ମୋରବି ଘଟଣାର ଦୋଷୀଙ୍କ ବିରୋଧରେ ଇଡି-ସିବିଆଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ: ମମତା ବାନାର୍ଜୀ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଗୁଜରାଟର ମୋରବିରେ ଘଟିଥିବା ଝୁଲାପୋଲ ଦୁର୍ଘଟଣା ଦେଶ ତଥା ବିଶ୍ୱକୁ ଚକିତ କରିଦେଇଛି। ଯେତେବେଳେ ବିଶ୍ୱର ବିଭିନ୍ନ ସ୍ଥାନରୁ ଲୋକମାନେ ଏହା ଉପରେ ଦୁଃଖ ପ୍ରକାଶ କରିଛନ୍ତି ସେତେବେଳେ ଦେଶର ବଡ ନେତାମାନେ ଏହାକୁ ରାଜନୈତିକ ରୂପ ନଦେବାକୁ ଆହ୍ବାନ ଦେଇଛନ୍ତି। ଅନ୍ୟପକ୍ଷରେ, ଏହି ଘଟଣାରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି ଯେ, ରାଜନୀତି ଅପେକ୍ଷା ଲୋକଙ୍କ ଜୀବନ ଅଧିକ ଗୁରୁତ୍ୱପୂର୍ଣ୍ଣ। ମୁଁ ଏହା ଉପରେ କୌଣସି ମନ୍ତବ୍ୟ ଦେବି ନାହିଁ।

ସେ ଏହା ମଧ୍ୟ କହିଛନ୍ତି ଯେ, ମୁଁ ମୃତକ ତଥା ସେମାନଙ୍କ ପରିବାର ପ୍ରତି ସମବେଦନା ଜଣାଉଛି। ଅନେକଙ୍କର ମୃତ୍ୟୁ ଘଟିଛି ଏବଂ ଅନେକେ ନିଖୋଜ ଅଛନ୍ତି। ଏହି ଘଟଣାର ତଦନ୍ତ ପାଇଁ ସୁପ୍ରିମକୋର୍ଟଙ୍କ ଅଧୀନରେ ଏକ ନ୍ୟାୟିକ କମିଶନ ଗଠନ କରାଯିବା ଉଚିତ।

ସେ କହିଛନ୍ତି ଯେ, ମୋରବି ଘଟଣାରେ ସମ୍ପୃକ୍ତ ଅପରାଧୀ ଓ ଦୋଷୀଙ୍କ ବିରୋଧରେ ଇଡି ଏବଂ ସିବିଆଇ ଏପର୍ଯ୍ୟନ୍ତ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନାହାନ୍ତି? ସେମାନେ କେବଳ ସାଧାରଣ ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତି। ସେମାନଙ୍କ ଉତ୍ତରଦାୟିତ୍ୱ ସ୍ଥିର ହେବା ଉଚିତ। ସେ ଏହା ମଧ୍ୟ କହିଛନ୍ତି ଯେ, ମୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଷୟରେ କିଛି କହିବି ନାହିଁ କାରଣ ଏହା ତାଙ୍କ ରାଜ୍ୟ। ଏହାକୁ ନେଇ କୌଣସି ପ୍ରକାର ରାଜନୀତି ହେଉ ତାହା ମୁଁ ଚାହୁଁନାହିଁ ବୋଲି ମମତା କହିଛନ୍ତି।

ଅନ୍ୟପଟେ ଗୁଜରାଟରେ ପୁନର୍ବାର ଉଠାଯାଇଥିବା ସିିଏଏ ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ଭାଜପାକୁ ଟାର୍ଗେଟ କରିଛନ୍ତି ମମତା। ସେ କହିଛନ୍ତି ଯେ, ଆମେ ଏହାର ସମ୍ପୂର୍ଣ୍ଣ ବିରୋଧୀ। ଗୁଜରାଟ ନିର୍ବାଚନ ପାଇଁ ଭାଜପା ଏହି ଖେଳ ଖେଳୁଛି ବୋଲି ସେ କହିଛନ୍ତି।

Related Posts