ଭୁବନେଶ୍ବର(ସତ୍ୟପାଠ ବ୍ୟୁରୋ): ଦେଶରେ ବଢୁଛି ବିଦ୍ୟୁତ୍ ଚାହିଦା । ପ୍ରବଳ ଖରା ଓ ଗରମ ପାଇଁ ଐତିହାସିକ ରେକର୍ଡ ୨୫୭.୩୭ ଗିଗାୱାଟ୍ ଛୁଇଁଲା। ତେବେ ଶକ୍ତି ମନ୍ତ୍ରାଳୟର ସୂଚନା ଅନୁଯାୟୀ, ଏହା ପୂର୍ବରୁ ଚଳିତବର୍ଷ ଏପ୍ରିଲ ୨୫ ଅପରାହ୍ଣ ୩ଟା ୩୮ ମିନିଟ୍ରେ ବିଦ୍ୟୁତ୍ ବ୍ୟବହାର ସର୍ବାଧିକ ୨୫୬.୧୧ ଗିଗାୱାଟ୍ ଥିଲା। କିନ୍ତୁ ଗତକାଲି ଅପରାହ୍ଣ ୩ଟା ୪୨ ମିନିଟ୍ରେ ଏହି ଚାହିଦା ୨୫୭.୩୭ ଗିଗାୱାଟ୍ରେ ପହଞ୍ଚିଛି। ଏହି ଚାହିଦାକୁ ମଧ୍ୟ ସଂପୂର୍ଣ୍ଣ ଭାବେ ପୂରଣ କରାଯାଇଛି। ଚଳିତବର୍ଷ ଗ୍ରୀଷ୍ମଋତୁରେ ଦେଶରେ ସର୍ବାଧିକ ଶକ୍ତି ଚାହିଦା ୨୭୦ ଗିଗାୱାଟ୍ରେ ପହଞ୍ଚିବ ବୋଲି ମନ୍ତ୍ରାଳୟ ଆକଳନ କରିଛି।
ସେପଟେ ଦେଶର ବହୁ ଅଞ୍ଚଳରେ ସୋମବାର ତାପମାତ୍ରା ୪୫ ଡିଗ୍ରିରେ ପହଞ୍ଚିଛି। ପାଣିପାଗ ବିଭାଗ ପକ୍ଷରୁ ଦେଶର ଉତ୍ତରପଶ୍ଚିମ ଏବଂ କେନ୍ଦ୍ରାଞ୍ଚଳରେ ଚଳିତବର୍ଷ ଗ୍ରୀଷ୍ମଲହର ଦେଖାଯିବ ବୋଲି ମଧ୍ୟ ପୂର୍ବାନୁମାନ କରାଯାଇଛି। ଉଚ୍ଚ ତାପମାତ୍ରା ସହିତ ଗରମ ପବନ ବହୁଥିବାରୁ ଲୋକମାନେ ଆଉଟୁପାଉଟୁ ହେଉଛନ୍ତି। ତାତିରୁ ରକ୍ଷା ପାଇବା ପାଇଁ ଲୋକମାନେ ଅଧିକରୁ ଅଧିକ ମାତ୍ରାରେ ଏୟାର କଣ୍ଡିସନର, ଏୟାର କୁଲର ଏବଂ ଅନ୍ୟାନ୍ୟ ବୈଦ୍ୟୁତିକ ଉପକରଣ ବ୍ୟବହାର କରୁଛନ୍ତି। ଏଥିଯୋଗୁ ବିଦ୍ୟୁତ୍ ଚାହିଦା ବଢ଼ିଯାଇଛି।
