
ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ସୋସିଆଲ ମିଡ଼ିଆ କମ୍ପାନୀ ଟୁଇଟର୍କୁ କିଣିଲେ ବିଶ୍ବର ସବୁଠୁ ଧନୀ ବ୍ୟକ୍ତି ଏଲନ ମସ୍କ। ତେବେ ବହୁ ଦିନର ବାଦ ବିବାଦ ପରେ ଶେଷରେ ସେ ଟୁଇଟର ର ପରିଚାଳନା ଭାର ଗ୍ରହଣ କରିଛନ୍ତି। ଟୁଇଟର କିଣିବା ପରେ ଏହାର ପରିଚାଳନାରେ ଅନେକ ପରିବର୍ତ୍ତନ କରିଛନ୍ତି ମସ୍କ ।
ଟୁଇଟରର ପରିଚାଳନା ଭାର ଗ୍ରହଣ କରିବା ପରେ ପ୍ରଥମେ ସେ କମ୍ପାନିର ଚିଫ୍ ଏକ୍ଜିକ୍ୟୁଟିଭ୍ ଅଫିସର (ସିଇଓ) ପରାଗ ଅଗ୍ରୱାଲ୍ଙ୍କୁ ବହିସ୍କାର କରିଦେଇଥିବା ରିପୋର୍ଟ ପ୍ରକାଶ ପାଇଛି ।
ତେବେ ପୂର୍ବରୁ ୪୪ ବିଲିୟନ ଡ଼ଲାରର ଟ୍ୱିଟର ଅଧିଗ୍ରହଣ ଚୁକ୍ତି କରିବା ପରେ ଜାଲ ଆକାଉଂଟ ନେଇ ତଥ୍ୟ ଦେବାପାଇଁ ଓ ସେଗୁଡିକୁ ହଟାଇବା ପାଇଁ ଦାବି କରିଥିଲେ ମସ୍କ । କିନ୍ତୁ ଟୁଇଟରର ଅଧିକାରୀମାନେ ମସ୍କଙ୍କ ଦାବିକୁ ଅଗ୍ରାହ୍ୟ କରିଥିଲେ । ଏଥିପାଇଁ ସେ ଟ୍ୱିଟର କିଣିବାକୁ ଅନିଚ୍ଛା ପ୍ରକାଶ କରିଥିଲେ ଓ କମ୍ପାନୀ ସହ ହୋଇଥିବା ଚୁକ୍ତିକୁ ରଦ୍ଦ କରିଥିଲେ। ଏହି ମାମଲା କୋର୍ଟକୁ ମଧ୍ୟ ଯାଇଥିଲା। ଏହାପରେ ସେ ଟ୍ୱିଟରକୁ କିଣିଛନ୍ତି।
ତେବେ ସିଇଓ ପରାଗ ଅଗ୍ରୱାଲ୍ଙ୍କୁ ବହିସ୍କାର କରିବା ପରେ ବର୍ତ୍ତମାନ ନିଜେ ଏଲୋନ୍ ମସ୍କ ଟ୍ୱିଟରର ସିଇଓ ଭାବେ ଦାୟିତ୍ ରେ ଅଛନ୍ତି ବୋଲି ସିଏନବିସି, ଫକ୍ସ ନିଉଜ ପ୍ରକାଶ କରିଛି ।
ସୂଚନା ଅନୁସାରେ, ଟ୍ୱିଟର କିଣିବା ପରେ ସିଇଓ ପରାଗ ଅଗ୍ରୱାଲଙ୍କୁ ପ୍ରଥମେ ବହିସ୍କାର କରିଛନ୍ତି ମସ୍କ । ଟୁଇଟରକୁ ସଂସ୍କାର ସୋସିଆଲ ମିଡିଆ ଭାବେ ପରିଚିତ କରିବାକୁ ଚାହୁଁଛନ୍ତି ମସ୍କ । ତେଣୁ ଏବେ ଟୁଇଟର ପକ୍ଷପାତ କରିବ ନାହିଁ ବୋଲି ମସ୍କ କହିଛନ୍ତି । କେବଳ ପରାଗ ଅଗ୍ରୱାଲ ନୁହେଁ କମ୍ପାନୀର ଆହୁରି ବଡ଼ ବଡ଼ ଅଧିକାରୀଙ୍କୁ ପ୍ରଥମ ଦିନ ରେ ହିଁ ମସ୍କ୍ ବାହାର କରିଦେଇଥିବା ଆମେରିକା ଗଣମାଧ୍ୟମରେ ପ୍ରକାଶ ପାଇଛି । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ପୂର୍ବରୁ ଖବର ପ୍ରକାଶ ପାଇଥିଲା କି ମସ୍କ ଟ୍ୱିଟର କିଣିବା ପରେ କମ୍ପାନିର ୭୫ ପ୍ରତିଶତ କର୍ମଚାରୀଙ୍କୁ ବହିସ୍କାର କରିବେ। ଏବେ ସମାନ ଜିନିଷ ଦେଖିବାକୁ ମିଳିଛି ପ୍ରଥମ ଦିନରୁ ହିଁ ସେ ବଡ ବଡ ଅଧିକାରୀ ମାନଙ୍କୁ ବହିସ୍କାର କରିଛନ୍ତି।