ଚଳିତ ବର୍ଷ ‘ଏଟିଏଫ୍‌’ର ୭ମ ବୃଦ୍ଧି: କିଲୋଲିଟର୍‌ ପିଛା ୨,୨୫୮.୫୪ ଟଙ୍କା ବୃଦ୍ଧି ପାଇଲା ବିମାନ ଇନ୍ଧନ

ନୂଆଦିଲ୍ଲୀ: ଦେଶରେ ମହଙ୍ଗା ହେଉଛି ଅନେକ ସାମଗ୍ରୀ ର ଦର | ଆଜି ‘ଏଭିଏସନ୍‌ ଟର୍ବାଇନ୍‌ ଫୁଏଲ୍‌’ (ବିମାନ ଇନ୍ଧନ) ମୂଲ୍ୟ ୨% ବୃଦ୍ଧି ପାଇ ସର୍ବକାଳୀନ ରେକର୍ଡ ସୃଷ୍ଟି କରିଥିବା ବେଳେ, ଏହା ଚଳିତ ବର୍ଷର ୭ମ ବୃଦ୍ଧି।

ଉଡ଼ାଜାହାଜ ଉଡ଼ାଣରେ ସାହାଯ୍ୟ କରୁଥିବା ‘ଏଭିଏସନ୍‌ ଟର୍ବାଇନ୍‌ ଫୁଏଲ୍‌’ (ଏଟିଏଫ୍‌) କିଲୋଲିଟର୍‌ (୧୦୦୦ ଲିଟର୍‌) ପିଛା ୨% ବା ୨,୨୫୮.୫୪ ଟଙ୍କା ବୃଦ୍ଧି ପାଇଛି। ତେଣୁ, ଆଜି ଜାତୀୟ ରାଜଧାନୀ ଦିଲ୍ଲୀରେ ‘ଏଟିଏଫ୍‌’ କିଲୋଲିଟର୍‌ ପିଛା ଟ. ୧,୧୨,୯୨୪.୮୩ ବିକ୍ରୟ ହେଉଛି ବୋଲି ରାଷ୍ଟ୍ରାୟତ ଇନ୍ଧନ ଖୁଚୁରା ଇନ୍ଧନ ବିକ୍ରୟକାରୀଙ୍କ ବିଜ୍ଞପ୍ତିରୁ ଜଣାପଡ଼ିଛି।

ସୂଚନାଯୋଗ୍ୟ, ମାର୍ଚ ୧୬ ତାରିଖରେ କିଲୋଲିଟର୍‌ ପିଛା ‘ଏଟିଏଫ୍‌’ ଦର ୧୮.୩% ଅର୍ଥାତ୍‌ ଟ.୧୭,୧୩୫.୬୩ ବୃଦ୍ଧି ପାଇଥିଲା।

ଆନ୍ତର୍ଜାତିକ ସ୍ତରରେ ଗତ ୧୫ ଦିନ ବା ଗୋଟିଏ ପକ୍ଷର ଇନ୍ଧନ ମୂଲ୍ୟକୁ ଆଧାର କରି ପ୍ରତି ମାସ ୧ମ ଓ ୧୬ଶ ଦିନ ବିମାନ ଇନ୍ଧନ ମୂଲ୍ୟ ସଂଶୋଧନ କରାଯାଏ।

ଏୟାର୍‌ଲାଇନ୍‌ ଚଳାଚଳ ପାଇଁ ଆବଶ୍ୟକ ସମୁଦାୟ ଖର୍ଚ୍ଚର ପ୍ରାୟ ୪୦% ହେଉଛି ‘ଏଟିଏଫ୍‌’। ଚଳିତ ବର୍ଷ ଏହାର ମୂଲ୍ୟ ଦ୍ରୁତ ବେଗରେ ବୃଦ୍ଧି ପାଇଛି। ୨୦୨୨ରୁ ପ୍ରତି ପକ୍ଷ ବା ୧୫ ଦିନରେ ଥରେ ‘ଏଟିଏଫ୍‌’ ଦର ବୃଦ୍ଧି ପାଇ ଆସୁଛି। ସବୁକୁ ମିଶାଇ ‘ଏଟିଏଫ୍‌’ ଦର ଟ.୩୮,୯୦୨.୯୨ ବା ପ୍ରାୟ ୫୦% ବୃଦ୍ଧି ପାଇଲାଣି।

Related Posts