ଭୁବନେଶ୍ବର(ସତ୍ୟପାଠ ବ୍ୟୁରୋ): ପଶ୍ଚିମବଙ୍ଗ ଓ ବାଂଲାଦେଶ ସୀମାକୁ ନେଇ କିଛିଦିନ ହେବ ଚର୍ଚ୍ଚା ଆରମ୍ଭ ହୋଇଛି । ଏହାମଧ୍ୟରେ ପଶ୍ଚିମବଙ୍ଗର ନୂତନ ବିଜେପି ସରକାର ପ୍ରଥମ କ୍ୟାବିନେଟ ବୈଠକରେ ବାଂଲାଦେଶ ସୀମାରେ ବାଡ଼ ଦେବା ପାଇଁ ସୀମା ସୁରକ୍ଷା ବଳ (ବିଏସ୍ଏଫ୍)କୁ ଜମି ଦେବାକୁ ନିଷ୍ପତ୍ତି ନେଇଛି । ହେଲେବାଂଲାଦେଶ ପ୍ରଧାନମନ୍ତ୍ରୀ ତାରିକ ରହମାନଙ୍କ ବୈଦେଶିକ ବ୍ୟାପାର ପରାମର୍ଶଦାତା ହୁମାୟୁନ୍ କବୀର ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କୁ ଟାର୍ଗେଟ କରିଥିବାର ଦେଖିବାକୁ ମିଳିଛି ।
ତେବେ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କୁ ଟାର୍ଗେଟ କରି ସେ କହିଛନ୍ତି ଯେ, ନିର୍ବାଚନୀ ଭାଷଣବାଜି ଏବଂ ପ୍ରକୃତ ଶାସନ ଦୁଇଟି ଭିନ୍ନ ପ୍ରସଙ୍ଗ। ବାଂଲାଦେଶ ଦେଖିବାକୁ ଚାହୁଁଛି ଯେ, ସୁଭେନ୍ଦୁ ସରକାର ଶାସନରେ ମଧ୍ୟ ନିର୍ବାଚନୀ ଭାଷଣବାଜି ଅନୁସରଣ କରୁଛନ୍ତି କି ନାହିଁ ବୋଲି କହିଛନ୍ତି । ସେ କହିଛନ୍ତି, ବାଂଲାଦେଶର ଲୋକମାନେ କଣ୍ଟା ତାର ବାଡ଼କୁ ଭୟ କରନ୍ତି ନାହିଁ। ବାଂଲାଦେଶ ସରକାର ମଧ୍ୟ ଏନେଇ ଭୟଭୀତ ନୁହଁନ୍ତି। ଯେଉଁଠାରେ ଆମକୁ କଥାବାର୍ତ୍ତା କରିବାକୁ ପଡିବ, ଆମେ କଥା ହେବୁ।
ପଶ୍ଚିମବଙ୍ଗରେ ସରକାର ପରିବର୍ତ୍ତନ ପରେ ଯଦି ‘ପୁସ୍-ବ୍ୟାକ୍’ ଅର୍ଥାତ୍ ବଳପୂର୍ବକ ବିତାଡ଼ିତ ଘଟଣା ଘଟେ, ତେବେ ଢାକା କାର୍ଯ୍ୟାନୁଷ୍ଠାନ ନେବ ବୋଲି ବୈଦେଶିକ ମନ୍ତ୍ରୀ ଖଲିଲୁର ରହମାନ ଚେତାବନୀ ଦେବାର କିଛି ଦିନ ପରେ ଏହି ବିବୃତି ଆସିଛି। ହୁମାୟୁନ୍ କହିଛନ୍ତି, ଯଦି ଭାରତ ସରକାର ଲୋକଙ୍କ ମଧ୍ୟରେ ସମ୍ପର୍କକୁ ସୁଦୃଢ଼ କରିବାକୁ ଚାହାଁନ୍ତି, ତେବେ ସୀମା ସୁରକ୍ଷା ସମସ୍ୟାର ସମାଧାନ ପାଇଁ ଅଧିକ ମାନବୀୟ ଆଭିମୁଖ୍ୟ ଗ୍ରହଣ କରିବା ଉଚିତ। ବାଂଲାଦେଶ ସରକାରଙ୍କ ସମ୍ପର୍କ ମୁଖ୍ୟତଃ ଭାରତର କେନ୍ଦ୍ର ସରକାରଙ୍କ ସହିତ। ଆମେ ଭାରତର ଆଭ୍ୟନ୍ତରୀଣ ରାଜନୀତିରେ ସାମିଲ ହେବାକୁ ଚାହୁଁନାହୁଁ।
ସୀମାରେ ‘ପୁସ୍-ବ୍ୟାକ୍’ଏବଂ ହତ୍ୟା ସମ୍ପର୍କରେ ହୁମାୟୁନ୍ କହିଛନ୍ତି, ଯଦି ହତ୍ୟା ଜାରି ରହେ, ତେବେ ବାଂଲାଦେଶ ଚୁପ୍ ବସି ରହିବ ନାହିଁ। ଗୃହମନ୍ତ୍ରୀ ସଲାହୁଦ୍ଦିନ ଅହମ୍ମଦ କହିଛନ୍ତି ଯେ, ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ପରେ ସୀମା ସୁରକ୍ଷା ବାଂଲାଦେଶ(ବିଜିବି)କୁ ହାଇ ଆଲର୍ଟରେ ରଖାଯାଇଛି ଏବଂ ସୀମା ଅନୁପ୍ରବେଶକୁ ରୋକିବା ପାଇଁ ଏହି ବାହିନୀ ସମ୍ପୂର୍ଣ୍ଣ ପ୍ରସ୍ତୁତ ବୋଲି ସେ ଆଶ୍ୱାସନା ଦେଇଛନ୍ତି।
