ଶିବସେନାର ଧନୁ ତୀର ଚିହ୍ନ ଉପରେ ନିଷେଧାଜ୍ଞା ଜାରିକଲେ ଇସି, ଉଦ୍ଧବ ଓ ସିନ୍ଦେ ଗୋଷ୍ଠୀଙ୍କୁ ମିଳିବ ଭିନ୍ନ ଭିନ୍ନ ନିର୍ବାଚନୀ ଚିହ୍ନ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ପ୍ରକୃତ ଶିବସେନା କିଏ ତାହାକୁ ନେଇ ଉଦ୍ଧବ ଗୋଷ୍ଠୀ ଓ ସିନ୍ଦେ ଗୋଷ୍ଠୀଙ୍କ ମଧ୍ୟରେ ବିବାଦ ଲାଗି ରହିଛି। ଏହି ମାମଲା ଏବେ ନିର୍ବାଚନ କମିଶନ (ଇସି)ଙ୍କ ନିକଟରେ ପହଞ୍ଚିଛି। ତେବେ ଦଳର ନିର୍ବାଚନୀ ଚିହ୍ନ କାହାକୁ ମିଳିବ ସେନେଇ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି ଇସି। ଶିବସେନାର ନିର୍ବାଚନୀ ଚିହ୍ନ ଧନୁ ଓ ତୀର ଉପରେ ସାମୟିକ ଭାବେ ନିଷେଧାଜ୍ଞା ଜାରି କରିଛନ୍ତି ନିର୍ବାଚନ କମିସନ ।

ଅନ୍ଧେରୀ (ପୂର୍ବ ) ବିଧାନସଭା ଆସନ ପାଇଁ ହେବାକୁ ଥିବା ଉପନିର୍ବାଚନ ନିମନ୍ତେ କେହି ଧନୁ ତୀର ଚିହ୍ନ ବ୍ୟବହାର କରି ପାରିବେ ନାହିଁ। ଉଭୟ ଗୋଷ୍ଠୀଙ୍କୁ ନୂଆ ନିର୍ବାଚନୀ ଚିହ୍ନ ପ୍ରଦାନ କରାଯିବ । ଏଥିପାଇଁ ଆସନ୍ତା ୧୧ ତାରିଖ ସୁଦ୍ଧା ନିଜ ନିଜର ଦଳୀୟ ଚିହ୍ନ ସଂପର୍କରେ ପ୍ରସ୍ତାବ ରଖିବାକୁ ଉଭୟଙ୍କୁ କମିସନ କହିଛନ୍ତି ।

ମୁମ୍ବାଇର ଅନ୍ଧେରୀ (ପୂର୍ବ) ବିଧାନସଭା କ୍ଷେତ୍ର ପାଇଁ ଉପନିର୍ବାଚନ ଅନୁଷ୍ଠିତ ହେବାକୁ ଥିବାବେଳେ କିଏ ପ୍ରକୃତ ଶିବସେନା ତାହାକୁ ନେଇ ଅକଳରେ ପଡ଼ିଯାଇଛନ୍ତି ନିର୍ବାଚନ କମିସନ । କାରଣ, ଉଭୟ ଉଦ୍ଧବ ଓ ସିନ୍ଦେ ଗୋଷ୍ଠୀ ନିଜକୁ ଅସଲି ଶିବସେନା ବୋଲି କହୁଛନ୍ତି ।

ତେବେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଦଳ ଶୁକ୍ରବାର ଦିନ ନିର୍ବାଚନ ଆୟୋଗଙ୍କୁ ଭେଟି ଦଳର ‘ଧନୁ ଓ ତୀର’ ପ୍ରତୀକ ପାଇଁ ଦାବି କରିଥିଲେ । ଏହା ପରେ କମିସନ ଉଦ୍ଧବ ଠାକରେଙ୍କୁ ଜବାବ ରଖିବାକୁ ନୋଟିସ ଜାରି କରିଥିଲେ । ଏହାର ଜବାବରେ ଉଦ୍ଧବ ଗୋଷ୍ଠୀ ପକ୍ଷରୁ କୁହାଯାଇଥିଲା ଯେ ବିଦ୍ରୋହୀ ବିଧାୟକମାନେ ସ୍ଵଇଚ୍ଛା ରେ ଶିବସେନା ଛାଡ଼ିଛନ୍ତି । ଏଣୁ ସେମାନଙ୍କୁ ଶିବସେନାର ନିର୍ବାଚନୀ ଚିହ୍ନ ଧନୁତୀର ମିଳିପାରିବ ନାହିଁ । ତେବେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ବଢୁଥିବା ବିବାଦକୁ ଦେଖି ନିର୍ବାଚନ କମିଶନ ଧନୁ ଓ ତୀର ଉପରେ ସାମୟିକ ଭାବେ ନିଷେଧାଜ୍ଞା ଜାରି କରିଛନ୍ତି।

Related Posts