ଫିଲ୍ମ ଲାଇଗରକୁ ନେଇ ଅଡୁଆରେ ଅଭିନେତା ବିଜୟ ଦେବରକୋଣ୍ଡା, ୧୨ ଘଣ୍ଟା ଜେରା କଲା ଇଡି

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଫିଲ୍ମ ଲାଇଗରକୁ ନେଇ ଅଡୁଆରେ ଅଭିନେତା ବିଜୟ ଦେବରକୋଣ୍ଡା। ମନି ଲଣ୍ଡ୍ରିଂ ମାମଲାରେ ବୁଧବାର ତାଙ୍କୁ ପଚରା ଉଚୁରା କରିଛି। ଗତକାଲି ଇଡି ତାଙ୍କୁ ଦୀର୍ଘ ୧୨ ଘଣ୍ଟା ଧରି ଜେରା କରିବା ପରେ ଛାଡିଛି। ଏହି ସାଉଥ୍ ଅଭିନେତାଙ୍କୁ ଇଡି ଗତକାଲି ସକାଳ ୯ଟା ୩୦ରୁ ରାତି ପ୍ରାୟ ୯ଟା ଯାଏଁ ପଚରା ଉଚୁରା କରିଥିଲା। ତେବେ ଦେବରକୋଣ୍ଡାଙ୍କୁ ଏଫ୍ଇଏମ୍ଏ ର ନିୟମ ଭାଙ୍ଗିବା ଅଭିଯୋଗରେ ଇଡି ପଚରାଉଚରା କରୁଛି ।

ତେବେ ଇଡିର ପଚରାଉଚରା ପରେ ବିଜୟ କହିଛନ୍ତି ଯେ, ଆପଣଙ୍କ ଭଲ ପାଇବା ଏବଂ ସ୍ନେହ ଅଧିକ ହେବା ଯୋଗୁଁ କିଛି ସମସ୍ୟା ନିଶ୍ଚିତ ଆସିଛି। କିନ୍ତୁ ଏହା ହିଁ ଜୀବନ ଆଉ କିଛି ନୂଆ ଶିଖିବାର ମଇକା। ମୋତେ ଯେଉଁ କାମ ପାଇଁ ଡକାଯାଇଥିଲା, ତାହାକୁ ମୁଁ କରିଛି। ମୁଁ ସମସ୍ତ ପ୍ରଶ୍ନର ଉତ୍ତର ଦେଇଛି। ଯଦି ଆଉଥରେ ମୋତେ ଡକାଯିବ, ତେବେ ମୁଁ ନିଶ୍ଚିତ ଭାବେ ସହଯୋଗ କରିବି ।

ଧର୍ମା ପ୍ରଡକ୍ସନସ୍‌ ବ୍ୟାନରରେ ତିଆରି ହୋଇଥିବା ଫିଲ୍ମ ‘ଲାଇଗର’ ଏକ ବଡ଼ ବଜେଟ୍‌ର ଫିଲ୍ମ ଥିଲା। ରିପୋର୍ଟ ମୁତାବକ, ଫିଲ୍ମ ପାଖାପାଖି ୧୨୦ କୋଟି ବଜେଟ୍‌ରେ ପ୍ରସ୍ତୁତ ହୋଇଥିଲା। କିନ୍ତୁ ବକ୍ସ ଅଫିସ୍‌ରେ ନିଜର ମୂଲ୍ୟ ସୁଦ୍ଧା ସଂଗ୍ରହ କରିବାରେ ସଫଳ ହୋଇପାରି ନ ଥିଲା। ଫିଲ୍ମ ମୋଟ ୬୦.୮୦ କୋଟିର ଆୟ କରିଥିଲା। କିନ୍ତୁ ଫିଲ୍ମର ପ୍ରମୋସନ ଜୋର୍‌ସୋରରେ କରାଯାଇଥିଲା। କାହିଁକି ନା, ଫିଲ୍ମ ହିନ୍ଦୀ ଓ ତେଲୁଗୁ ଭାଷାରେ ରିଲିଜ୍‌ ହୋଇଥିଲା। ଏଥିପାଇଁ ଦୁଇ ରାଜ୍ୟରେ ଫିଲ୍ମର ପବ୍ଲିସିଟି ପାଇଁ ଖୁବ୍‌ ପଇସା ବୁହାଯାଇଥିଲା। ତଥାପି ଫିଲ୍ମ ଦର୍ଶକ ଜୁଟାଇବାରେ ସଫଳ ହୋଇପାରି ନ ଥିଲା।

ସୂଚନା ମୁତାବକ, ଇଡିକୁ ଅଭିଯୋଗ ମିଳିଥିଲା କି, ଫିଲ୍ମରେ କଳା ଧନ ସମେତ ବିଦେଶୀ ଫଣ୍ଡିଂର ବ୍ୟବହାର ହୋଇଛି। ଏହାକୁ ନଜରରେ ରଖି ଇଡି ବିଜୟ ଦେବରକୋଣ୍ଡାଙ୍କୁ ସମନ ପଠାଇଛି। ବିଜୟଙ୍କ ପୂର୍ବରୁ ଇଡି ୧୭ ନଭେମ୍ବରରେ ପ୍ରଯୋଜକ ଚାର୍ମି କୌର ଓ ନିର୍ଦ୍ଦେଶକ ପୁରୀ ଜଗନ୍ନାଧଙ୍କୁ ମଧ୍ୟ ପଚରାଉଚରା ପାଇଁ ଅଫିସ୍‌ ଡକାଇଥିଲା।

Related Posts