ଝାରସୁଗୁଡ଼ା ହିର୍ମାସ୍ଥିତ ଏସ୍‌ଏମ୍‌ସି ଷ୍ଟିଲ୍‌ ଆଣ୍ଡ ପାୱାର ପ୍ଲାଣ୍ଟରେ ଅଘଟଣ: ତରଳ ଲୁହା ପଡ଼ି ଜଣେ ଶ୍ରମିକ ଗୁରୁତର

ଝାରସୁଗୁଡ଼ା : ଝାରସୁଗୁଡ଼ା ଜିଲା ବଡ଼ମାଲ ଥାନା ଅଧୀନ ହିର୍ମାସ୍ଥିତ ଏସ୍‌ଏମ୍‌ସି ଷ୍ଟିଲ୍‌ ଆଣ୍ଡ ପାୱାର ପ୍ଲାଣ୍ଟରେ ଘଟିଛି ଅଘଟଣ । ରବିବାର ବିଳମ୍ବିତ ରାତିରେ ଏକ ଦୁର୍ଘଟଣା ଘଟିଛି। ତରଳ ଲୁହା ପଡ଼ି ଜଣେ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି। ସେ ହେଲେ ଯୁଯୁମୁରା ଅଞ୍ଚଳର ମହାବୀର ମାଝି ବୋଲି ଜଣାପଡ଼ିଛି।

ଶ୍ରମିକ ଜଣକ ବ୍ଲାଷ୍ଟଫର୍ନେସରେ ହେଲ୍‌ଫର ଭାବେ କାମ କରୁଥିବା ବେଳେ ତାଙ୍କ ଉପରେ ତରଳ ଲୁହା ପଡ଼ିଯାଇଥିଲା। ଏଥିରେ ତାଙ୍କ ଶରୀରର ପ୍ରାୟ ୮୦ ପ୍ରତିଶତ ପୋଡ଼ିଯାଇଛି । ତାଙ୍କୁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ବହୁ ବିଳମ୍ବରେ ବୁର୍ଲା ମେଡିକାଲକୁ ଚିକିତ୍ସା ପାଇଁ ପଠାଯାଇଥିଲା। ସେଠାରେ ଉତ୍ତମ ଚିକିତ୍ସା ନ ଥିବାରୁ ତାଙ୍କୁ ରାଉରକେଲା ଆଇଜିଏଚ୍‌ ହସ୍ପିଟାଲକୁ ପଠାଯାଇଛି।

ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ଥିବା ଜଣାପଡ଼ିଛି। ଏ ସମ୍ପର୍କରେ ପ୍ଲାଣ୍ଟ କର୍ତ୍ତୃପକ୍ଷ ମୁହଁ ଖୋଲୁନାହାନ୍ତି। ଏପରିକି ପ୍ଲାଣ୍ଟ ପକ୍ଷରୁ ଥାନାରେ କୌଣସି ଅଭିଯୋଗ ହୋଇ ନ ଥିବା ଜଣାପଡିଛି। ଅନ୍ୟପକ୍ଷେ ଘଟଣାକୁ ଚାପିଦେବାକୁ ଉଦ୍ୟମ ଚାଲିଥିବା ଚର୍ଚ୍ଚା ହେଉଛି। ପ୍ଲାଣ୍ଟରେ ଶ୍ରମିକଙ୍କ ସୁରକ୍ଷା ଦିଗରେ ଅଣଦେଖା କରାଯାଉଥିବାରୁ ବାରମ୍ବାର ଦୁର୍ଘଟଣା ଘଟି ଧନଜୀବନ ହାନି ହେବାରେ ଲାଗିଛି। ଏନେଇ ଶ୍ରମିକ ମହଲରେ ଅସନ୍ତୋଷ ଦେଖାଦେଇଛି। ଉକ୍ତ ଦୁର୍ଘଟଣା ସମ୍ପର୍କରେ ବଏଲର ବିଭାଗ ତରଫରୁ ତଦନ୍ତ ଆରମ୍ଭ ହୋଇଛି

Related Posts