ସହରାଞ୍ଚଳରେ ନୂତନ ବସ୍ତି ଗଠନ ଓ ବେଆଇନ ଘର ନିର୍ମାଣ ପାଇଁ ଶକ୍ତି ବିଭାଗ ପ୍ରୋତ୍ସାହନ ଦେଉନାହିଁ : ଶକ୍ତିମନ୍ତ୍ରୀ ପ୍ରତାପ ଦେବ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ସହରାଞ୍ଚଳରେ ନୂତନ ବସ୍ତି ଗଠନ ତଥା ବେଆଇନ ଘର ନିର୍ମାଣ କରି ରହିବାକୁ ଶକ୍ତି ବିଭାଗ ପ୍ରୋତ୍ସାହିତ କରୁନାହିଁ। ଓଡ଼ିଶା ବିଦ୍ୟୁତ୍ ନିୟାମକ ଆୟୋଗ ଧାରା-୧୪ ଆଧାରରେ ସମସ୍ତ ସ୍ଥାନକୁ ବିଦ୍ୟୁତ୍‌ ସଂଯୋଗ ଦିଆଯାଉଛି। ସରକାରୀ ଜମିରେ ବେଆଇନ ନିର୍ମିତ କ୍ଷୁଦ୍ର ଶିଳ୍ପ ସଂସ୍ଥା ଓ ବ୍ୟବସାୟ ପ୍ରତିଷ୍ଠାନକୁ ବିଦ୍ୟୁତ୍ ସଂଯୋଗ ଦିଆଯାଉନାହିଁ ବୋଲି ସ୍ପଷ୍ଟ କରିଛି ଶକ୍ତି ବିଭାଗ।

ସହରାଞ୍ଚଳରେ ଗଢ଼ି ଉଠୁଥିବା ନୂତନ ବସ୍ତିକୁ ବିଦ୍ୟୁତ ସଂଯୋଗ ଦେଇ ଶକ୍ତି ବିଭାଗ ବେଆଇନ ଘର ନିର୍ମାଣ କରିବାକୁ ପ୍ରୋତ୍ସାହିତ କରୁଛି କି? କେଉଁ ଆଧାରରେ ସେମାନଙ୍କୁ ବିଦ୍ୟୁତ ସଂଯୋଗ ଦିଆଯାଉଛି? ସରାକରୀ ଜମିରେ ବେଆଇନ ଭାବେ ଗଢ଼ି ଉଠିଥିବା କ୍ଷୁଦ୍ର ଶିଳ୍ପ ସଂସ୍ଥା ଓ ବ୍ୟବସାୟ ପ୍ରତିଷ୍ଠାନକୁ କିପରି ବିଦ୍ୟୁତ ସଂଯୋଗ ଦିଆଯାଉଛି? ବିଧାନସଭା ଗୃହରେ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ଏଭଳି ପ୍ରଶ୍ନରେ ଶକ୍ତି ମନ୍ତ୍ରୀ ପ୍ରତାପକେଶରୀ ଦେବ ବିଧାନସଭାରେ ଏହି ଉତ୍ତର ରଖିଛନ୍ତି।

ଶକ୍ତି ମନ୍ତ୍ରୀ ଆହୁରି ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ଯେଉଁମାନଙ୍କୁ ବିଦ୍ୟୁତ୍ ସଂଯୋଗ ଦିଆଯାଉଛି ସେମାନଙ୍କ ଠାରୁ ଉପଯୁକ୍ତ କାଗଜପତ୍ର ରଖାଯାଉଛି। ଯଥା; ଯେଉଁମାନେ ଅସ୍ଥାୟୀ ଘର କରିଛନ୍ତି ସେମାନେ ସମ୍ପୃକ୍ତ ଗ୍ରାମପଞ୍ଚାୟତ, ଏନ୍‌ଏସି କିମ୍ବା ପୌରସଂସ୍ଥାରୁ ସେହି ଅସ୍ଥାୟୀ ଘର ପାଇଁ ‘ନୋ ଅବ୍‌ଜେକ୍ସନ ସାର୍ଟିଫିକେଟ୍‌’, ଶିଳ୍ପାଞ୍ଚଳରେ ‘ଶିଳ୍ପ ଲାଇସେନ୍ସ’ ଦାଖଲ କରିବା ପରେ ବିଦ୍ୟୁତ୍ ସଂଯୋଗ ଦିଆ ଯାଉଛି । ଭଡ଼ାରେ ରହୁଥିଲେ ବା ଜମିର ମାଲିକ ହୋଇନଥିଲେ ସେମାନେ ‘ଇଣ୍ଡେମ୍‌ନିଟି ବଣ୍ଡ’ ଦାଖଲ କରିବେ ଯେ, ବିଦ୍ୟୁତ ସଂଯୋଗ ପାଇଁ କୌଣସି କ୍ଷୟକ୍ଷତି କିମ୍ବା ବିବାଦ ହେଲେ ସେ ସବୁ ପାଇଁ ସମ୍ପୃକ୍ତ ଉପଭୋକ୍ତା ହିଁ ଦାୟୀ ରହିବେ। କୌଣସି ଘରୋଇ ଜମି ଉପରେ ବିଦ୍ୟୁତ ତାର ଯିବାକୁ ହେଲେ ସମ୍ପୃକ୍ତ ଉପଭୋକ୍ତା ‘ୱେ ଲିଭ୍‌’ ପ୍ରମାଣପତ୍ର ହାସଲ କରିବ। ଏସବୁକୁ ଆଧାର କରି ବିଦ୍ୟୁତ ସଂଯୋଗ ଦିଆଯାଉଥିବା ମନ୍ତ୍ରୀ ଉତ୍ତରରେ କହିଛନ୍ତି।

Related Posts