ଭୁବନେଶ୍ବର(ସତ୍ୟପାଠ ବ୍ୟୁରୋ): ଟିଏମ୍ସି ସରକାର ସମୟରେ ଅଣଦେଖା ହୋଇଥିବା ବରିଷ୍ଠ ଆଇପିଏସ୍ ଅଫିସର ଦମୟନ୍ତୀ ସେନ୍ଙ୍କୁ ଶୁଭେନ୍ଦୁ ସରକାରରେ ମିଳିଲା ଗୁରୁ ଦାୟିତ୍ବ । ତେବେ ମହିଳାଙ୍କ ବିରୋଧରେ ଅପରାଧର ତଦନ୍ତ ପାଇଁ ରାଜ୍ୟ ସରକାରଙ୍କ ଦ୍ବାରା ଗଠନ କରାଯାଇଥିବା କମିସନ୍ରେ ତାଙ୍କୁ ନିଯୁକ୍ତ କରାଯାଇଛି।
ସେପଟେ ଟିଏମ୍ସିର ୧୫ ବର୍ଷର ଶାସନ ସମୟରେ ମହିଳା ଏବଂ ଶିଶୁଙ୍କ ବିରୋଧରେ ହୋଇଥିବା ଅତ୍ୟାଚାର ଏବଂ ବିଶେଷ କରି ଏସ୍ସି, ଏସ୍ଟି ଏବଂ ସଂଖ୍ୟାଲଘୁ ସମ୍ପ୍ରଦାୟର ମହିଳା ଏବଂ ଶିଶୁଙ୍କ ବିରୋଧରେ ହୋଇଥିବା ଅତ୍ୟାଚାରର ତଦନ୍ତ ପାଇଁ ଗଠନ କମିସନ୍ରେ ଦମୟନ୍ତୀଙ୍କୁ ମେମ୍ବର ସେକ୍ରେଟାରି ଭାବେ ନିଯୁକ୍ତ କରାଯାଇଛି। ୧୯୯୬ ବ୍ୟାଚ୍ ଆଇପିଏସ ଅଫିସର ୨୦୧୨ରେ ପାର୍କ ଷ୍ଟ୍ରିଟ୍ ଦୁଷ୍କର୍ମ ମାମଲାର ତଦନ୍ତ ପାଇଁ ବେଶ୍ ଚର୍ଚ୍ଚାରେ ଥିଲେ। ସେ ସମୟରେ ଦମୟନ୍ତୀ ସେନ୍ କୋଲକାତା ପୁଲିସ ଜଏଣ୍ଟ କମିସନର (ଅପରାଧ) ଥିଲେ ଏବଂ ପ୍ରଥମ ମହିଳା ଅଫିସର ଭାବେ ସେ ଏହି ପଦରେ ନିଯୁକ୍ତ ହୋଇଥିଲେ। ପାର୍କ ଷ୍ଟ୍ରିଟ୍ ମାମଲା ଏକ ବଡ଼ ଧରଣର ରାଜନୈତିକ ବିବାଦରେ ପରିଣତ ହୋଇଥିଲା।
ଜଣେ ମହିଳା ଅଭିଯୋଗ କରିଥିଲେ ଯେ ୨୦୧୨ ଫେବ୍ରୁଆରି ୬ ତାରିଖରେ ସେ କୋଲକାତାର ପାର୍କ ଷ୍ଟ୍ରିଟ୍ ଅଞ୍ଚଳ ସ୍ଥିତ ଏକ ନାଇଟ୍ କ୍ଲବ୍ ଛାଡ଼ିବା ସମୟରେ ତାଙ୍କୁ ଏକ ଚଳନ୍ତା ଗାଡ଼ି ଭିତରେ ଗଣଦୁଷ୍କର୍ମ କରାଯାଇଥିଲା। ଜନ ଉତ୍ତେଜନା ତେଜିବାରୁ ମମତା କହିଥିଲେ ତାଙ୍କ ନବ ନିର୍ବାଚିତ ସରକାରକୁ ବଦନାମ କରିବାପାଇଁ ଏହା ଏକ ସୁଚିନ୍ତିତ କାହାଣୀ। ତେବେ ମମତାଙ୍କ ଏହି ଟିପ୍ପଣୀକୁ ଦେଶବ୍ୟାପୀ କଡ଼ା ସମାଲୋଚନା କରାଯାଇଥିଲା ଏବଂ ମହିଳା ଅଧିକାର ଗୋଷ୍ଠୀ ଏହା ବିରୋଧରେ ଆନ୍ଦୋଳନ କରିଥିଲେ। ରାଜନୈତିକ ବିବାଦ ଜାରି ରହିଥିବାବେଳେ ଦମୟନ୍ତୀ ତାଙ୍କ ତଦନ୍ତ ଜାରି ରଖିଥିଲେ ଏବଂ କିଛି ଦିନ ମଧ୍ୟରେ ଅଭିଯୁକ୍ତକୁ ଧରିଲେ। ତଦନ୍ତରୁ ଜଣା ପଡ଼ିଲା ଯେ ବାସ୍ତବରେ ଏହି ଅପରାଧ ଘଟିଛି ଏବଂ ଏହା କୌଣସି କାହାଣୀ ନୁହେଁ। ଫଳରେ ମମତା କରିଥିବା ଦାବିର ଏହା ସମ୍ପୂର୍ଣ୍ଣ ବିରୁଦ୍ଧାଚରଣ କରିଥିଲା। ତେବେ ଏହି ମାମଲାର ଫଏସଲା ହେବାପରେ ଦମୟନ୍ତୀ ସେନ୍ଙ୍କୁ ଲାଲବଜାର କ୍ରାଇମ ବ୍ରାଞ୍ଚ୍ରୁ ବାରାକପୁର ପୁଲିସ ଟ୍ରେନିଂ କଲେଜକୁ ସ୍ଥାନାନ୍ତର କରାଯାଇଥିଲା।
