ଜଗନ୍ନାଥଙ୍କ ପ୍ରତି ବିବାଦୀୟ ମନ୍ତବ୍ୟ ଦେଇ ଅଡ଼ୁଆରେ ମନ୍ତ୍ରୀ ପ୍ରତାପ ଦେବ, ଚାରିଆଡ଼େ ବିରୋଧ ପରେ ରଖିଲେ ସ୍ପଷ୍ଟୀକରଣ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ରାଜ୍ୟର ଶକ୍ତି ଓ କ୍ଷୁଦ୍ର ଶିଳ୍ପ ମନ୍ତ୍ରୀ ପ୍ରତାପ ଦେବ ମହାପ୍ରଭୁ ଜଗନ୍ନାଥଙ୍କ ପ୍ରତି ଅପମାନଜନକ ମନ୍ତବ୍ୟ ଦେଇ ଅଡୁଆରେ ପଡିଛନ୍ତି। ସୂଚନା ଅନୁସାରେ ବିଜେଡି ପକ୍ଷରୁ ଆୟୋଜିତ ପ୍ରଶିକ୍ଷଣ ଶିବିରରେ ମନ୍ତ୍ରୀ ପ୍ରତାପ ଦେବ କହିଥିଲେ ଯେ, ‘ସାଢ଼େ ଚାରିକୋଟି ଓଡ଼ିଆଙ୍କ ପରିଚୟ ଥିଲେ ଜଗନ୍ନାଥ। ଏବେ ଭାରତର ଯେକୌଣସି ସ୍ଥାନକୁ ଗଲେ ସେଠିକାର ଲୋକେ ପ୍ରଥମେ ନବୀନ ପଟ୍ଟନାୟକଙ୍କ କଥା କହୁଛନ୍ତି’। ତେବେ ମନ୍ତ୍ରୀଙ୍କ ଏହି ମନ୍ତବ୍ୟକୁ ଚାରିଆଡ଼େ ନାପସନ୍ଦ କରାଯାଇଥିବା ବେଳେ ଏହାର ପ୍ରତିବାଦ ମଧ୍ୟ କରାଯାଇଛି।

ପୁରୀ ଶ୍ରୀଜଗନ୍ନାଥ ସେନା ଏଭଳି ମନ୍ତବ୍ୟକୁ ନିନ୍ଦା କରିଛି। ପ୍ରତିବାଦରେ ଶନିବାର ଦିନ କଚେରୀ ଛକରେ ମନ୍ତ୍ରୀ ଶ୍ରୀ ଦେବଙ୍କ ଫଟୋ ଓ ବ୍ୟାନର ପୋଡ଼ିଛି ଶ୍ରୀଜଗନ୍ନାଥ ସେନା।ଶ୍ରୀଜଗନ୍ନାଥ ସେନା ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ କହିଛନ୍ତି, ମନ୍ତ୍ରୀ ଶ୍ରୀ ଦେବ କହିଛନ୍ତି ପୂର୍ବରୁ ଓଡ଼ିଶାର ଲୋକଙ୍କୁ ଜଗନ୍ନାଥ ଦେଶର ଲୋକେ ବୋଲି କହୁଥିଲେ। ଏବେ ଓଡ଼ିଶା କହିଲେ ମୁଖ୍ୟମନ୍ତ୍ରୀ ପଟ୍ଟନାୟକଙ୍କୁ ବୁଝାଉଛି । ଓଡ଼ିଶାର ପରିଚୟ ହେଉଛି ନବୀନ ପଟ୍ଟନାୟକ। ଓଡ଼ିଆ ଜାତିର ପରିଚୟ ତଥା ବିଶ୍ୱର ଠାକୁର ଶ୍ରୀଜଗନ୍ନାଥଙ୍କ ପ୍ରତି ଏହାଠୁ ଅପମାନଜନକ ଓ ନିନ୍ଦାଜନକ ଘଟଣା ଅନ୍ୟ କିଛି ହୋଇନପାରେ। ତୁରନ୍ତ ମନ୍ତ୍ରୀ ସର୍ବସମ୍ମୁଖରେ କ୍ଷମା ମାଗନ୍ତୁ ବୋଲି ସଂଗଠନ ଦାବି କରିଛି। ନଚେତ୍‌ ଏହା ବିରୋଧରେ ସଂଗଠନ ଆଇନର ଆଶ୍ରୟ ନେବା ସହ ଆନ୍ଦୋଳନକୁ ଜୋରଦାର୍‌ କରିବ ବୋଲି କହିଛି।

ତେବେ ବିବାଦ ବଢିବା ପରେ ନିଜେ ପ୍ରତାପ ଏନେଇ ସ୍ପଷ୍ଟୀକରଣ ରଖିଛନ୍ତି। ସେ ଟ୍ବିଟ୍ କରି କହିଛନ୍ତି ଯେ, ମୋର ଗତକାଲିର ଭାଷଣକୁ ନେଇ ବିରୋଧୀ ଭିନ୍ନ ଅର୍ଥରେ ନେଇ ବିଭ୍ରାନ୍ତି କରିବାକୁ ଚେଷ୍ଟା କରୁଛନ୍ତି। ଏବଂ ଅଯଥା ରାଜନୀତି କରିବା ଦୁର୍ଭାଗ୍ୟଜନକ। ମୋର କହିବାର ଉଦ୍ଦେଶ୍ୟ ଥିଲା ଯେ ଜାତୀୟ ସ୍ତରରେ ଲୋକମାନେ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ଓ ଉତ୍ତମ ଶାସନ ପାଇଁ ଓଡ଼ିଶାକୁ ମାନ୍ୟତା ଦେବା ଆରମ୍ଭ କରିଛନ୍ତି। ବିରୋଧୀ ଦଳମାନଙ୍କୁ ଭୁଲ୍ ବ୍ୟାଖ୍ୟା ବନ୍ଦ କରିବାକୁ ଅନୁରୋଧ କରୁଛି ବୋଲି ମନ୍ତ୍ରୀ ନିବେଦନ କରିଛନ୍ତି।

Related Posts