ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ପୁରୀସ୍ଥିତ ବଗଲା ଧର୍ମଶାଳାର ଜମିକୁ ଲଜ୍ ମାଲିକଙ୍କ ନାମରେ କରିଦେବା ଅଭିଯୋଗର ଚୂଡାନ୍ତ ଶୁଣାଣି ଆସନ୍ତା ମାର୍ଚ୍ଚ ୧୩ ତାରିଖ ହେବ । ବିଜେପି ମୁଖପାତ୍ର ଡ. ସମ୍ବିତ୍ ପାତ୍ର ଏବଂ ଜଗନ୍ନାଥ ବସ୍ତିଆଙ୍କ ପକ୍ଷରୁ ଆଗତ ଦୁଇଟି ମାମଲାର ମିଳିତ ଶୁଣାଣି କରି ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ଏସ୍. ମୁରଲୀଧର ଏବଂ ବିଚାରପତି ଏମ୍.ଏସ୍. ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି ।
ସୂଚନାଯୋଗ୍ୟ ଯେ, ବଗଲା ଧର୍ମଶାଳାର ଜମିକୁ ପୁରୀ ଜିଲ୍ଲାପାଳ କିଛି ଲଜ୍ ମାଲିକଙ୍କ ନାମରେ କରିଦେବାକୁ ନେଇ ଦୁଇ ଆବେଦନକାରୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ତେବେ ଏହି ମାମଲାର ଶୁଣାଣି ଚାଲିଥିବାବେଳେ ମଧ୍ୟ ପୁରୀର ତତ୍କାଳୀନ ଜିଲ୍ଲାପାଳ ଏହି ଜମିର କିଛି ଅଂଶକୁ ୬ଜଣ ଲଜ୍ ମାଲିକଙ୍କ ନାମରେ କରି ଦେଇଥିଲେ । ଏହି ଜମିଟି ଜନକଲ୍ୟାଣ ଉଦ୍ଦେଶ୍ୟରେ ଦାନ ସୂତ୍ରରେ ଆସିଥିଲା । ତେଣୁ ଏହି ଜମିଟି କାହାକୁ ବ୍ୟବସାୟିକ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇ ପାରିବନାହିଁ ବୋଲି ନିୟମ ରହିଛି । ତେଣୁ ପୁରୀ ଜିଲ୍ଲାପାଳ ଉକ୍ତ ଜମିକୁ ବ୍ୟବସାୟିକ ଉଦ୍ଦେଶ୍ୟରେ ପ୍ରଦାନ କରିବା ପାଇଁ ଯେଉଁ ପଦକ୍ଷେପ ଗ୍ରହଣ କରିଛନ୍ତି ତାହା ସମ୍ପୂର୍ଣ୍ଣ ବେଆଇନ ବୋଲି ପିଟିସନ୍ରେ ଦର୍ଶାଯାଇଥିଲା । ବର୍ତମାନ ଉଭୟ ମାମଲାର ଏକତ୍ର ଶୁଣାଣି ହାଇକୋର୍ଟରେ ହେଉଛି ।





