ଭିଭୋ କମ୍ପାନୀ ଉପରେ ଇଡିର ଚଢ଼ାଉ; ୧୧୯ଟି ବ୍ୟାଙ୍କ ଖାତାରେ ଥିବା ୪୬୫ କୋଟି ଟଙ୍କା ଜବତ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ସ୍ମାର୍ଟ ଫୋନ ନିର୍ମାତା ଭିଭୋ କମ୍ପାନୀ ଉପରେ ଇଡିର ଚଢ଼ାଉ ମାମଲାକୁ ନେଇ ସାରା ଦେଶରେ ଚର୍ଚ୍ଚା ଜୋର୍ ଧରିଛି । ଏହା ମଧ୍ୟରେ ୧୧୯ଟି ବ୍ୟାଙ୍କ ଖାତାରେ ଥିବା ୪୬୫ କୋଟି ଟଙ୍କା ଜବତ କରିଛି ଇଡି । ଟିକସ ଫାଙ୍କିବାକୁ ଆୟର ୫୦ ପ୍ରତିଶତ ଚୀନ ପଠାଉଥିବା ଅଭିଯୋଗ ହୋଇଛି । ଦେଶ ଛାଡ଼ି ପଳାଇଥିବା ପୂର୍ବତନ ନିର୍ଦ୍ଦେଶକଙ୍କୁ ଇଡି ଖୋଜୁଛି । ଇଡି ପ୍ରାୟ ୪୮ଟି ସ୍ଥାନରେ ଚଢ଼ଉ କରିଛି । ସେପଟେ ଭିଭୋର ୬୬ କୋଟି ଟଙ୍କାର ଏଫ୍‌ଡି, ୨ କେଜି ସୁନା ବାର୍ ଓ ୭୩ ଲକ୍ଷ ଟଙ୍କାର ନଗଦ ଟଙ୍କା ମଧ୍ୟ ଜବତ କରିଛି । ଇଡି ଅଭିଯୋଗ କରିଛି ଯେ ଟିକସ ଫାଙ୍କିବା ଲାଗି ଭିଭୋ ଇଣ୍ଡିଆ ଏହାର ମୋଟ କାରବାରର ୫୦% ଚୀନ୍‌କୁ ପଠାଇଛି । କଂପାନିର ବିକ୍ରି ରାଜସ୍ୱ ୧,୨୫,୧୮୫ କୋଟି ଟଙ୍କା ଥିଲା । ସେଥିରୁ ଏହା ୬୨,୪୭୬ କୋଟି ଟଙ୍କା ମୁଖ୍ୟତଃ ଚୀନ୍‌କୁ ପଠାଇଛି । ଭାରତ କାରବାର ବିପୁଳ କ୍ଷତିରେ ଚାଲୁଥିବା ଦର୍ଶାଇ ଟିକସ ଏଡ଼ାଇବାକୁ କଂପାନି ଚୀନ୍‌କୁ ଟଙ୍କା ପଠାଇଥିବା ଇଡି କହିଛି । ଭିଭୋ ବିରୋଧରେ ଚଳିତ ବର୍ଷ ଫେବ୍ରୁ୍ଆରିଠାରୁ ତଦନ୍ତ ଚାଲିଛି । ଚୀନ୍‌ର ସଂସ୍ଥା ବି‌ବିକେ ଇଲେକ୍ଟ୍ରୋନିକ୍ସର ଭାରତୀୟ ସଂସ୍ଥା ହେଉଛି ‌ଭିଭୋ ମୋବାଇଲ୍‌ସ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ । ଇଡି ପକ୍ଷରୁ ଭିଭୋ ଓ ଏହା ସହ ଯୋଡ଼ିଥିବା ୨୩ଟି କଂପାନିର ୪୮ଟି ଠିକଣାରେ ଚଢ଼ଉ କରାଯାଇଥିଲା । ଭାରତୀୟ ନିୟମକୁ କଡ଼ାକଡ଼ି ଭାବେ ପାଳନ କରି ଚଢ଼ଉ କରାଯାଇଥିଲା । ଚୀନ୍‌ର କିଛି ନାଗରିକ ସେଥିରେ ସହଯୋଗ କରିନଥିଲେ ।

ଅନ୍ୟପଟେ ସେମାନେ ଫେରାର ହୋଇଯିବା, ଡିଜିଟାଲ ଉପକରଣକୁ ବାହାର କରିବା ଓ ଲୁଚାଇବା ଆଦି କାମ‌ରେ ଲାଗିପଡ଼ିଥିଲେ ବୋଲି ଇଡି ସୂତ୍ରରୁ ଜଣାପଡ଼ିଛି । ଏହି ମାମଲାରେ ବଳିଷ୍ଠ ପ୍ରମାଣ ଯୋଗାଡ଼ କରିବା ପରେ ଇଡି ପକ୍ଷରୁ କଂପାନିର ବରିଷ୍ଠ ଅଧିକାରୀମାନଙ୍କୁ ସମନ ଜାରି କରାଯିବ । କିଛି ଅଧିକାରୀଙ୍କ ବିରୋଧରେ ଲୁକ୍ ଆଉଟ୍‌ ସର୍କୁଲାର ଜାରି କରିବା ଲାଗି ମଧ୍ୟ ଏହା ଉଦ୍ୟମ କରିବ । ଭାରତରେ ବହୁ ସଂଖ୍ୟକ ସଂସ୍ଥା ସ୍ଥାପନ କରିବା ପରେ ୨୦୧୮ରେ ଭିଭୋର ପୂର୍ବତନ ନିର୍ଦେଶକ ବିନ୍ ଲୋ ଭାରତ ଛାଡ଼ି ପଳାଇଛନ୍ତି । ତାଙ୍କୁ ଇଡି ଖୋଜୁଥିବାର ସୂଚନା ମିଳିଛି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର୍ ଧରିଛି ।

Related Posts