ବର୍ଷା ପ୍ରଭାବ: ବଢ଼ିଲା ପନିପରିବା ଦର, ଟମାଟୋ କିଲୋ ୭୦ ଟଙ୍କା

ଭୁବନେଶ୍ୱର : ଲଗାଣ ବର୍ଷା ପରେ ବନ୍ୟା ଆଣିଦେଇଛି ଦୁଃଖ । ଚାଷୀ ମୁଣ୍ଡରେ ହାତ ଦେଇ ବସିଥିବା ବେଳେ, ସେପଟେ ଖାଉଟିଙ୍କ ଉପରେ ମହଙ୍ଗା ମାଡ଼ ହୋଇଛି । କଞ୍ଚା ପରିବା ଉତ୍ପାଦନ ପ୍ରଭାବିତ ହୋଇଛି । ଏଭଳି ସ୍ଥିତିରେ ରାଜଧାନୀର ବିଭିନ୍ନ ସ୍ଥାନରେ ପନିପରିବା ଦର ବୃଦ୍ଧି ପାଇଛି ।

ଟମାଟୋ କିଲୋ ପିଛା ଦର ପ୍ରାୟ ୭୦ ଟଙ୍କା ଛୁଇଁଛି । ଟମାଟୋ ପାଇଁ ଏବେ ରାଜ୍ୟ ବାହାର ବଜାର ଉପରେ ନିର୍ଭର କରିବାକୁ ପଡୁଛି । ମାତ୍ର ମହାରାଷ୍ଟ୍ରର ନାସିକ ଏବଂ ବେଙ୍ଗାଲୁରୁ ଭଳି ଟମାଟୋ ଆସୁଥିବା ସ୍ଥାନଗୁଡିକରେ ବର୍ଷା ଯୋଗୁ ଯୋଗାଣ ପ୍ରଭାବିତ ହୋଇଛି ।

ଫଳରେ ଏହାର ପ୍ରଭାବ ଖୁଚୁରା ବଜାର ଉପରେ ପଡିଛି । ରାଜଧାନୀ କଞ୍ଚା ପରିବା ସଂଘ ମୁତାବକ, ୧ ନମ୍ବର ହାଟରେ ସୋମବାର ଟମୋଟୋ ଦର ୪୦ ଟଙ୍କା ରହିଛି । ୨ ଦିନ ତଳେ ଦର ୩୦ ଟଙ୍କା ଥିବା ବେଳେ ବର୍ଷା ପ୍ରଭାବରୁ ଦର ୧୦ ଟଙ୍କା ବଢ଼ି ଯାଇଛି । ମାତ୍ର ଭୁବନେଶ୍ୱରର ଅନ୍ୟ ପ୍ରାନ୍ତଗୁଡିକରେ ଟମାଟୋ ଦର ପ୍ରାୟ ୩୦ ଟଙ୍କା ଚଢ଼ା ବିକୁଛନ୍ତି ବ୍ୟବସାୟୀ । ଏହାକୁ ନେଇ ଖାଉଟି ଅସନ୍ତୋଷ ପ୍ରକାଶ କରିଛନ୍ତି ।

ସଂଘର ସଭାପତି କବିରାଜ ସ୍ୱାଇଁ କହିଛନ୍ତି ଯେ ବର୍ତ୍ତମାନ ବର୍ଷା ଯୋଗୁ ଯୋଗାଣ କିଛିଟା ପ୍ରଭାବିତ ହୋଇଛି । ଦର ସ୍ୱାଭାବିକ ହେବାକୁ କିଛି ଦିନ ଲାଗିବ । ଭୁବନେଶ୍ୱରକୁ ବାଦ ଦେଲେ ରାଜ୍ୟର ଅନ୍ୟ ପ୍ରାନ୍ତଗୁଡିକରେ ଦର ଅଧିକ ରହିଛି । ସ୍ଥାନୀୟ ପରିବା ଆସିବା ବନ୍ଦ ହୋଇଛି । ଫଳରେ ଦର ସାଧାରଣତଃ ଉଚ୍ଚରେ ରହୁଛି ।

ଶୀତ ପରିବା ଆସିବାକୁ ଆଉ ମାସେ ସମୟ ଲାଗି ପାରେ ବୋଲି ଶ୍ରୀ ସ୍ୱାଇଁ ଉଲ୍ଲେଖ କରିଛନ୍ତି । ବର୍ତ୍ତମାନ ଭୁବନେଶ୍ୱରରେ ବାଇଗଣ ଦର ୫୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ପୋଟଳ ୪୦, ଜହ୍ନି ୪୦, ଭେଣ୍ଡି ୪୦, ବନ୍ଧା କୋବି ୩୦ ଏବଂ ବିନ୍‌ସ ୯୦ ଟଙ୍କାରେ ବିକ୍ରି ହେଉଛି । ଆଳୁ ଦର ବୃଦ୍ଧି ହୋଇ ନ ଥିବା ବେଳେ ଏହା ୨୦ ଟଙ୍କାରେ ବିକ୍ରି ହେଉଥିବା ସୂଚନା ମିଳିଛି ।

Related Posts