(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ବଢିଲା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା ତଥା ଟିଏମସି ସାଂସଦ ଅଭିଷେକ ବାନାର୍ଜୀଙ୍କ ଅଡ଼ୁଆ । ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ (ଇଡି) ଆଜି ଗୋଟିଏ ମନଲଣ୍ଡିଂ ମାମଲାରେ ତାଙ୍କୁ ଓ ତାଙ୍କ ପତ୍ନୀ ରୁଜିରା ବାନାର୍ଜୀଙ୍କୁ ସମନ କରିଛି। ଉଭୟଙ୍କ ବ୍ୟାଙ୍କ ବିବରଣୀ ମଧ୍ୟ ମାଗିଛି ଇଡି। କୋଇଲା ସ୍କାମ ମାମଲାରେ ପଚରାଉଚରା ପାଇଁ ଅଭିଷେକ ବାନାର୍ଜୀଙ୍କୁ ସେପ୍ଟେମ୍ବର ୬ ରେ ହାଜର ହେବାକୁ ଥିବାବେଳେ ତାଙ୍କ ପତ୍ନୀଙ୍କୁ ସେପ୍ଟେମ୍ବର ୧ ରେ ହାଜର ହେବାକୁ କୁହାଯାଇଛି। ଏହି ଦୁଇ ଜଣଙ୍କ ସମେତ ଅନ୍ୟ ତିନି ଜଣଙ୍କୁ ମଧ୍ୟ ସମନ ଜାରି କରିଛି ଇଡି।
କୋଇଲା ଚୋରା ଚାଲାଣ ଘଟଣାରେ ସିବିଆଇ ରୁଜୁ କରିଥିବା ଏଫଆଇଆର ଆଧାରରେ ଇଡି ଗୋଟିଏ ମନି ଲଣ୍ଡରିଂ ମାମଲା କରି ତଦନ୍ତ କରୁଛି। ପୂର୍ବରୁ ଏହି କୋଇଲା ଚୋରାଚାଲାଣ ଘଟଣାରେ ସିବିଆଇ ରୁଜିରାଙ୍କୁ ଫେବୃଆରୀ ୨୩ରେ ତାଙ୍କ ଘରୁ ଯାଇ ଜେରା କରିଥିଲା। ପ୍ରାୟ ୧ ଘଣ୍ଟା କାଳ ତାଙ୍କୁ ଜେରା କରାଯାଇଥିଲେ ହେଁ କୋଇଲା ଚୋରା ଚାଲାଣରେ ତାଙ୍କ ଭୂମିକା ସମ୍ପର୍କରେ ଜାଣିବାକୁ ସିବିଆଇ ସକ୍ଷମ ହୋଇ ନଥିଲା।
ଅଭିଷେକ ବାନାର୍ଜୀ ଏବଂ ତାଙ୍କ ପତ୍ନୀ ରୁଜିରାଙ୍କ ନାଁରେ ଅଭିଯୋଗ ହୋଇଛି ଯେ ତାଙ୍କ କମ୍ପାନୀରେ କୋଇଲା ଘୋଟାଲା ସହ ଜଡିତ ଥିବା କମ୍ପାନୀ ତଥା ସେମାନଙ୍କ ସହ ଜଡିତ ବ୍ୟକ୍ତିଙ୍କଠାରୁ ଟଙ୍କା ଟ୍ରାନ୍ସଫର ହୋଇଛି। ପାଣ୍ଠି ବଦଳରେ ସେହି କମ୍ପାନୀଗୁଡିକ ସହିତ ବୋଗସ ଚୁକ୍ତିନାମା ହୋଇଥିବା ଅଭିଯୋଗ ମଧ୍ୟ ରହିଛି। ଅଭିଷେକଙ୍କ ପିତା ଅମିତ ବାନାର୍ଜୀ ମଧ୍ୟ ସେମାନଙ୍କ ମଧ୍ୟରୁ ଜଣେ ନିର୍ଦ୍ଦେଶକ। ସୂଚନାନୁସାରେ, ରୁଜିରା ବାନାର୍ଜୀଙ୍କ କମ୍ପାନୀ LEAPS & BOUNDS MANAGEMENT Services LLP ସନ୍ଦେହ ଘେରରେ ରହିଛି, ଏହାର କିଛି ବ୍ୟାଙ୍କ କାରବାର ସିବିଆଇ ଏବଂ ଇଡି ସ୍କାନରରେ ଅଛି । ଅଭିଷେକ ବାନାର୍ଜୀ ତାଙ୍କ ମା ଲତାଙ୍କ ନାମରେ ଏହି କମ୍ପାନୀ ପ୍ରତିଷ୍ଠା କରିଥିଲେ। ମାର୍ଚ୍ଚ ୨୦୧୭ ରେ ସେ ଦ୍ୱିତୀୟ କମ୍ପାନୀ ପ୍ରତିଷ୍ଠା କରିଥିଲେ। ତାଙ୍କ ପତ୍ନୀ, ବୋହୂ ଏବଂ ପିତା ଅମିତ ବାନାର୍ଜୀ ଏହି କମ୍ପାନୀଗୁଡିକରେ ପାର୍ଟନର ଏବଂ ନିର୍ଦ୍ଦେଶକ ଅଛନ୍ତି।
କ’ଣ ଏହି କୋଇଲା ଘୋଟାଲା ?
ଗତ ବର୍ଷ ନଭେମ୍ବର ୨୭ ରେ, ସିବିଆଇର କୋଲକାତା ଦୁର୍ନୀତି ନିବାରଣ ଶାଖା (ଏସିବି) ଇଷ୍ଟର୍ଣ୍ଣ କୋଇଲଫିଲ୍ଡ ଲିମିଟେଡର ଲିଜ୍ହୋଲ୍ଡ ଅଞ୍ଚଳରୁ ବେଆଇନ ଖଣି ଖନନ ଏବଂ କୋଇଲା ବନ୍ଦ କରିବା ମାମଲାରେ ଦୁର୍ନୀତି ଏବଂ ଅପରାଧ ଉଲ୍ଲଂଘନ ମାମଲା ରୁଜୁ କରିଥିଲା। ECL ହେଉଛି ପବ୍ଲିକ୍ ସେକ୍ଟର ଅଣ୍ଡରଟେକିଂ କୋଇଲା ଇଣ୍ଡିଆ ଲିମିଟେଡ୍ (CIL) ର ସମ୍ପୂର୍ଣ୍ଣ ମାଲିକାନା ସହାୟକ କମ୍ପାନୀ, ଯାହାକି ପଶ୍ଚିମବଙ୍ଗ ଏବଂ ଝାଡଖଣ୍ଡରେ କୋଇଲା ଖଣି କାର୍ଯ୍ୟରେ ନିୟୋଜିତ।
ଗତ ବର୍ଷ ମେ-ଅଗଷ୍ଟରେ ଏହି ମାମଲା ଚର୍ଚ୍ଚାରେ ଥିଲା ଯେତେବେଳେ ଭିଜିଲାନ୍ସ ବିଭାଗ ଏବଂ ଇସିଏଲ୍ ଟାସ୍କ ଫୋର୍ସ ଯାଞ୍ଚ ସମୟରେ ECL ର ଲିଜ୍ ଅଞ୍ଚଳରେ ବ୍ୟାପକ ବେଆଇନ କୋଇଲା ଖଣି ଏବଂ ପରିବହନ ପାଇଥଲେ। ଏହା ପରେ ଟିମ୍ ଜାଣିବାକୁ ପାଇଲା ଯେ ,” ଅନେକ ମେସିନ୍ ବେଆଇନ କୋଇଲା ଖଣିରେ ନିୟୋଜିତ ଥିଲେ ଏବଂ ପରିବହନ ପାଇଁ ସେଠାରେ ବହୁ ସଂଖ୍ୟକ ଯାନ ମଧ୍ୟ ପାର୍କିଂ କରାଯାଇଥିଲା।ଏହା ପରେ ଦଳ ବହୁ ପରିମାଣରେ କୋଇଲା ଜବତ କରିଥିଲା। ସେହି ଅଞ୍ଚଳରେ ଅନେକ ବେଆଇନ ଓଜନ ମାପ ଯନ୍ତ୍ର ମଧ୍ୟ ସ୍ଥାପନ କରାଯାଇଥିଲା। ଏଥିରୁ ସ୍ପଷ୍ଟ ହୋଇଛି ଯେ ବେଆଇନ ଖଣି ଏବଂ କୋଇଲା ପରିବହନ କାର୍ଯ୍ୟ ଏକ ସଂଗଠିତ ଢଙ୍ଗରେ ଚାଲିଛି। “
କୋଇଲା ଚୋରା ଚାଲାଣ ଘଟଣାରେ ସିବିଆଇ ପ୍ରଥମେ ପଶ୍ଚିମବଙ୍ଗର ପୁରୁଲିଆ, ବଙ୍କୁରା, ପଶ୍ଚିମବର୍ଦ୍ଧମାନ ଓ କୋଲକାତାର ୧୩ଟି ସ୍ଥାନରେ ରେଡ କରିଥିଲା। ଅମୀୟ ଷ୍ଟିଲ ପ୍ରାଃଲିଃ ପରିସରରେ ବି ସିବିଆଇ ଟିମ ଯାଞ୍ଚ କରିଥିଲା। ପୂରା କୋଇଲା ଚାଲାଣର କିଙ୍ଗ ପିନ୍ ହେଉଛି ଅନୁପ ମାନଝୀ। ତାଙ୍କ ଡେପୁଟି କୁହାଯାଉଥିବା ଜୟଦେବ ମଣ୍ଡଳଙ୍କ ଠିକଣାରେ ସିବିଆଇ ଧରପଗଡ଼ କରିଥିଲା।
ଘଟଣାର ତଦନ୍ତ ବେଳେ ସିବିଆଇ ଅଭିଷେକ ବାନାର୍ଜୀଙ୍କ ପତ୍ନୀଙ୍କ ଭୂମିକା ବିଷୟରେ ଜାଣିବାକୁ ପାଇଥିଲା। ଏହି କାରଣରୁ ତାଙ୍କୁ ଜେରା କରିବାକୁ ସିବିଆଇ ନୋଟିସ୍ କରିଥିଲା। ତାଙ୍କୁ ଜେରା ପରେ ବ୍ୟାଙ୍କ ନେଣଦେଣ ସମ୍ପର୍କିତ ତଥ୍ୟ ଉପସ୍ଥାପନ କରିବାକୁ କୁହାଯାଇଥିଲା।
କାହାକୁ କେବେ ଇଡି ଆଗରେ ହାଜର ହେବାକୁ ପଡିବ ?
01/09/21 – ରୁଜିରା ବାନାର୍ଜୀ
03/09/21 – ସଞ୍ଜୟ ବସୁ
06/09/21 – ଅଭିଷେକ ବାନାର୍ଜୀ
08/09/21 – ଶ୍ୟାମ ସିଂ (ଡିଆଇଜି ମେଦନାପୁର ରେଞ୍ଜ)
09/09/21 – ଜ୍ଞାନବନ୍ତ ସିଂ (ADG CID)