ହିମାଚଳ ପ୍ରଦେଶରେ ଆପ କୁ ବଡ ଝଟକା, ବିଜେପିରେ ଯୋଗଦେଲେ ରାଜ୍ୟର ସହ ପ୍ରଭାରୀ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଆଗକୁ ଆସୁଛି ଦେଶର ୨ଟି ପ୍ରମୁଖ ରାଜ୍ୟ ଗୁଜୁରାଟ ଓ ହିମଚଳ ପ୍ରଦେଶର ବିଧାନସଭା ନିର୍ବାଚନ। ହିମଚଳ ପ୍ରଦେଶରେ ନିର୍ବାଚନ ତାରିଖ ଘୋଷଣା ହୋଇଥିବା ବେଳେ ଗୁଜୁରାଟରେ ଆଉ କିଛି ଦିନ ମଧ୍ୟରେ ନିର୍ବାଚନୀ ବିଗୁଲ୍ ବାଜିବ। ଏସବୁ ଭିତରେ ଦୁଇ ରାଜ୍ୟରେ ରାଜନୈତିକ ମହୋଲ୍ ମଧ୍ୟ ସରଗରମ ହୋଇ ଗଲାଣି। ଉଭୟ ରାଜ୍ୟରେ ଶାସନରେ ଥିବା ବିଜେପି ସହ କଂଗ୍ରେସ ଲଢେଇ କରୁଥିବା ବେଳେ ଏବେ ନୂଆକରି ମଇଦାନକୁ ଓହ୍ଲାଇଛି ଆମ ଆଦମୀ ପାର୍ଟି। ଦଳ ଉଭୟ ରାଜ୍ୟରେ ସିଧା ସଳଖ ବିଜେପିକୁ ଚ୍ୟାଲେଞ୍ଜ କରିଛି। ଏହି କ୍ରମରେ ଧୀରେ ଧୀରେ ଗୁଜରାଟରେ ଆପର ପଲ୍ଲା ଭାରି ହେଉଛି। କିନ୍ତୁ ସେପଟେ ଆଜି ହିମାଚଳରେ ଦଳକୁ ବଡ ଝଟକା ଲାଗିଛି । ବିଧାନସଭା ନିର୍ବାଚନ ପୂର୍ବରୁ ହିମାଚଳ ପ୍ରଦେଶରେ ଦଳର ସହ ପ୍ରଭାରୀ କୁଲୱନ୍ତ ସିଂ ଭାଟ୍ଟ ଆଜି ସିମଲା ଠାରେ ବିଜେପିରେ ଯୋଗ ଦେଇଛନ୍ତି । ସେ ବିଜେପି କାର୍ଯ୍ୟାଳୟରେ ଦଳର ପ୍ରଦେଶ ଅଧ୍ୟକ୍ଷ ସୁରେଶ କଶ୍ୟପ ଓ ରାଜ୍ୟ ପ୍ରଭାରୀ ଅବିନାଶ ରାୟ ଖାନ୍ନାଙ୍କ ଉପସ୍ଥିତିରେ ବିଜେପିରେ ଯୋଗ ଦେଇଛନ୍ତି ।

ଆଜି କୁଲୱନ୍ତ ଆପ୍ ଛାଡି ବିଜେପିରେ ଯୋଗ ଦେବା ପରେ ଗଣମାଧ୍ୟମ ଆଗରେ କହିଛନ୍ତି କି ଆମ୍ ଆଦମୀ ପାର୍ଟିର କହିବା ଓ କରିବା ମଧ୍ୟରେ ଅନେକ ପାର୍ଥକ୍ୟ ରହିଛି । ଯାହା ଫଳରେ ସେ ଦଳ ଛାଡି ଏବେ ବିଜେପିରେ ଯୋଗ ଦେଇଛନ୍ତି । ସେପଟେ ବିଜେପିକୁ ପ୍ରଶଂସା କରି କୁଲୱନ୍ତ କହିଛନ୍ତି ଯେ ବିଜେପି ଯାହା କହେ ତାହା କାମରେ କରି ଦେଖାଏ । ଏହା ସହ ଦିଲ୍ଲୀ ଓ ପଞ୍ଜାବ ଉଭୟ ଦୁଇଟି ରାଜ୍ୟରେ ସରକାର ଦୁର୍ନୀତିରେ ବୁଡି ରହିଥିବା କଥା ଅଭିଯୋଗ କରିଛନ୍ତି କୁଲୱନ୍ତ ।

କେବଳ ସେତିକି ନୁହେଁ କୁଲୱନ୍ତ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନଙ୍କୁ ଟାର୍ଗେଟ୍ କରି କହିଛନ୍ତି ଯେ ମାନ୍ ନିଜର ଲୋକପ୍ରିୟତା ବଜାୟ ରଖିବାକୁ କିଛି ବି କରିବାକୁ ପ୍ରସ୍ତୁତ ଅଛନ୍ତି । ପଞ୍ଜାବ ସରକାରର ୨ ଜଣ ମନ୍ତ୍ରୀ ଆରମ୍ଭରୁ ଦୁର୍ନୀତିରେ ବୁଡି ରହିଛନ୍ତି ।

ସୂଚନାଯୋଗ୍ୟ ଯେ, ହିମାଚଳ ପ୍ରଦେଶ ବିଧଶନସଭା ପାଇଁ ନଭେମ୍ବର ୧୨ ତାରିଖରେ ଭୋଟ ଗ୍ରହଣ ହେବ ଓ ଡିସେମ୍ବର ୮ ତାରିଖରେ ଫଳାଫଳ ଘୋଷଣା କରାଯିବ ।

Related Posts