ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ଇଡି ଜେରାକୁ ବିରୋଧ କରି କଂଗ୍ରେସର ସାରା ଦେଶରେ ସତ୍ୟାଗ୍ରହ ଚାଲିଛି। ଏ ସମ୍ପର୍କରେ କଂଗ୍ରେସ ନେତା ତଥା ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ କହିଛନ୍ତି ଯେ ଦେଶରେ ଇଡି ଦ୍ୱାରା ଏକ ନାଟକ କରାଯାଉଛି। ଦେଶର ନିର୍ବାଚିତ ସରକାର ଗୁଡ଼ିକୁ ଭାଙ୍ଗିବା ପାଇଁ ଇଡି ଆତଙ୍କ ସୃଷ୍ଟି କରାଯାଉଛି।
ରାହୁଲ ଗାନ୍ଧୀଙ୍କୁ ଡକାଯାଇ ପାଞ୍ଚ ଦିନ ପଚରାଉଚରା କରାଯାଇଥିଲା।ଏବେ ସୋନିଆଙ୍କୁ ତୃତୀୟ ଥର ପାଇଁ ଡକାଯାଇଛି। ଇଡିର ଆତଙ୍କ ସାରା ଦେଶରେ ଜାରି ରହିଛି। ଇଡିର ବିଶ୍ୱାସ ହାର ୫ ପ୍ରତିଶତ ବି ନୁହେଁ । ଗଣତନ୍ତ୍ରରେ ଏହା ନ୍ୟାୟଯୁକ୍ତ ନୁହେଁ। ସରକାରଗୁଡିକୁ ହଟାଇବା ପାଇଁ ଇଡିର ବ୍ୟବହାର କରାଯାଉଛି। ୨୮ ଦିନ ଧରି ମହାରାଷ୍ଟ୍ରରେ କ୍ୟାବିନେଟ ଗଠନ ହୋଇ ପାରିନାହିଁ।ଦେଶରେ ମୁଦ୍ରାସ୍ଫୀତି ଏବଂ ବେକାରୀକୁ ନେଇ ସାରା ଦେଶ ଚିନ୍ତିତ। ସଂସଦ ଭିତରେ ବିତର୍କ କରିବାକୁ ଭାଜପା ନେତୃତ୍ୱାଧିନ ଏନଡ଼ିଏ ସରକାର ଅନୁମତି ଦେଉ ନାହାନ୍ତି। ମଙ୍ଗଳବାର ୧୯ ଜଣ ରାଜ୍ୟ ସଭା ଏମ୍ପିଙ୍କୁ ନିଲମ୍ବିତ କରାଯାଇଥିଲା। କଂଗ୍ରେସ ଶାସନରେ ଏମ୍ପିମାନଙ୍କୁ ନିଲମ୍ବିତ କରାଯାଇ ନାହିଁ। ଏହି ପରିସ୍ଥିତିକୁ ନେଇ ସମଗ୍ର ଦେଶ ଭୟଭୀତ ହୋଇଛି। ଭାଜପା ତାର ପ୍ରତିଶ୍ରୁତି ଭୁଲି ଯାଇଛି।
ଗେହଲଟ କହିଛନ୍ତି ଯେ ମଙ୍ଗଳବାର ଗଣମାଧ୍ୟମରେ ସୋନିଆ ଗାନ୍ଧୀଙ୍କ ଉପରେ ଆଲୋଚନା ହୋଇଥିଲା। ଗଣମାଧ୍ୟମରେ ମୁଦ୍ରାସ୍ଫୀତି ଏବଂ ବେକାରୀ ବିଷୟରେ କୌଣସି ଆଲୋଚନା ହେଉନାହିଁ। ଗଣମାଧ୍ୟମ ଚାପରେ ରହିଛି। ମିଡିଆ ମାଲିକମାନେ ଭୟରେ ଅଛନ୍ତି ଯେ ଇଡି କେବେ ସେମାନଙ୍କ ପାଖକୁ ଆସିବ। ମୁଁ ଚାହୁଁଛି ସୁପ୍ରିମକୋର୍ଟ ଶୀଘ୍ର ଇଡି ଉପରେ ନିଷ୍ପତ୍ତି ନିଅନ୍ତୁ। ଇଡି ଆତଙ୍କିତ ଅବସ୍ଥା ସୃଷ୍ଟି କରିଛି।
