ବିଧାନସଭା ନିର୍ବାଚନ ପୂର୍ବରୁ ରାଜସ୍ଥାନରେ କଂଗ୍ରେସର ଘର ସଜଡ଼ା; ଏକାଠି ହେବେ ଗେହଲଟ-ପାଇଲଟ୍

ଭୁବନେଶ୍ୱର,୩୦/୫(ସତ୍ୟପାଠ ବ୍ୟୁରୋ): ଆସନ୍ତା ରାଜସ୍ଥାନ ବିଧାନସଭା ନିର୍ବାଚନ ଏକାଠି ଲଢ଼ିବେ ଗେହଲୋଟ-ପାଇଲଟ୍ । ରାଜସ୍ଥାନ କଂଗ୍ରେସରେ ଗତ କିଛି ଦିନ ଧରି ଲାଗି ରହିଥିବା ଗୋଷ୍ଠୀ ବିବାଦ ମଧ୍ୟରେ ଏଭଳି କିଛି ଖବର ଆସିଛି । ଗତକାଲି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାଡ଼ଗେ ଓ ବରିଷ୍ଠ ନେତା ରାହୁଲ ଗାନ୍ଧିଙ୍କ ସହ ଆଲୋଚନା କରିଛନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ ଓ ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ସଚିନ ପାଇଲଟ୍ ।

ଖୋଲାଖୋଲି ଭାବେ ଗେହଲୋଟ ସରକାରଙ୍କୁ ବିରୋଧ କରି ନିକଟରେ ରାଜ୍ୟରେ ଜନ ସଂଘର୍ଷ ଯାତ୍ରା କରିଥିଲେ ସଚିନ ପାଇଲଟ । ଏହାପରେ ଉଭୟ ନେତାଙ୍କ ମଧ୍ୟରେ କନ୍ଦଳ ଚରମରେ ପହଂଚିଥିବା ନେଇ କୁହାଯାଉଥିଲା । ଏପରିକି ପାଇଲଟ କଂଗ୍ରେସ ଦଳ ଛାଡି ନିଜର ଏକ ଆଞ୍ଚଳିକ ଦଳ ଗଢି ଆସନ୍ତା ବିଧାନସଭା ନିର୍ବାଚନରେ କଂଗ୍ରେସକୁ ଚ୍ୟାଲେଞ୍ଜ କରିବେ ବୋଲି କୁହାଯାଉଥିଲା । ହେଲେ ଏସବୁ ଭିତରେ ଗତକାଲି ପ୍ରଥମ ଥର ପାଇଁ ଏକାଠି ୪ ଘଣ୍ଟା ଧରି ଗେହଲୋଟ ଓ ପାଇଲଟ୍ ଆଲୋଚନା କରିଥିଲେ ।

ଏହାପରେ ଆସନ୍ତା ବିଧାନସଭା ନିର୍ବାଚନରେ ଉଭୟ ନେତା ଏକାଠି ହୋଇ କଂଗ୍ରେସ ପାଇଁ ନିର୍ବାଚନ ଲଢ଼ିବେ। ଗେହଲୋଟ ଓ ପାଇଲଟ୍ ଙ୍କ ମଧ୍ୟରେ କୌଣସି ପ୍ରକାର ବିବାଦ ନାହିଁ, କର୍ଣ୍ଣାଟକର ଫର୍ମୁଲା ରାଜସ୍ଥାନରେ ରିପିଟ୍ ହେବ ବୋଲି ଗତକାଲି ସୂଚନା ଦେଇଛନ୍ତି କଂଗ୍ରେସ ମହାସଚିବ କେସି ବେଣୁଗୋପାଳ ।

ତେବେ ଆସନ୍ତା ଡିସେମ୍ବର ମାସରେ ରାଜସ୍ଥାନରେ ବିଧାନସଭା ନିର୍ବାଚନ ରହିଛି । ଏହାରି ଭିତରେ ବାରମ୍ବାର ପାଇଲଟଙ୍କ ବିରୋଧୀ ଦଳ ପାଇଁ ତ୍ରିଶଙ୍କୁ ପରିସ୍ଥିତି ସୃଷ୍ଟି କରିଥିଲା । କଂଗ୍ରେସର ସାଧାରଣ ସମ୍ପାଦକ କେ.ଭି ଭେନୁଗୋପାଳ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଉଭୟ ନେତା ଏବେ ହାତ ମିଳାଇ ନେଇଛନ୍ତି। ଏଥିସହ ଦଳ ଯାହା ନିଷ୍ପତ୍ତି ନେବ ତାହାକୁ ସେମାନେ ସ୍ୱୀକାର କରିନେବେ ବୋଲି ମଧ୍ୟ କହିଛନ୍ତି । ଏନେଇ କଂଗ୍ରେସ ଦଳ ପକ୍ଷରୁ ମଧ୍ୟ ଗେହଲୋଟ ଓ ପାଇଲଟ୍ ଏକାଠି ନିର୍ବାଚନ ଲଢ଼ିବା ନେଇ ଟୁଇଟ କରି ସୂଚନା ଦିଆଯାଇଛି |

ତେବେ ଦଳର ହାଇକମାଣ୍ଡଙ୍କ ଉପସ୍ଥିତିରେ ଉଭୟ ନେତାଙ୍କ ମଧ୍ୟରେ ଏହା ପ୍ରଥମ ଆଲୋଚନା ନୁହେଁ | ପୂର୍ବରୁ ଅନେକ ଥର ଏଭଳି ଆଲୋଚନା ହୋଇଛି ଓ ଉଭୟ ନେତା ଏକାଠି କାମ କରିବା ନେଇ ସୂଚନା ଦିଆଯାଇଛି ଓ ପରେ ପରିସ୍ଥିତି ଯଥା ପୂର୍ବଂ ତଥା ପରଂ ହୋଇଛି | ଏବେ ପୁଣି ସମାନ ଆଲୋଚନା ଓ ଏକାଠି ଲଢ଼ିବା ନେଇ ସନ୍ଦେଶ ଦିଆଯାଇଥିବା ବେଳେ ଏହା ଆଗକୁ ନିର୍ବାଚନରେ କଂଗ୍ରେସକୁ କେତେ ଫାଇଦା ଦେଉଛି ତାହା ଦେଖିବାକୁ ବାକି ରହିଲା |

Related Posts