ନିର୍ବାଚନୀ ହିଂସା: ପୁଲିସ୍‌ ଉପସ୍ଥିତିରେ ପିଟାପିଟି ହେଲେ ବିଜେପି-ବିଜେଡି କର୍ମୀ

ଢେଙ୍କାନାଳ: ଗତକାଲି ରାଜ୍ୟରେ ପୌର ନିର୍ବାଚନ ଲାଗି ମତଦାନ ଶେଷ ହୋଇଥିବା ବେଳେ, ଅନେକ ସ୍ଥାନରେ ହିଂସା ଦେଖିବାକୁ ମିଳିଛି । ତେବେ ଏହାରି ମଧ୍ୟରେ ଢେଙ୍କାନାଳରେ ନିର୍ବାଚନୀ ହିଂସା ଦେଖିବାକୁ ମିଳିଥିବା ବେଳେ, ଟାଉନ୍ ଥାନା ପରିସରରେ ହାତାହାତି ହୋଇଛନ୍ତି ବିଜେପି-ବିଜେଡି କର୍ମୀ । ପୁଲିସ୍‌ ଉପସ୍ଥିତିରେ ପିଟାପିଟି ହୋଇଛନ୍ତି ।

ଗତକାଲି ସକାଳେ ମତଦାନ ଚାଲିଥିବା ବେଳେ ୧୫ ନମ୍ବର ଓ୍ୱାର୍ଡରେ ଗଣ୍ଡଗୋଳ ହୋଇଥିଲା । ପୂର୍ବତନ ବିଜେପି ବିଧାୟକଙ୍କ ପୁତୁରା ଏବଂ ସଦର ବିଜେଡି ବିଧାୟକଙ୍କ ସମର୍ଥକ ମୁହାଁମୁହିଁ ହୋଇଥିଲେ । ଏହାକୁ ନେଇ ଉଭୟ ପକ୍ଷ ଟାଉନ୍ ଥାନାରେ ପହଞ୍ଚିଥିଲେ।

ଥାନା ପରିସରରେ ଉଭୟ ଦଳ ମଧ୍ୟରେ ବଚସା ଆରମ୍ଭ ହୋଇଯାଇଥିଲା । ଏହାପରେ ଉଭୟ ଦଳର କର୍ମୀ ପରସ୍ପରକୁ ଆକ୍ରମଣ କରିଥିଲେ । ଏହାକୁ ନେଇ ଥାନା ପରିସରରେ ଦେଖାଦେଇଥିଲା ଉତ୍ତେଜନା । ଏହି ଘଟଣାରେ ଉଭୟ ପକ୍ଷରୁ କିଛି କର୍ମୀଙ୍କୁ ପୁଲିସ ଥାନାରେ ଅଟକ ରଖିଥିବାବେଳେ ଏବେବି ଚାପା ଉତ୍ତେଜନା ଲାଗିରହିଛି।

ଅନ୍ୟପଟେ ଗତକାଲି ସନ୍ଧ୍ୟା ୫ଟା ସୁଦ୍ଧା ୫୦ ପ୍ରତିଶତରୁ ଅଧିକ ମତଦାନ ହୋଇଥିଲା । ତେବେ ରାଜଧାନୀରେ ସଚେତନ ଓ ଶିକ୍ଷିତ ଭୋଟର ଥାଇ ବି କାହିଁକି କମୁଛି ମତଦାନ ହାର, ତାହା ଏବେ ସବୁଠୁ ବଡ ପ୍ରଶ୍ନ ଉଠିଛି ।

ରାଜ୍ୟର ୪୭ଟି ମ୍ୟୁନିସପାଲଟି, ୫୯ଟି ଏନ୍‌ଏସି ଏବଂ ୩ଟି ମହାନଗର ନିଗମର କର୍ପୋରେଟର ଏବଂ ମେୟର ପଦବି ପାଇଁ ଭୋଟ୍ ଗ୍ରହଣ ହୋଇଛି ।

Related Posts