“ଆଗରୁ ବିଜେଡି ମୃତକଙ୍କ ନାଁରେ ରାସନ, ଘର ଦେଉଥିଲା କିନ୍ତୁ ଏବେ ଦଳୀୟ ପଦବୀ ବାଣ୍ଟୁଛି”: ବିଜେପି

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଆଗରୁ ବିଜେଡି ମୃତକଙ୍କ ନାଁରେ ରାସନ, ଘର ଦେଉଥିଲା କିନ୍ତୁ ଏବେ ଦଳୀୟ ପଦବୀ ମଧ୍ୟ ମୃତ ବ୍ୟକ୍ତିଙ୍କୁ ବାଣ୍ଟୁଛି । ବ୍ରହ୍ମପୁର ସହରର ମୃତ ମିନାକ୍ଷୀ ମିଶ୍ରଙ୍କ ନାମ ବିଜୁ ମହିଳା ଜନତା ଦଳ ରାଜ୍ୟ କାର୍ଯ୍ୟକାରିଣୀରେ ସ୍ଥାନ ପାଇବା ପରେ ବିଜେଡିକୁ କିଛି ଏଭଳି ଟାର୍ଗେଟ କରିଛନ୍ତି ବିଜେପି ରାଜ୍ୟ ମହିଳା ମୋର୍ଚ୍ଚାର ସଭାନେତ୍ରୀ ସ୍ମୃତି ପଟ୍ଟନାୟକ। ସ୍ୱର୍ଗତ ମିଶ୍ର ତାଙ୍କ ପୁଅ ପାଇଁ ରାଜ୍ୟ ସରକାରଙ୍କୁ ନ୍ୟାୟ ଭିକ୍ଷା କରି ଆତ୍ମହତ୍ୟା କରିଥିବାବେଳେ ତାଙ୍କୁ ଦଳୀୟ ମହିଳା ମୋର୍ଚ୍ଚାର ରାଜ୍ୟ କାର୍ଯ୍ୟକାରିଣୀ ପଦବୀରେ ନେବା ଅତ୍ୟନ୍ତ ଲଜ୍ଜାର ବିଷୟ ବୋଲି ଶ୍ରୀମତୀ ପଟ୍ଟନାୟକ କହିଛନ୍ତି । ସେ ଆହୁରି କହିଛନ୍ତି ଯେ, ଶିଶୁ ଓ ମହିଳାଙ୍କ ପାଇଁ ସଂପୂର୍ଣ୍ଣ ଅସୁରକ୍ଷିତ ହୋଇପଡିଛି ଓଡିଶା । ନାରୀ ସଶକ୍ତିକରଣର କଥା କହି ମିଛ ବାହାସ୍ପୋଟ ମାରୁଥିବା ରାଜ୍ୟ ସରକାର ମହିଳାଙ୍କୁ ସୁରକ୍ଷା ଦେବାରେ ସଂପୂର୍ଣ୍ଣ ବିଫଳ ହୋଇଥିବା ତଥ୍ୟ ସାମ୍ନାକୁ ଆସିଛି । ଶାସକ ବିଜେଡି ନିଜ ଦୋଷକୁ ଲୁଚାଇବାକୁ ଯାଇ ଏଭଳି ଦଳୀୟ ଆଧାରରେ ମହିଳା ଶାଖାର ଜୁମ୍ବୋ ସଂପ୍ରସାରଣ କରି ନିଜ ଦୋଷକୁ ଲୁଚାଉଥିବା ସ୍ମୃତି ପଟ୍ଟନାୟକ କହିଛନ୍ତି ।

ମା’କୁ ସମ୍ମାନ ନାରା ଦେଉଥିବା ରାଜ୍ୟ ସରକାରଙ୍କ ଅସଲ ମୁଖା ଖୋଲି ଦେଇଛି ଏନସିଆରବି ରିପୋର୍ଟ । ଓଡିଶାରେ ମହିଳା ବିରୋଧୀ ହିଂସା କ୍ରମାଗତ ବୃଦ୍ଧି ପାଇ ଚାଲିଥିବା ବେଳେ, ଦଣ୍ଡବିଧାନ ହାର କ୍ରମାଗତ ହ୍ରାସ ପାଇଚାଲିଛି । ୨୦୨୦ରେ ୨୫,୪୮୯ ଟି ମହିଳାଙ୍କ ବିରୋଧ ଅପରାଧ ଘଟିଥିବାବେଳେ ୨୦୨୧ ମସିହାରେ ଏହି ସଂଖ୍ୟା ୩୧,୩୫୨କୁ ପହଂଚିଛି । ମହିଳା ଅପହରଣ ୩୭ ପ୍ରତିଶତ, ମହିଳା ଅସଦାଚରଣ ୧୭.୮ ପ୍ରତିଶତ, ବଳାତ୍କାର ମାମଲା ୨୦.୨୩ ପ୍ରତିଶତ, ନାବାଳିକା ଯୈାନ ନିର୍ଯ୍ୟାତନା ୧୩.୩୫ ପ୍ରତିଶତ ପୂର୍ବ ବର୍ଷ ଅପେକ୍ଷା ବୃଦ୍ଧି ପାଇବା ଅତ୍ୟନ୍ତ ଚିନ୍ତା ଓ ଲଜ୍ଜାଜନକ ବୋଲି ଶ୍ରୀମତୀ ପଟ୍ଟନାୟକ କହିଛନ୍ତି ।
୨୦୨୦ ମସିହା ଅଗଷ୍ଟ ମାସ ୯ ତାରିଖରେ ନିଖୋଜ ହୋଇଥିବା ବହୁଚର୍ଚ୍ଚିତ ୨ ବର୍ଷୀୟା ପିହୁର ଆଜି ପର୍ଯ୍ୟନ୍ତ କୈାଣସି ସନ୍ଧାନ ମିଳିଲା ନାହିଁ କି ପୋଲିସ ତରଫରୁ କୈାଣସି ତତ୍ପରତା ପ୍ରକାଶ ପାଇଲା ନାହିଁ । ଏନେଇ ରାଜ୍ୟ ସରକାର ହଠାତ୍ ପିହୁକୁ ଖୋଜିଦେଲେ ୫ଲକ୍ଷ ଟଙ୍କା ପୁରଷ୍କାର ଦେବା ଘୋଷଣା କରୁଛନ୍ତି । ଏଥିରୁ ରାଜ୍ୟ ସରକାର ମୁଖା ପଦାରେ ପଡିଛି ବୋଲି ସେ କହିଛନ୍ତି ।

ସେ ଆହୁରି କହିଛନ୍ତି ଯେ, ରାଜ୍ୟ ସରକାର ମହିଳାଙ୍କୁ ଉଚ୍ଚସ୍ଥାନରେ ରଖିବାର ବଡପଣ କରି ରାଜ୍ୟ କମିଟି ଘୋଷଣା କରିବା ସହ ମହିଳାଙ୍କୁ ଉଚ୍ଚସ୍ଥାନରେ ରଖିଥିବା ଗଣମାଧ୍ୟମ ସାମ୍ନାରେ କହୁଛନ୍ତି । କିନ୍ତୁ ବାସ୍ତବ ଚିତ୍ର ଦେଖିଲେ ସ୍ପଷ୍ଟ ବାରିହୋଇପଡ଼ୁଛି ଓଡ଼ିଶାରେ ମହିଳା କେତେ ସୁରକ୍ଷିତ । କୋରାପୁଟ, ମାଲକାନଗିରି ଓ କନ୍ଧମାଳ ଜିଲ୍ଲାରେ ଆଜିବି ମହିଳାମାନେ ନଦୀ ପାରହୋଇ ଡାକ୍ତରଖାନା ଯାଉଛନ୍ତି ।
ସାଇବର କ୍ରାଇମରେ ସମଗ୍ର ଦେଶରେ ଓଡିଶା ରାଜ୍ୟ କ୍ରମାଗତ ଭାବେ ପ୍ରଥମ ସ୍ଥାନ ହାସଲ କରୁଛି, କିନ୍ତୁ ରାଜ୍ୟ ସରକାର ଏହାକୁ ରୋକିବାରେ ସଂପୂର୍ଣ୍ଣ ବିଫଳ ହେବା ଅତ୍ୟନ୍ତ ଲଜ୍ଜାର ବିଷୟ ବୋଲି ଶ୍ରୀମତୀ ପଟ୍ଟନାୟକ କହିଛନ୍ତି ।

Related Posts