ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଆଉ କିଛି ଦିନ ପରେ ବିଏମସିରେ ଡେପୁଟି ମେୟର ନିର୍ବାଚନ ହେବାକୁ ଯାଉଛି । ଏନେଇ ଏଥର ପ୍ରାର୍ଥୀ କିଏ ହେବ ସେନେଇ ଅନେକ କଳ୍ପନାଜଳ୍ପନା ଆରମ୍ଭ ହେଲାଣି । ସେପଟେ ଏଥିର ଶାସକ ଦଳ ୬୭ଟି କର୍ପୋରେଟର ଆସନ ମଧ୍ୟରୁ ୫୦ଟି ନିଜ ଅକ୍ତିଆରକୁ ନେଇଥିବାବେଳେ ବିଜେପି ହାତକୁ ୧୦ ଏବଂ ସ୍ୱାଧୀନ ୯ ଜଣ ପ୍ରାର୍ଥୀ ବିଜୟୀ ହୋଇଥିଲେ । ହେଲେ ଡେପୁଟି ମେୟର ପଦବୀ ଲାଗି ଆଉ ମାତ୍ର କିଛି ଦିନ ପରେ ଭୋଟ ଆରମ୍ଭ ହେବାକୁ ଯାଉଛି । ତେବେ ଦଳ କାହାକୁ ସେହି ପଦବୀରେ ବସାଇବ ତାକୁ ନେଇ ଏହା ଭିତରେ ଦୁଇଥର ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ବୈଠକ ବସି ସାରିଲାଣି । ଆଶାୟୀମାନେ ଡେପୁଟି ମେୟର ହେବା ଲାଗି ନେତାଙ୍କ ପାଖରେ ନିଜ ନିଜର ଲବି ଆରମ୍ଭ କରିଦେଇଛନ୍ତି । କିନ୍ତୁ ସେମାନଙ୍କ ମଧ୍ୟରୁ ଦଳ କେଉ ଜଣଙ୍କୁ ପ୍ରାର୍ଥୀ କରିବ ସେ ନେଇ ବର୍ତ୍ତମାନ ଚର୍ଚ୍ଚା ଜୋର ଧରିଛି ।

ଅନ୍ୟପଟେ ଭୁବନେଶ୍ୱରରେ ଆସୁଥିବା ୩ ବିଧାୟକଙ୍କ ମତାମତ ଏପର୍ଯ୍ୟନ୍ତ ଲୋଡା ଯାଇ ନଥିବା ଜଣାପଡ଼ିଥିଲେ ମଧ୍ୟ ବିଭିନ୍ନ ପର୍ଯ୍ୟାୟାରେ ସେମାନଙ୍କ ସହ ଆଲୋଚନା ଚାଲିଥିବାର କୁହାଯାଉଛି । ସେପଟେ ବିଗତ ବର୍ଷ ଗୁଡ଼ିକ ଭଳି ଏଥର କୌଣସି ବାହାର ନେତାଙ୍କୁ କର୍ପୋରେଟର ଟିକେଟ ବାଣ୍ଟିବା କିମ୍ବା ସେମାନଙ୍କ କଥାକୁ ଗୁରୁତ୍ୱ ଦିଆଯାଇ ନାହିଁ । କେବଳ ସ୍ଥାନୀୟ ବିଧାୟକଙ୍କ ନିଷ୍ପତ୍ତିରେ କର୍ପୋରେଟର ଟିକେଟ ବଣ୍ଟନ କରାଯିବା କଥାକୁ ଏଡ଼ାଇ ଦିଆଯାଇପାରିବ ନାହିଁ । ସେହିଭଳି ଡେପୁଟି ମେୟର ପଦବୀ ଲାଗି ସ୍ଥାନୀୟ ୩ ବିଧାୟକଙ୍କ ମତାମତ ଲୋଡାଯାଇପାରେ । ତେବେ ଦଳ ମୁଖ୍ୟ ଦୁଇ ଡେପୁଟି ମେୟର ଦାବିଦାର ଅମରେଶ ଜେନା ନା ବିରଞ୍ଚି ନାରାୟଣ ମହାସୁପାରକଙ୍କ ମଧ୍ୟରୁ କାହାକୁ ପ୍ରାର୍ଥୀ କରିବ ତାହା ଉପରେ ସମସ୍ତଙ୍କର ନଜର ରହିଛି । ଏହି ଦୁଇ ଜଣଙ୍କୁ ବାଦ ଦେଇ ୩ୟ ବ୍ୟକ୍ତି କାହାକୁ ଦଳ ପ୍ରାର୍ଥୀ ଯେ ନକରିବ ସେକଥା ବି ନୁହଁ । ତେବେ ବର୍ତ୍ତମାନ ଦେଖିବାର ବିଷୟ ଡେପୁଟି ମେୟର ପ୍ରାର୍ଥୀକୁ ନେଇ ବିଜେଡିର ନିଷ୍ପତ୍ତି କଣ ରହୁଛି ।