ରାୟପୁର : ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ଏବଂ ଆୟକର ବିଭାଗଅଧିକାରୀଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି। ସେ ତାଙ୍କ କାର୍ଯ୍ୟକୁ ବେଆଇନ ତଥା ରାଜନୈତିକ ଉଦ୍ଦେଶ୍ୟମୂଳକ ବୋଲି କହିଛନ୍ତି। ଏହା ସହିତ ସେ ଇଡି ଏବଂ ଆଇଟି ବିରୋଧରେ ଅଭିଯୋଗ କରିଛନ୍ତି ଯେ ଅଟକ ଥିବା ଅଧିକାରୀ ଏବଂ ବ୍ୟବସାୟୀମାନଙ୍କୁ ଆଣ୍ଠୂଆ ବସାଇ ପିଟା ଯାଉଛି।
ଏକ ଟୁଇଟରେ ସେ ଲେଖିଛନ୍ତି, କେନ୍ଦ୍ରୀୟ ଏଜେନ୍ସିଗୁଡ଼ିକ ହେଉଛି ଦେଶର ନାଗରିକଙ୍କ ଶକ୍ତି, ଯଦି ନାଗରିକମାନେ ଏହି ଶକ୍ତିକୁ ଭୟ କରିବା ଆରମ୍ଭ କରନ୍ତି, ତେବେ ନିଶ୍ଚିତ ଭାବରେ ଏହି ନକାରାତ୍ମକ ଶକ୍ତି ଦେଶକୁ ଦୁର୍ବଳ କରିଦିଏ। ଇଡି ଏବଂ ଆୟକର ପରି ଏଜେନ୍ସି ଦୁର୍ନୀତି ସହ ଜଡିତ ବ୍ୟକ୍ତିଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ, ଆମେ ଏହାକୁ ସ୍ବାଗତ କରୁଛୁ। କିନ୍ତୁ ଇଡି ଏବଂ ଆୟକର ଅଧିକାରୀଙ୍କ ଦ୍ୱାରା ପଚରାଉଚରା ବେଳେ ବେଆଇନ କାର୍ଯ୍ୟ ଯେପରି ସାମ୍ନାକୁ ଆସୁଛି, ତାହା ଆଦୌ ଗ୍ରହଣୀୟ ନୁହେଁ।
ସେ ଲେଖିଛନ୍ତି ଯେ ଲୋକଙ୍କୁ ଡକାଇ ସେମାନଙ୍କୁ ଘରୁ ଜବରଦସ୍ତ ଉଠାଇ, ଆଣ୍ଠୂଆ ବସାଇ ସେମାନଙ୍କୁ ମାଡ ମାରିବା ସହ ଆଜୀବନ କାରାଗାରରେ ରଖିବାକୁ ଧମକ ଦେଇ ସେମାନଙ୍କୁ ଅଟକ ରଖାଯାଉଛି।ବିନା ଖାଦ୍ୟ ଏବଂ ପାଣିରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ପଚରାଉଚରା କରାଯାଉଥିବା ଅଭିଯୋଗ ସେ କରିଛନ୍ତି ।
