ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ୬ ମାସ ଯାଏ ବିଦ୍ୟୁତ ବିଭାଗ ସହ ଜଡ଼ିତ କର୍ମଚାରୀମାନେ କରିପାରିବେନି ଆନ୍ଦୋଳନ। ତେବେ ଇନ୍ଧନ, ଶକ୍ତି ସଞ୍ଚୟ ଉପରେ ଗୁରୁତ୍ବ ଦେଇ ସରକାର ଏପରି କରିଥିବାର ସୂଚନା ମିଳିଛି । ଗୃହ ବିଭାଗର ବିଶେଷ ଶାଖା ପକ୍ଷରୁ ଜାରି ଏହି ଆଦେଶ ଅନୁଯାୟୀ, ଓଡ଼ିଶା ଅତ୍ୟାବଶ୍ୟକ ସେବା (ରକ୍ଷଣାବେକ୍ଷଣ) ଆକ୍ଟ ୧୯୮୮ ବଳରେ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ଏହା ଅନୁସାରେ, GRIDCO, OPTCL, OHPC, OPGC ସହ TPCODL, TPNODL, TPSODL ଓ TPWODL ପରି ବିଦ୍ୟୁତ ବଣ୍ଟନ କମ୍ପାନୀମାନଙ୍କୁ ଏହି ନିଷେଧାଜ୍ଞାର ଅଧୀନରେ ଆଣାଯାଇଛି।
ଏଥିସହ ରାଜ୍ୟର ଅନ୍ୟାନ୍ୟ ପାୱାର ଉତ୍ପାଦନ ସଂସ୍ଥାମାନେ ମଧ୍ୟ ଏହି ଆଦେଶର ପରିଧିରେ ରହିବେ।ଏହାର ଫଳରେ ଏହି ସଂସ୍ଥାଗୁଡ଼ିକର କର୍ମଚାରୀ, ଇଞ୍ଜିନିୟର ଓ ଅନ୍ୟ ସଂପୃକ୍ତ ସେବାକର୍ମୀମାନେ ଧର୍ମଘଟ କିମ୍ବା କାମ ବନ୍ଦ ଆନ୍ଦୋଳନ କରିପାରିବେ ନାହିଁ। ଅନଧିକୃତ ଭାବେ କାର୍ଯ୍ୟରୁ ଅନୁପସ୍ଥିତ ରହିବାକୁ ମଧ୍ୟ ଏହି ଆଇନ ଅନୁଯାୟୀ ଧର୍ମଘଟର ଶ୍ରେଣୀରେ ଗଣାଯିବ ବୋଲି ଆଦେଶରେ ସ୍ପଷ୍ଟ କରାଯାଇଛି।
