୁନିଭର୍ସାଲ ଆକାଉଣ୍ଟ ନମ୍ବର ରହିବ। ଏହି କାର୍ଡ ଜରିଆରେ ଶ୍ରମିକମାନେ ଯେକୌଣସି ସ୍ଥାନରେ ଏବଂ ଯେକୌଣସି ସମୟରେ ବିଭିନ୍ନ ସରକାରୀ ସାମାଜିକ ସୁରକ୍ଷା ଯୋଜନାର ଲାଭ ଉଠାଇ ପାରିବେ।

ଏହି କାର୍ଯ୍ୟକ୍ରମରେ ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମୁଖ୍ୟ ଶାସନ ସଚିବ, ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଶ୍ରମ ବିଭାଗ ପ୍ରମୁଖ ସଚିବ, ଶ୍ରମ କମିଶନରମାନେ ଭର୍ଚୁଆଲ ମାଧ୍ୟମରେ ଯୋଗ ଦେଇଥିଲେ। ଅସଂଗଠିତ କ୍ଷେତ୍ରର ଶ୍ରମିକମାନଙ୍କୁ ପଞ୍ଜୀକରଣ କରିବା ଦିଗରେ ପ୍ରମୁଖ ଭୂମିକା ନିର୍ବାହ କରିବାକୁ ଥିବା ୪ ଲକ୍ଷରୁ ଅଧିକ ଜନସେବା କେନ୍ଦ୍ର ଏହି ଉନ୍ମୋଚନ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।

ପୂର୍ବରୁ ପ୍ରଥମ ଓ ଦ୍ବିତୀୟ ପ୍ରାକ୍ ଉନ୍ମୋଚନ ବୈଠକରେ ଏହି ପୋର୍ଟାଲ ସମ୍ପର୍କରେ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶ ମାନଙ୍କୁ ସୂଚନା ଦିଆଯାଇସାରିଛି। ଏହାକୁ କାର୍ଯ୍ୟକାରୀ କରିବା ଲାଗି ଆବଶ୍ୟକ ଗାଇଡଲାଇନ ମଧ୍ୟ ଜାରି କରାଯାଇଛି। କୋଭିଡ ପରିସ୍ଥିତିକୁ ଦୃଷ୍ଟିରେ ରଖି ଭର୍ଚୁଆଲ ମାଧ୍ୟମରେ ଏହି ପୋର୍ଟାଲର ଶୁଭାରମ୍ଭ କରିବା ସହିତ ଅସଂଗଠିତ ଶ୍ରମିକଙ୍କ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ କରିବା ଲାଗି ଏହାକୁ ରାଜ୍ୟମାନଙ୍କୁ ହସ୍ତାନ୍ତର କରାଯାଇଛି।

Related Posts