(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ସଂରକ୍ଷଣ ସୀମା ୫୦% ଭିତରେ ସୀମିତ ରହିବ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ସରକାର ଆସନ ସଂରକ୍ଷିତ କରିବେ। ତେଣୁ ପଞ୍ଚାୟତ ନିର୍ବାଚନରେ ସଂରକ୍ଷଣ ନେଇ ବିଧାନସଭାରେ ଆମେଣ୍ଡମେଣ୍ଟ ଆସିବ । ଏନେଇ ରାଜ୍ୟ ସରକାର ପ୍ରକ୍ରିୟା ଆରମ୍ଭ କରିଥିବା ସୂଚନା ଦେଇଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା । ମନ୍ତ୍ରୀ କହିଛନ୍ତି ଯେ ପଞ୍ଚାୟତ ନିର୍ବାଚନ ପାଇଁ ରାଜ୍ୟ ସରକାର ପ୍ରକ୍ରିୟା ଆରମ୍ଭ କରିଛନ୍ତି। ନିର୍ବାଚନରେ ସଂରକ୍ଷଣ ନେଇ ଆଇନରେ ଆବଶ୍ୟକ ସଂଶୋଧନ ପ୍ରସ୍ତାବ ଆସନ୍ତା ବିଧାନସଭା ଅଧିବେଶନରେ ଆସିବ।
ଓବିସି ସଂରକ୍ଷଣ ନେଇ ବିଜେଡି କେନ୍ଦ୍ର ନିକଟରେ ଦାବି କରିଥିଲା । କିନ୍ତୁ ସଂସଦରେ କୌଣସି ପଦକ୍ଷେପ ନିଆଯାଉନି । କେନ୍ଦ୍ର ବ୍ୟବସ୍ଥା ନକଲେ ବି ଦଳୀୟ ଭିତ୍ତିରେ ୨୭ ପ୍ରତିଶତ ସଂରକ୍ଷଣ ନେଇ ବିଜେଡି ନିର୍ବାଚନ ଲଢିବ ବୋଲି ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି । ଏଥିପାଇଁ ଯାହା ବ୍ୟବସ୍ଥା ଦରକାର ତାହା ବିଧାନସଭାରେ କରାଯିବ । ଏଥର ନିର୍ବାଚନରେ ପଞ୍ଚାୟତ ପୁନର୍ଗଠନ ହେବ ନାହିଁ ବୋଲି ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ।
ସୂଚନାଯୋଗ୍ୟ ଯେ ଗତଥର ପଞ୍ଚାୟତ ନିର୍ବାଚନରେ ଆସନ ସଂରକ୍ଷଣ ୬୫%ରୁ ଅଧିକ ହୋଇଥିଲା। ଅନୁସୂଚିତ ଜାତିଙ୍କୁ ୧୬.୨୫%, ଅନୁସୂଚିତ ଜନଜାତିଙ୍କୁ ୨୨.୫% ଓ ଓବିସିଙ୍କୁ ୨୭% ସଂରକ୍ଷଣ ଦିଆଯାଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ହାଇକୋର୍ଟ ଏ ସମ୍ପର୍କରେ ଏକ ମାମଲାର ଶୁଣାଣି କରି ନିର୍ଦ୍ଦେଶ ଦେଇଥିଲେ ଯେ ସଂରକ୍ଷଣ ସୀମା ୫୦% ଭିତରେ ରଖାଯିବ। ତେବେ ହାଇକୋର୍ଟଙ୍କ ଏହି ରାୟକୁ ସର୍ବୋଚ୍ଚ ନ୍ୟାୟାଳୟ ମଧ୍ୟ କାଏମ୍ ରଖିଥିଲେ।
କୋର୍ଟଙ୍କ ଏହି ରାୟକୁ ନେଇ ରାଜ୍ୟ ସରକାର ସଂରକ୍ଷଣକୁ ନେଇ ହରଡଘଣାରେ ପଡ଼ିଯାଇଥିଲେ। ରାଜ୍ୟ ଜନସଂଖ୍ୟାର ଅଧିକାଂଶ ଓବିସି ହୋଇଥିବା କାରଣରୁ ସେମାନଙ୍କ ପାଇଁ ସଂରକ୍ଷିତ ଆସନ କିପରି କମାଇବେ, ତାକୁ ନେଇ ସମସ୍ୟା ଦେଖା ଦେଇଥିଲା। ଆଉ ସେଇଥିପାଇଁ ରାଜ୍ୟ ସରକାର ଗତ ୩ ବର୍ଷ ହେଲାଣି ପୌର ନିର୍ବାଚନକୁ ଗଡେଇ ଚାଲିଛନ୍ତି। ଏହାରି ମଧ୍ୟରେ ପଞ୍ଚାୟତ ନିର୍ବାଚନ ମଧ୍ୟ ବିଳମ୍ବ ହେବା ନେଇ ଆଶଙ୍କା ଦେଖାଦେଇଥିଲା। ନିର୍ଦ୍ଦିଷ୍ଟ ସମୟରେ ପ୍ରକ୍ରିୟା ବି ଆରମ୍ଭ ହୋଇ ନ ଥିଲା।
ତେବେ ଏହି ସମସ୍ୟାକୁ ଏଡେଇବାକୁ ଯାଇ ବିଜେଡି ଭିନ୍ନ ଢଙ୍ଗରେ ଓବିସି କାର୍ଡ ଖେଳିଛି। ସରକାରୀ ଭାବେ ପଞ୍ଚାୟତ ନିର୍ବାଚନରେ ଓବିସିଙ୍କ ପାଇଁ ୨୭% ସଂରକ୍ଷଣ ନିଷ୍ପତ୍ତି ନେବାରେ ବାଧା ରହିଥିବାରୁ ଦଳ ପକ୍ଷରୁ ଆସନ୍ତା ପଞ୍ଚାୟତ ନିର୍ବାଚନରେ ବିଜେଡି ଅତି କମ୍ରେ ପଛୁଆ ବର୍ଗରୁ ୨୭% ପ୍ରାର୍ଥୀ ଦେବ ବୋଲି ଘୋଷଣା କରିଛି। ଆଉ ଶାସକ ଦଳର ଏହି ଘୋଷଣା ପରେ ପରେ ପଞ୍ଚାୟତ ନିର୍ବାଚନ ପ୍ରକ୍ରିୟା ତ୍ବରାନ୍ବିତ ହେବାର ସମ୍ଭାବନା ଦେଖାଦେଇଛି। ଏପଟେ ଗତ କାଲି ମନ୍ତ୍ରୀ ପ୍ରତାପ ଜେନାଙ୍କ ସୂଚନା ପରେ ସ୍ପଷ୍ଟ ହୋଇଯାଇଛି ଯେ ପଞ୍ଚାୟତ ନିର୍ବାଚନରେ ସରକାରୀ ଭାବେ ଓବିସିଙ୍କ ପାଇଁ ସର୍ବାଧିକ ୧୧.୨୫% ଆସନ ସଂରକ୍ଷିତ ରହିବ।
ତେବେ ପଞ୍ଚାୟତ ନିର୍ବାଚନ ପାଇଁ ମନ୍ତ୍ରୀଙ୍କ ଘୋଷଣା ପରେ ବିଜେପି ପୌର ନିର୍ବାଚନ କଥା ଉଠାଇଛି। ବିଜେପି ନେତା ଭୃଗୁ ବକ୍ସିପାତ୍ର କହିଛନ୍ତି, ପଞ୍ଚାୟତ ନିର୍ବାଚନ ତ ତା ସମୟରେ ହେବ । ସୁପ୍ରିମକୋର୍ଟ କହିଛନ୍ତି, ସଂରକ୍ଷଣ ୫୦ ପ୍ରତିଶତ ଭିତରେ ରହିବ । ଏହାକୁ ମାନିବାକୁ ରାଜ୍ୟ ସରକାର ବାଧ୍ୟ । ଏଥିରେ ନୂଆ କିଛି ନାହିଁ ବୋଲି କହିଛି ବିଜେପି । ହେଲେ ପଞ୍ଚାୟତ ନିର୍ବାଚନ ପୂର୍ବରୁ ବିଜେଡି ପୌର ନିର୍ବାଚନ କାହିଁକି କରୁନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି । ପୌର ନିର୍ବାଚନରେ ବିଜେଡିକୁ ପରାଜୟ ବରଣ କରିବାର ଭୟ ରହିଛି କି ବୋଲି ମଧ୍ୟ ବିଜେପି ପ୍ରଶ୍ନ କରିଛି । ରାଜ୍ୟ ସରକାର ପ୍ରଥମେ ପୌର ନିର୍ବାଚନ କରନ୍ତୁ ପରେ ପଞ୍ଚାୟତ ନିର୍ବାଚନ କରନ୍ତୁ ବୋଲି ବିଜେପି ଦାବି କରିଛି ।
ଏପଟେ ବିଜେପିକୁ ଜବାବ ଦେଇ ବିଜେଡି ମୁଖପାତ୍ର ଲେନିନ ମହାନ୍ତି କହିଛନ୍ତି, ୨୦୧୯ ସାଧାରଣ ନିର୍ବାଚନ ଓ ପରବର୍ତ୍ତୀ ସମସ୍ତ ଉପନିର୍ବାଚନରେ ହାରିବା ପରି ରାଜ୍ୟ ବିଜେପିକୁ ଏବେ ପଞ୍ଚାୟତ ଓ ପୌର ନିର୍ବାଚନରେ ହାରିବା ଜଳ ଜଳ ହୋଇ ଦେଖାଯାଉଛି। ତେଣୁ ପରାଜୟ ଭୟରେ ସେମାନେ ଏପରି ଭିତ୍ତିହୀନ ଓ ମନଗଢ଼ା ବିବୃତିର ଆଶ୍ରୟ ନେଉଛନ୍ତି। ପୌର ନିର୍ବାଚନ ପ୍ରସଙ୍ଗ ଏବେ ହାଇକୋର୍ଟଙ୍କ ନିକଟରେ ବିଚାରାଧୀନ ଅଛି ଓ ଓଡ଼ିଶା ବିଜେପି ଅଦାଲତଙ୍କୁ ସମ୍ମାନ ଦେବା ଉଚିତ। ସେପଟେ କଂଗ୍ରେସ ପକ୍ଷରୁ ବରିଷ୍ଠ ନେତା ଗଣେଶ୍ୱର ବେହେରା ଜାତିଭିତ୍ତିକ ଜନଗଣନା ପାଇଁ କେନ୍ଦ୍ର କାହିଁକି ମନାକରୁଛି ବୋଲି ପ୍ରଶ୍ନ କରିଛନ୍ତି । ୫୦% ସିଲିଂ ବ୍ୟବସ୍ଥା ନ ହଟିଲେ ଓବିସି ସଂରକ୍ଷଣ ହୋଇପାରିବ ନାହିଁ ବୋଲି କହିଛନ୍ତି ଗଣେଶ୍ୱର ।
