ନୂଆଦିଲ୍ଲୀ: ଉଦ୍ଧବ ଠାକରେଙ୍କ ହାତରୁ ଶାସନ ଭାର ଯିବା ପରେ ଉଭୟ ଠାକରେ ଓ ଏକନାଥ ସିନ୍ଦେଙ୍କ ଗୋଷ୍ଠୀ ମଧ୍ୟରେ ଜାରୀ ରହିଛି ଶକ୍ତି ପ୍ରଦର୍ଶନ । ଏହାରି ଭିତରେ ଦିଲ୍ଲୀରେ ରାଜନୈତିକ ହଲଚଲ ଆରମ୍ଭ ହୋଇଛି । ଗୋଟିଏ ପଟେ ମୁମ୍ୱାଇରେ ଦଶହରା ରାଲି ଚାଲିଥାଏ, ଅନ୍ୟପଟେ ଏହି ସମୟରେ ଶିବସେନାର ଏକ ପ୍ରତିନିଧିମଣ୍ଡଳ ଦିଲ୍ଲୀରେ ନିର୍ବାଚନ ଆୟୋଗଙ୍କ ଦ୍ୱାରସ୍ଥ ହୋଇଥିଲେ। ଖବର ଅନୁସାରେ, ଉଦ୍ଧବ ଠାକରେ ଗୋଷ୍ଠୀର ନେତାମାନେ ନିର୍ବାଚନ ଆୟୋଗଙ୍କ ନିକଟରେ ଅନେକ ପ୍ରମାଣ ରଖି ପାର୍ଟିର ଚିହ୍ନ ଉପରେ ତାଙ୍କର ଅଧିକାର ଥିବା ଦାବି କରିଛନ୍ତି । ଶୁକ୍ରବାର ଏହା ଉପରେ ନିର୍ବାଚନ ଆୟୋଗଙ୍କ ନିଷ୍ପତ୍ତି ଆସିପାରେ । ଅର୍ଥାତ ଆଉ ମାତ୍ର ୨୪ ଘଣ୍ଟାରେ ଶିବସେନା ଚିହ୍ନ ଉପରେ କାହାର ଅଧିକାର ତାହା ସ୍ପଷ୍ଟ ହେବ ।

ଦଳର ଚିହ୍ନ ଉପରେ ଦାବି ଉପସ୍ଥାପନ କରିବା ପାଇଁ ଉଭୟ ଗୋଷ୍ଠୀଙ୍କୁ ଅକ୍ଟୋବର ୭ ଯାଏଁ ମହତଲ ଦେଇଥିଲେ ନିର୍ବାଚନ ଆୟୋଗ । ଶିବସେନାର ବରିଷ୍ଠ ନେତା ଆଜି ଆଇନଜୀବୀଙ୍କ ପରାମର୍ଶ ନେବେ । ନିର୍ବାଚନ ଆୟୋଗଙ୍କ ନିକଟରେ କେଉଁ ଜବାବ ରଖାଯିବ, କେଉଁ ପ୍ରମାଣ ଉପସ୍ଥାପନ କରାଯିବ, ତାହା ଉପରେ ଚର୍ଚ୍ଚା ହେବ । ଆଗରୁ ରାଜ୍ୟରେ ଉପନିର୍ବାଚନ ହେବାକୁ ଥିବା ବେଳେ ଦଳର ଚିହ୍ନ ଉପରେ ସ୍ଥିତି ସ୍ପଷ୍ଟ ହୋଇପାରେ ।

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ନିର୍ବାଚନ ଆୟୋଗ ଏହା ଉପରେ ତ୍ୱରିତ କାମ ଆରମ୍ଭ କରିଛନ୍ତି । ଅନ୍ଦେରୀ ଇଷ୍ଟ ବିଧାନସଭା ଉପନିର୍ବାଚନ ପାଇଁ ନାମାଙ୍କନ ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି । ନାମାଙ୍କନ ଦାଖଲର ଶେଷ ତାରିଖ ଅକ୍ଟୋବର ୧୪ । ଯଦି ଏହା ପୂର୍ବରୁ ଶିବସେନାର ଚିହ୍ନ ଉପରେ ରାୟ ଆସେ ତେବେ ଉପନିର୍ବାଚନରେ ରାଜନୈତିକ ସମୀକରଣ ସମ୍ପୂର୍ଣ୍ଣ ରୂପେ ବଦଳିଯିବ।